ଭୁବନେଶ୍ୱର, ୫।୫ : ରାଜ୍ୟରେ କୋଭିଡ୍- ୧୯ର ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସ୍ୱୟଂ ସହାୟକଗୋଷ୍ଠୀ ପକ୍ଷରୁ ଯେଉଁ ମିଲ୍ ଯୋଗାଇ ଦିଆଯାଉଛି ସେଥିଲାଗି ମିଲ୍ ପିଛା ୨ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଗଞ୍ଜାମ, ଭଦ୍ରକ, ବଲାଙ୍ଗିର, କେନ୍ଦ୍ରାପଡା, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାରେ ଯେଉଁଠି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଓ ତତ୍ଜନିତ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ୍ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରରେ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।