Odisha news

କରୋନା ଠାରୁ ବଳି ଯାଉଛି ସୋସିଆଲ ମିଡ଼ିଆର ଡର “ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ୍ ଡିଜଅର୍ଡ଼ର’

0

ଡାକ୍ତର ସମ୍ରାଟ କର : ସେ ଦିନ ସକାଳୁ ଉଠି ଫ୍ରେସ୍ ହେବା ବେଳକୁ ସାଙ୍ଗ ବୈଜନ୍ତର ଫୋନଟି ପାଇଲି । ସେ ମୋତେ କହିଲା “ମୋ ମୋବାଇଲକୁ ଏହା ଭିତରେ ଅନେକ ସୂଚନା ଆସୁଛି । ଚାକିରୀ ଚାଲିଯିବ, ସେୟାର ବଜାରରେ ଲଗାଇଥିବା ପୁଞ୍ଜି ହରାଇ ବସିବ, ଆଉ କେତେବେଳେ କାନକୁହା କଥା ସବୁ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି । ମୋତେ ସତରେ ବନ୍ଧୁ ବହୁ ଭୟ ଲାଗୁଛି ।’ ମୁଁ ତାକୁ କହିଲି କରୋନା ଏ ପର୍ଯ୍ୟନ୍ତ ଭାରତରେ ୧,୧୮,୪୪୭ ଜଣଙ୍କୁ ଆକ୍ରାନ୍ତ କରିଥିବାବେଳେ ୩୫୮୩ ଜଣଙ୍କ ଜୀବନ ନେଇଛି । ସମଗ୍ର ବିଶ୍ୱରେ ଏହି ସଂଖ୍ୟା ୩,୩୬,୫୩୫ । କିନ୍ତୁ ମୁଖ୍ୟ କଥାଟି ହେଉଛି ଲୋକଙ୍କ ମନରେ ଏହି କରୋନା ଏପରି ଭୟ ସୃଷ୍ଟି କରିଛି ଯେ ଯେମିତି ଲକ୍ଷାଧିକ ଲୋକ ବୋଧହୁଏ ଜୀବନ ହାରିଲେଣି ।

ଚିକିତ୍ସା ବିଜ୍ଞାନ କହୁଛି ସତର୍କତା ଆପଣାଇବା ନିହାତି ଲୋଡ଼ା । କିନ୍ତୁ ଅତି ଭୟଭୀତ ହୋଇପଡ଼ିବା ଖରାପ ଲକ୍ଷଣ । ଆଉ ଗୋଟିଏ କଥା ହେଲା ଯେତେବେଳେ ଦିଲ୍ଲୀ ହେଉ ବା ସୁରଟ କରୋନା ପଜେଟିଭ ରୋଗୀଙ୍କୁ ଚିହ୍ନଟ କରାଗଲା ସେତେବେଳେ ଓଡ଼ିଶାରୁ ଯଦି କେହି ଉପରୋକ୍ତ ଜାଗାରେ ଚାକିରୀ କରୁଥିଲେ ସେମାନଙ୍କ ପରିବାର ଲୋକେ ଓଡ଼ିଶାକୁ ଫେରାଇବା ପାଇଁ ବ୍ୟବସ୍ଥା କରୁଥିଲେ । ଭାତ ହାଣ୍ଡିରୁ ଗୋଟିଏ ପରି । ଭୁବନେଶ୍ୱର ହେଉ ବା କଟକ । କରୋନା ପଜେଟିଭି ରୋଗୀଟି ଚିହ୍ନଟ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ ଉପରୋକ୍ତ ଜାଗାରେ ଚାକିରୀ କରୁଥିବା କିମ୍ବା ପାଠପଢ଼ୁଥିବା ନିଜ ପିଲାମାନଙ୍କୁ ଗାଁକୁ ଡକେଇ ନେଉଥିଲେ । ଦିନକୁ ଦିନ ଖବର ବଢ଼ିବାରେ ଲାଗିଛି ଯେ ଗୋଟିଏ ଗୋଟିଏ ସ୍ଥାନରେ କୌଣସି କରୋନା ସଂକ୍ରମିତ କ୍ଷେତ୍ର ହେଉ ବା ନ ହେଉ ସେହି ଗାଁଟିର ଲୋକକୁ ଗାଁରେ ପୁରାଇ ଦିଆଯାଉନାହିଁ । କିନ୍ତୁ ବାସ୍ତବ କଥା ହେଉଛି ଲୋକମାନଙ୍କ ଭିତରେ କରୋନାକୁ ନେଇ ଏକ ଏପରି ଅଜଣା ଭୟ ଧରିନେଇଛି ଯେ ଲୋକମାାନେ ନିଜ ମାନସିକତାକୁ ଠିକ୍ ସେ ରଖିପାରୁନାହାଁନ୍ତି ।

ଆମ ମାନଙ୍କ ବିଚାରରେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଯାହା ସଚେତନ କରାଯାଉଛି ତାହା ନିହାତି ଜରୁରୀ । କିନ୍ତୁ ଉଦ୍ବେଗର କଥା ହେଉଛି ହାତ ପାହାନ୍ତାରେ ଥିବା ସୋସିଆଲ ମିଡ଼ିଆରେ ଏବେ କରୋନାକୁ ନେଇ ଯିଏ ଯାହାପାରୁଛି ମନ ଇଛା ପ୍ରଚାର କରୁଛି । ବାସ୍ତବରେ ଅଧିକାଂଶ ଲୋକ ସୋସିଆଲ ମିଡ଼ିଆରେ କେବଳ ଏହି ବିଷୟକୁ ଜାଣିବା ପାଇଁ ଅତ୍ୟଧିକ ଆଗ୍ରହ ରଖୁଛନ୍ତି । ଯାହା ମଣିଷକୁ ମାନସିକ ସ୍ତରରେ ବେଶୀ ଦୁର୍ବଳ କରିଦେଉଛି । ଯାହାଫଳରେ ମଣିଷ ଭିତରେ ଆଙ୍ଗଜିଟ୍ ସିମ୍ପଟମ୍ ତଥା ଘାବେରେଇବାର ଲକ୍ଷଣମାନ ଦେଖାଦେଉଛି । ବେଶି ଦିନ ଏପରି ରହିଲେ ଏହା “ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ୍ ଡ଼ିଜଅର୍ଡ଼ର’ର ରୂପ ନେଇପାରେ । ଫଳରେ କରୋନା ହଟିଗଲା ପରେ ମଧ୍ୟ ଲୋକଙ୍କ ମନରେ ଏକ ଅଜଣା ଭୟ ଅନେକ ଦିନ ପର୍ଯ୍ୟନ୍ତ ବସା ବାନ୍ଧିବ । ବାରମ୍ବାର ସେଇ କଥା ମନେପଡ଼ିବ । ଏହା ବ୍ୟଗ୍ରତା ବଢ଼ାଇବ ।
ମଣିଷ ଅଧିକାଂଶ ସମୟରେ ସାମ୍ନା କରୁଥିବା ରୋଗ ଯଥା ଥଣ୍ଡା, ଛିଙ୍କ ବା ଜ୍ୱର କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ରୋଗ ଗୁଡ଼ିକ ଲୋକମାନଙ୍କ ଭିତରେ ଏକ ବଡ଼ ଭୟ ସୃଷ୍ଟି କଲାଣି ।

କିନ୍ତୁ ଜାଣିରଖିବା ଜରୁରୀ ଯେ ସବୁ ଫ୍ଲୁ କରୋନା ନୁହେଁ । ବର୍ଷକୁ ମଣିଷକୁ ହାରାହାରି ୩ରୁ ୪ଥର ଥଣ୍ଡାହୁଏ । ମାତ୍ର ଥଣ୍ଡା ହେବାମାତ୍ରେ ଡରି ନଯାଇ ଟେଷ୍ଟ କରିନେବା ନିତ୍ୟାନ୍ତ ଆବଶ୍ୟକ । ସେହିପରି ସାଇବର ପ୍ରଯୁକ୍ତିର ବିଶେଷଜ୍ଞ ମାନଙ୍କ ମତରେ ସୋସିଆଲ ମିଡ଼ିଆର ଇଣ୍ଟରନେଟ ବ୍ୟବସ୍ଥାକୁ ମନ୍ଥର କରିଦେବା ଉଚିତ । ଏହାଦ୍ୱାରା ଲୋକମାନେ ଯେଉଁ ଭାବରେ ଅତ୍ୟଧିକ ଆତଙ୍କିତ ହୋଇପଡ଼ିଥିଲେ ତାହାର ଅନେକ ପ୍ରତିଶତ ହ୍ରାସ ପାଇଯିବ । ସରକାର ଓ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ସତର୍କତାକୁ ଆପଣାଇ ପାରିଲେ କରୋନା ଠାରୁ ମୁକ୍ତି ମିଳିପାରିବ । ଯେଉଁମାନେ ବି ବାହାରୁ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କୁ ଚଉଦ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟିନ୍ ବା ସଙ୍ଗରୋଧରେ ଚଉଦ ଦିନ ପର୍ଯ୍ୟନ୍ତ ରଖାଯିବା ନିତାନ୍ତ ଆବଶ୍ୟକ । କ୍ୱାରାଣ୍ଟିନରେ ରହିବାର ଅର୍ଥ ନୁହେଁ ଯେ ସେମାନେ ମଧ୍ୟ କରୋନା ଆକ୍ରାନ୍ତ । ତେଣୁ ଏ ଚିନ୍ତାକୁ ପରିହାର କରିବା ଉଚିତ । ବାସ୍ତବ କଥା ହେଉଛି ପ୍ରକୃତି ବିରୁଦ୍ଧରେ ମଣିଷ ଲଢ଼େଇ କରିଚାଲିଛି । ଏହି ଭାଇରସ ଭଳି ମୂଳ ଶତ୍ରୁ ମାନଙ୍କୁ ଚିହ୍ନଟ ନକରି ଆମେ ପରସ୍ପର ଭିତରେ ଯୁଦ୍ଧରେ ମାତିଥିବା ବେଳେ ବର୍ତ୍ତମାନ ସମଗ୍ର ବିଶ୍ୱ ଏକାଠି ହୋଇ ଏହି ଭାଇରସ ରୂପୀ ଶତ୍ରୁ ମାନଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି । ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଏକ ସକରାତ୍ମକ ଓ ଭଲ ସଙ୍କେତ ।

ଏକ ଉଦାହରଣ ବଶତଃ କୁହାଯାଇପାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୩ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଏହାର ଅର୍ଥ ସଡ଼କକୁ ଓହ୍ଲାଇଲେ ମୃତୁ୍ୟର ଭୟ ରହୁଛି । ତାହାହେଲେ ଲୋକମାନେ କ’ଣ ସଡ଼ରେ ଯିବେ ନାହିଁ । ସେହିପରି ଘର ଭିତରେ ବି ପ୍ରତିବର୍ଷ ଦେଢ଼ଲକ୍ଷ ଲୋକଙ୍କର ଆତ୍ମହତ୍ୟା ଯୋଗୁଁ ପ୍ରାଣହାନୀ ଘଟୁଛି । କେତେକ କ୍ଷେତ୍ରରେ ଘର ଭିତରେ ବି ଅଶାନ୍ତିର ପରିଶେଷରେ ଜଣଙ୍କ ଜୀବନ ଯାଉଛି । ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ ନେଇ କରୋନା ଯେଉଁପରି ଆହ୍ୱାନ ସୃଷ୍ଟି କରିଛି ଏହାକୁ ସକାରାତ୍ମକ ଭାବେ ଚିନ୍ତା ନକରି ଅତ୍ୟଧିକ ଡରିବା ଦ୍ୱାରା ଏହା ମଣିଷ ମାନଙ୍କ ଭିତରେ ରୋଗ ସହ ଲଢ଼ୁଥିବା ଇମୁ୍ୟନ୍ ସିଷ୍ଟମକୁ ହ୍ରାସ କରିବ । ଜଣେ ଯେତେ ରୋଗଗ୍ରସ୍ତ ହେଉଥାଉନା କାହିଁକି ତାହାର ଦୃଢ଼ ଇଛାଶକ୍ତି ବେଳେ ବେଳେ ମଣିଷର ଇମୁ୍ୟନ୍ ସିଷ୍ଟମକୁ ମଜଭୁତ କରି ତାକୁ ବଞ୍ଚାଇ ଦିଏ । ତେଣୁ ଏ ସମୟରେ ମଣିଷ ମାନସିକ ସ୍ତରରେ ଯେତେ ସୁସ୍ଥ ଓ ଶାନ୍ତ ରହି ଆବଶ୍ୟକ ସତର୍କତାକୁ ଆପଣାଇବ ତାହା ପାଇଁ ଏହା ହିଁ ଶ୍ରେୟଷ୍କର ହେବ ।

Leave A Reply