Odisha news

ପୁରୀ-ଖୋର୍ଦ୍ଧା-କଟକକୁ ଯୋଡ଼ିବ ମେଟ୍ରୋ , କଥା ଦେଇଥିଲି, ରଖିଲି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0

ଭୁବନେଶ୍ବର: ଆଜିର ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିନ ହୋଇ ରହିବ। ପରିବହନ କ୍ଷେତ୍ରରେ ବଡ଼ ରୂପାନ୍ତର ହେବ। ‘ମେଟ୍ରୋ ରେଳ’ ପାଇଁ ମୁଁ ଯେଉଁ କଥା ଦେଇଥିଲି, ତାହା ଆଜି ରଖିଲି। ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଳ ଯୋଜନା ଏହାକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କ ଆହୁରି ମଜଭୁତ ହେବ। ବାରଙ୍ଗ ରତାଗଡ଼ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିିଲେ ଯେ ବାଟରେ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି। ସେମାନଙ୍କ ଆନନ୍ଦ ମୋତେ ମଧ୍ୟ ବହୁତ ଖୁସି ଦେଇଛି। ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ବିକାଶର ରେଳ ଆପଣମାନଙ୍କ ସହଯୋଗରେ ଗତିଶୀଳ ହେଉ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଆଜି ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ଭିତ୍ତି ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୬ କି.ମି. ଦୀର୍ଘ  ଏହି ଲାଇନ୍‌ରେ ୨୦ଟି ଷ୍ଟେସନ ରହିବ। ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟ ସରକାର ଏହି ସମସ୍ତ ଖର୍ଚ୍ଚ ବହନ କରିବେ। ଓଡ଼ିଶା ଇତିହାସ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ଼ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତା’ ସହିତ ଏହି ମେଟ୍ରୋ ରେଳକୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାରଙ୍ଗ ରତାଗଡ଼ ପର୍ଯ୍ୟନ୍ତ ରୋଡ୍ ସୋ’ରେ ଯାଇଥିଲେ। ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଟରେ କ୍ୟାପିଟାଲ ହସ୍ପିଟାଲ, ୧୨୦ ବାଟାଲିୟନ, ଜୟଦେବ ବିହାର, ଜାଭିୟର, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ, କିଟ୍, ନନ୍ଦନବିହାର ଓ ରଘୁନାଥପୁର ଛକରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ବାରଙ୍ଗ ଓ ଫୁଲପୋଖରୀ ଛକରେ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇ ରତାଗଡ଼ରେ ପହଞ୍ଚି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ମେଟ୍ରୋ ରେଳ ପ୍ରକଳ୍ପର ଘୋଷଣା କରିଥିଲେ। ଅକ୍ଟୋବର ୨୯ରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୨୦୨୩ ନଭେମ୍ବର ୧୪ରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିଲା। ଅନୁମୋଦନ ମିଳିବାର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା‌। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ଓ ଭୁବନେଶ୍ୱର ମେଟ୍ରୋ ରେଲ୍‌ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ ଟେମ୍ପଲ ସିଟି ଭୁବନେଶ୍ୱରରୁ ପୁରୁଣା ରାଜଧାନୀ କଟକକୁ ମେଟ୍ରୋ ରେଳ ଚଳାଚଳ ପାଇଁ ରାଜ୍ୟବାସୀଙ୍କର ଯେଉଁ ସ୍ୱପ୍ନ ଥିଲା ତାହା ଆଜି ଏହି ପ୍ରକଳ୍ପ ମାଧ୍ୟମରେ ପୂରଣ ହେବାକୁ ଯାଉଛି। ଅନ୍ୟତମ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଏହି ପ୍ରକଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଥିଲେ, ଏହି ପ୍ରକଳ୍ପ ସହରରର ଟ୍ରାଫିକ୍ ସମସ୍ୟା ଦୂର କରିବା ସହ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବ।

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇ ଆଜିର ଦିନଟି ଓ ମୁଖ୍ୟମନ୍ତ୍ରୀଙ୍କ ନାଁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି କହିଥିଲେ। କଟକ ମେୟର ସୁବାସ ସିଂହ ଧନ୍ୟବାଦ ଦେଇଥିଲେ।

Govt
Leave A Reply