Odisha news

ନିର୍ମାଣ ଶ୍ରମିକ ଙ୍କୁ ସହାୟତା ରାଶି ବଣ୍ଟନ କଲେ ମନ୍ତ୍ରୀ 

0
ଦାନଗଦି,୨୩/୨  : ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଣ, ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ରାଶି ବଂଟନ କରି କହିଥିଲେ ଯେ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ବହୁବିଧ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ କୋଠାବାଡି ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବହୁ ଅଭାବୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ବର୍ଗର ବ୍ୟକ୍ତିବିଶେଷ ଖୁବ୍ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ସଚେତନ ହେବା ଉଚିତ୍ । ନିର୍ମାଣ ଶ୍ରମିକଙ୍କ ଏହି ସହାୟତା ଶିବିର ଜରିଆରେ ୬.୫୪ କୋଟି ପାଖାପାଖି ଟଙ୍କା ହିତାଧିକାରୀମାନଙ୍କୁ ବଂଟାଯିବା ସମସ୍ତଙ୍କୁ ଖୁସି କରିଛି ବୋଲି ଇଂ. ଘଡ଼ାଇ କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଦେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବିକ୍ଷିପ୍ତ ଅବିଭାଷଣ ରଖି କହିଥିଲେ ଯେ ନିର୍ମାଣ ଶ୍ରମିକମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ବାର୍ଷିକ ନବୀକରଣ, ବିଭିନ୍ନ ପ୍ରକାରର ସହାୟତା ରାଶି ପାଇବା ପାଇଁ ସଚେତନ ହେବା ଜରୁରୀ । ସେ ଆନ୍ତଃ ରାଜ୍ୟ ଶ୍ରମ ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ, ସର୍ବନିମ୍ନ ମଜୁରୀ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଦି ଉପରେ ଉପସ୍ଥିତ ଶ୍ରମିକ ଓ ବ୍ୟକ୍ତିବିଶେଷମାନଙ୍କୁ ତଥ୍ୟ ଭିତିକ ସୂଚନା ପ୍ରଦାନ କରିଥିଲେ । ଏଥିସହିତ ସେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ ଯୋଗ ଦେଇ ବିଭିନ୍ନ ଶ୍ରମ ଆଇନ ସଂର୍ପକରେ ଆଲୋକପାତ କରିଥିଲେ । ଏଥିରେ ଦାନଗଦି ପଂଚାୟତ ସମିତି ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣି, ସୁକିନ୍ଦା ପଂଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଅମଳରେ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ଦିଆଯାଉଥିବା ସହାୟତା ଅତ୍ୟନ୍ତ ଫଳପ୍ରଦ ବୋଲି ଅଭିହିତ କରିଥିଲେ । ସରକାରଙ୍କ ଏହି ଯୋଜନାରେ ବହୁ ଅଭାବୀ ଶ୍ରମିକ ଓ ସେମାନଙ୍କ ପିଲାଛୁଆମାନେ ଖୁବ୍ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ଅବଗତ ହେବା ଉଚିତ୍ । ଏହି ଅବସରରେ କେତେକ ନିର୍ମାଣ ଶ୍ରମିକ ଓ ଅଣ-ସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ବଂଟନ କରାଯାଇଥିଲା । ୫୩୨ଜଣ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କ ପିଲାମାନଙ୍କ ଶିକ୍ଷା ସହାୟତା ବାବଦରେ ମୋଟ ୪୫ଲକ୍ଷ ୦୮ହଜାର ୬୦୦ଟଙ୍କା, ୪୬୯ଜଣ ହିତାଧିକାରୀଙ୍କୁ ସେମାନଙ୍କ କନ୍ୟା ସନ୍ତାନଙ୍କ ବିବାହ ସହାୟତା ବାବଦରେ ୨୨ଲକ୍ଷ ୭୫ ହଜାର ଟଙ୍କା, ୧୮ଜଣଙ୍କୁ ୦୧ଲକ୍ଷ ୮୦ ହଜାର ଟଙ୍କା ପ୍ରସୁତିକାଳୀନ ସହାୟତା, ୧୯୬ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୦୩ କୋଟି ୭୦ଲକ୍ଷ ୫୦ ହଜାର ଟଙ୍କା ମୃତ୍ୟୁକାଳୀନ ଓ ୧୮୩ ଜଣଙ୍କୁ ଅନ୍ତେଷ୍ଟିକ୍ରିୟା ସମାପନ ସହାୟତା ବାବଦରେ ୯ଲକ୍ଷ ୧୫ହଜାର ଟଙ୍କା; ଏହିପରି ସର୍ବମୋଟ ୧,୩୯୮ ଜଣ ହିତାଧିକାରୀଙ୍କୁ ସର୍ବମୋଟ ୦୬କୋଟି ୫୩ଲକ୍ଷ ୨୮ହଜାର ୬୦୦ଟଙ୍କା ଆଜିର ଏହି ଶିବିର ଜରିଆରେ ବଂଟନ କରାଯାଇଥିଲା । ବିଶେଷକରି ଆର୍ନ୍ତଜାତିକ ସ୍ତରରେ ଚର୍ଚ୍ଚାରେ ଥିବା ଆଦିବାସୀ ଅଧିଷ୍ୟୁତ ସୁକିନ୍ଦା ବ୍ଲକର ‘ନଗଡ଼ା’ ଅଂଚଳର ବହୁ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଂଟନ ସହ କିଛି ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଯାଜପୁରରୋଡସ୍ଥିତ ଜିଲ୍ଲା ଶ୍ରମ ଦପ୍ତର ତରଫରୁ ବହୁ ପ୍ରଚେଷ୍ଟା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶ୍ରମ ଅଧିକାରୀ ସ୍ମୃତିରଂଜନ ପଣ୍ଡା, ସୈାମ୍ୟସୁନ୍ଦର ରାଉତରାୟ, ସୈାମ୍ୟରଂଜନ ବେହେରା, ରଚନା ସେଠୀ, କର୍ମଚାରୀ ନାରାୟଣ ନନ୍ଦ, କାହ୍ନୁ ଚରଣ ସାହୁ, ଦେବଶ୍ରୀ ପଣ୍ଡା, ମହେଶ ସୁନାନୀ, ପ୍ରକାଶ ଜେନା, ସନ୍ତୋଷ କୁମାର ନାୟକ, ଶଶିକାନ୍ତ ପ୍ରଧାନ, ରଶ୍ମିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରିଣୀ ସୁନନ୍ଦା ବିଶ୍ୱାଳ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବହୁ ଶ୍ରମିକ ନେତା, ସ୍ଥାନୀୟ ନେତା ଓ ସମାଜସେବୀ ଯଥା:-ଶୁଭାଶିଷ ଦାସମହାପାତ୍ର, ପ୍ରଦୀପ ନାୟକ, ପରମାନନ୍ଦ ସେଠୀ, ପ୍ରପୁଲ୍ଲ ନାୟକ, ଦୁଷ୍ମନ୍ତ କୁମାର ରାଉତ, ଅରୁଣ ଦାସ, ଉମାକାନ୍ତ ମହାପାତ୍ର, ଅଜୟ ସାହୁ, କରୁଣାକର ନାୟକ, ରବୀନ୍ଦ୍ର ମଣ୍ଡଳ, ଭାଗିରଥି ଦାସ, ପାକିଜା ବେଗମ, ରୁନୁ ଲାଲା ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ ଥିଲା ।
Nalco
Leave A Reply