ବାରିପଦା : ଜନସାଧାରଣ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସେବା ସୁବିଧା ସୁନିଶ୍ଚିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୫ଟି ଉପକ୍ରମରେ ରୂପାନ୍ତରିତ ୯ଟି ସରକାରୀ ହସ୍ପିଟାଲ ମାନଙ୍କର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇତ୍ୟବସରରେ, ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ତଥା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଏବଂ ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦାଃ ପ୍ରମୁଖ ଯୋଗ ଦେଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ସଂଯୋଜନା, ପରିଚାଳନା ତଥା କାର୍ଯ୍ୟକାରିତା ଜିଲ୍ଲାପାଳ ଆଶିଷ ଠାକରେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଅଭୟ କୁମାର ଦାଶ ଏବଂ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶାନ୍ତନୁ କୁମାର ଦାଶ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଏନ୍ଏଚଏମ ପ୍ରଭୁ ପ୍ରତ୍ୟନ୍ତ ପତି କରିଥିଲେ । “ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରିତ ଜିଲ୍ଲାର ୯ଟି ଡ଼ାକ୍ତରଖାନା ଯଥା ବାରିପଦା ସ୍ଥିତ ମୁଖ୍ୟ ଡାକ୍ତରଖାନା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଉପଖଣ୍ଡ ଚିକିତ୍ସାଳୟ, ଶୀର୍ଷା, ବେତନଟୀ, କୋଷ୍ଠା, ବାଙ୍ଗିରିପୋଷି, ଯଶିପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ହୋଇଥିଲା । ଶୀର୍ଷା ଠାରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ଆମର ମେଡିକାଲ ମାନଙ୍କରେ ବହୁ ଉନ୍ନତ ମାନର ସେବା ମିଳୁଛି ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ରୂପାନ୍ତର ଘଟିଛି ବୋଲି ମତ ଦେଇଥିଲେ । ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ ଯେ, ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ । ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ । ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ଟି ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି । ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି । ଆଗାମୀ ୫ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଗତ ଏକ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି । ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଓଡିଶାରେ ମଡେଲ ହୋଇଛି । ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି, ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି, ଏହିପରି ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଧନ୍ୟବାଦ ଅର୍ପଣ କରିଥିଲେ ।