ସାକ୍ଷୀଗୋପାଳ ତା ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର 1967 ମସିହାରେ ପୁରୀ ଜିଲ୍ଲାର କୃଷକ ମାନଙ୍କର ଉତ୍ପାଦିତ ଆଳୁ, ପିଆଜ, ଅଦା,କଞ୍ଚା ଲଙ୍କା ସମେତ ପନିପରିବା ସଂରକ୍ଷଣ ନିମନ୍ତେ ପୁରୀ ଜିଲ୍ଲାର କେନ୍ଦ୍ର ସ୍ଥଳ ସାତଶଂଖ ନିକଟରେ ସ୍ଥାପିତ ହୋଇଥିଲା l ଆବଶ୍ୟକତା ବୃଦ୍ଧି ପାଇବାରୁ 1982 ମସିହାରେ ଏହି ଶୀତଳ ଭଣ୍ଡାରର ନବୀକରଣ ଓ ସମ୍ପ୍ରସାରଣ କରାଯାଇଥିଲା l
ପୁରୀ ଜିଲ୍ଲାର ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ, ପିପିଲି, ନିମାପଡା, କାକଟପୁର, ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ ଓ କଣାସ ବ୍ଲକର 12,000 ରୁ ଉର୍ଦ୍ଧ୍ୱ କୃଷକ ଏହାର ସଦସ୍ୟ ରହିଛନ୍ତି l
2015 ମସିହାରେ ନିମାପଡା ଠାରେ ଏକ ନୂତନ ଶୀତଳ ଭଣ୍ଡାର ସ୍ଥାପନ କରାଗଲା l ନିମାପଡା, କାକଟପୁର, ଗୋପ ଓ ଅସ୍ତରଙ୍ଗ ବ୍ଲକର କୃଷକ ମାନେ ଏହି ନୂତନ ଶୀତଳ ଭଣ୍ଡାରର ସଦସ୍ୟ ହୋଇଗଲେ l
2019 ମାର୍ଚ୍ଚ ମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫନୀ ପ୍ରଭାବରେ ଏହି ଶୀତଳ ଭଣ୍ଡାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା l ମରାମତି ଓ ପୁନଃରୁଦ୍ଧାର କରା ନ ଯିବାରୁ ଏହା ଅଚଳ ହୋଇପଡିଛି l
ଏହି ବାତ୍ୟା ଫଳରେ 60 H P ମୋଟର ୨ ଗୋଟି, କମ୍ପ୍ରେସର ୨ ଗୋଟି,7.5 H P ପାଣି ମୋଟର ୨ ଗୋଟି,120 H P ଜେନେରେଟର ଓ 2 ଗୋଟି ଚାମ୍ବରର କାଠଚାଳି ନଷ୍ଟ ହୋଇଯାଇଛି l ଆଳୁ ରଖିବା ସ୍ଥାନ ନଷ୍ଟ ହୋଇଯାଇଛି l ଦୁଇ ଗୋଟି ଇମେର୍ଜେନ୍ସି ଡୋର, କୋଲଡ଼ ଚାମ୍ବର, କର୍ମଚାରୀଙ୍କ କ୍ଵାଟର ଓ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି l 14 ଲକ୍ଷ ଟଙ୍କାରେ ସୋଲ ଓ ତାରଜାଲି ଦିଆଯାଇ ସିମେଣ୍ଟ ପ୍ଲାଷ୍ଟର ହୋଇଅଛି l ମୂଷା ପଶିଗଲେ କାଟିକୁଟି ଏହାକୁ ନଷ୍ଟ କରିଦେବେ l ଏଥି ସହିତ 250 କେ ଭି ଟ୍ରାନ୍ସଫର୍ମର ମଧ୍ୟ ଅଚଳ ହୋଇପଡିଛି l
କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ରିହାତି ଦରରେ ବିହନ, ସାର ଓ ପୋକମରା ଔଷଧ ପ୍ରଦାନ କରୁଛନ୍ତି l ମାତ୍ର କୃଷକ ମାନଙ୍କ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିବା କଥା ଭୁଲି ଯାଇଛନ୍ତି l
ଏହି ଶୀତଳ ଭଣ୍ଡାରରେ ୩ ଜଣ ଅପରେଟର, ଜଣେ ୱାଚ ମ୍ୟାନ, ଜଣେ ଷ୍ଟୋର କିପର, ଜଣେ ଆକାଉଣ୍ଟାଣ୍ଟ ଓ ଜଣେ ପିଅନ କାର୍ଯ୍ୟରତ ଅଛନ୍ତି l ୩ ବର୍ଷ ହେଲାଣି ସେମାନଙ୍କୁ ଦରମା ମିଳିନାହିଁ l ଏହି କର୍ମଚାରୀ ଓ ସେମାନଙ୍କ ପରିବାର ଦୁଃଖରେ କାଳାତିପାତ କରୁଛନ୍ତି l
ଏହି ଶୀତଳ ଭଣ୍ଡାରର ବିଦ୍ୟୁତ ସଂଯୋଗ କମର୍ସିଆଲ ରହିଅଛି l ଫଳରେ ବିଦ୍ୟୁତ ବିଲ ଅଧିକ ହେଉଅଛି l ଏହାକୁ କୃଷି ଭିତ୍ତିକ ବିଦ୍ୟୁତ ସଂଯୋଗରେ ପରିଣତ କଲେ ବିଦ୍ୟୁତ ବିଲ ହ୍ରାସ ପାଇବ l ବର୍ତ୍ତମାନ ଏହି ଶୀତଳ ଭଣ୍ଡାର ଉପରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବାକି ରହିଅଛି l
ଏ ସମ୍ପର୍କରେ ଏହି ଶୀତଳ ଭଣ୍ଡାରର ପୂର୍ବତନ ସଭାପତି ଧରଣୀଧର ସାହୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା l ଏହି ଶୀତଳ ଭଣ୍ଡାରର ମରାମତି ନିମନ୍ତେ ଅନ୍ୟୁନ 50 ଲକ୍ଷ ଟଙ୍କା ଆବଶ୍ୟକ l ବିଦ୍ୟୁତ ବିଲକୁ କମର୍ସିଆଲରୁ ଏଗ୍ରିକଲଚରକୁ ପରିବର୍ତ୍ତନ ଆବଶ୍ୟକ l ଏଥି ସହିତ ଆନୁସଙ୍ଗିକ ସହାୟତା ପ୍ରଦାନ କଲେ ଏହି ଶୀତଳ ଭଣ୍ଡାର ପୁନର୍ବାର କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ପୂର୍ବତନ ସଭାପତି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ l