ଚନ୍ଦ୍ରଭାଗା ମାଘସପ୍ତମୀ ବୁଡରେ ତୀର୍ଥ ପୁଷ୍କରିଣୀରେ ୫ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ବୁଡ, ସୂର୍ଯ୍ୟ ଦର୍ଶନରେ ବାଧକ ସାଜିଲା ଘନ କୁହୁଡି।
ପ୍ରବେଶ ଶ୍ଲୁକ ଛାଡ ହେତୁ ସୂର୍ଯ୍ୟ ମନ୍ଦିରରେ ନାହିଁ ନ ଥିବା ଭିଡ।
କୋଣାର୍କ – ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଭୋର ୪ଘ ୩୪ମିନିଟ ସମୟରେ ୫ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ଘନ କୁହୁଡି ଯୋଗୁଁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସମାବେଶ ହୋଇଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ସୂର୍ଯ୍ୟ ଦର୍ଶନ କରିବାରୁ ବଂଚିତ ହୋଇଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାଧିପୁର ଗ୍ରାମର ମହାଦେବ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ମହାଦେବ ଐଶାଣେଶ୍ଵର ଓ କୁରୁଜଙ୍ଗ ଗ୍ରାମର ମହାଦେବ ଦକ୍ଷିଣେଶ୍ବର ପ୍ରମୁଖ ତ୍ରିଶମ୍ଭୁଙ୍କୁ ନିଜ ନିଜର ସେବାୟତ ମାନେ ଷଷ୍ଠୀ ରାତ୍ରି ୯ଘଟିକା ୩୦ ମିନିଟ ସମୟରେ ସୁସଜ୍ଜିତ ବିମାନରେ ବିଜେ କରାଇ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ। ପରେ ତିନି ଠାକୁର ତ୍ରିବେଣୀଶ୍ବର, ଐଶାଣେଶ୍ଵର ଓ ଦକ୍ଷିଣେଶ୍ବର ମହାଦେବଙ୍କୁ ନିଜ ନିଜର ପୀଠରୁ ବେହେରା ସେବକ ମାନେ ଉଜ୍ବଳ ଆଲୋକ ବ୍ୟବସ୍ଥା, ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗେ ବିରାଟ ପଟୁଆରରେ ଆସି କୋଣାର୍କ ଏନଏସି ଅଧିନସ୍ଥ ଭୋଗ ମଣ୍ଡପ ଠାରେ ରାତ୍ର ୧୨ଘ ୩୦ ମିନିଟ ସମୟରେ ପହଞ୍ଚିଥିଲେ। ସେଠାରେ ତିନି ଠାକୁର ଭୋଗ ମଣ୍ଡପ ଠାରେ ବିଜେ କରିବା ପରେ ଧାର୍ମିକ ରୀତିନୀତି ଓ ପରମ୍ପରାର ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କୋଣାର୍କ ଏନଏସି ପରିସରରେ ଆଧ୍ୟାତ୍ମିକ ଓ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାକାର ପରିବେଶକୁ ଭକ୍ତିପୂର୍ଣ୍ଣ କରିଦେଇଥିଲା। ପରେ ପରେ ତ୍ରିଶମ୍ଭୁଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇ କୋଣାର୍କ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ତ୍ରିଶମ୍ଭୁଙ୍କୁ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଭୋଗ ଲାଗି କରାଯାଇଥିଲା। ପରେ ପରେ କୋଣାର୍କ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଠାରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିବା ପରେ ଭୋଗ ଲାଗି କରାଯାଇଥିଲା। ପରେ ତିନି ଠାକୁରଙ୍କୁ ବେହେରା ସେବକ ମାନେ କାନ୍ଧରେ ବୋହି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
କୋଣାର୍କ ଡାକ ବଙ୍ଗଳା ଛକ ଠାରୁ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ସମୟରେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ଆତ୍ମ ବିଭୋର ହୋଇ ପଡିଥିଲେ। ଷଷ୍ଠୀ ରାତି ୩ଘଟିକା ସମୟରେ ମାଧିପୁର ଗ୍ରାମର ମହାଦେବ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ମହାଦେବ ଐଶାଣେଶ୍ଵର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ମହାଦେବ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଅବସ୍ଥାନ କରିଥିଲେ। ପୁଣ୍ୟ ତୋୟା ପ୍ରାଚୀନ ଚନ୍ଦ୍ରଭାଗା ନଦୀ ତଥା ବର୍ତ୍ତମାନର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ତ୍ରିଶମ୍ଭୁଙ୍କ ପୂଜକ ମାନେ ପବିତ୍ର ଜଳ ଆଣିବା ପରେ ବାବା ତ୍ରିବେଣୀଶ୍ବର, ବାବା ଐଶାନେଶ୍ୱର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କୁ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରାଯିବା ପରେ ତିନି ଠାକୁରଙ୍କ ପୁଣ୍ୟ ପବିତ୍ର ଜଳକୁ ତୀର୍ଥ ପୁଷ୍କରିଣୀରେ ପକାଯାଇଥିଲା। ଏହା ପରେ ତିନି ଠାକୁରଙ୍କ ସେବାୟତ ଓ ସାଧୁ ସନ୍ଥ ମାନେ ସ୍ନାନ କରିଥିଲେ। ପରେ ପରେ ଓଡିଶା ତଥା ଓଡିଶା ବାହାରୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ନାରାୟଣଙ୍କ ଉପାସନା କରି ଜଳ ଅର୍ପଣ କରିଥିଲେ। ପରେ ପରେ ଶ୍ରଦ୍ଧାଳୁ ଭକ୍ତମାନେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସମବେତ ହୋଇ ସୂର୍ଯ୍ୟ ଦର୍ଶନ ପାଇଁ ଏକତ୍ରୀତ ହୋଇଥିଲେ। ମାତ୍ର ଘନ କୁହୁଡି ଯୋଗୁଁ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କରିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ବଂଚିତ ହୋଇଥିବା ଦେଖିବାକୁ ମିଳିଥିଲା। ପବିତ୍ର ମାଘସପ୍ତମୀ ଅବସରରେ ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ସ୍ନାନ କାମ ଓ ସୂର୍ଯ୍ୟ ପୂଜା ସାରି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ଥିବାରୁ ସୂର୍ଯ୍ୟ ମନ୍ଦିର ଲୋକାରଣ୍ୟ ହୋଇଥିବା ବେଳେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ପରିବାରର ରିଷ୍ଟ ଖଣ୍ଡନ ଓ ଗ୍ରହ ଶାନ୍ତି ନିମନ୍ତେ ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ।
ନବଗ୍ରହ ପୀଠରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଗ୍ରହ ପୂଜା ଓ ହୋମଯଜ୍ଞ ଆଦି କାର୍ଯ୍ୟ ନିମନ୍ତେ ବ୍ଯାରିକେଟ ବ୍ୟବସ୍ଥା କରାଯାଇଥିଲା। ପବିତ୍ର ମାଘସପ୍ତମୀ ବୁଡ ନିମନ୍ତେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଣ ନିମନ୍ତେ ଓ୍ବାଟକୋ ପକ୍ଷରୁ ୫୦ଗୋଟି ନଳକୂପ, ୬୦ ଗୋଟି ଅସ୍ଥାୟୀ ଷ୍ଟାଣ୍ଡ ପୋଷ୍ଟ ସହ ଟ୍ଯାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା। ସେହିପରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ କୋଣାର୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୧୦ ଗୋଟି ଅସ୍ଥାୟୀ ପାଇଖାନା ନିର୍ମାଣ ସହ ଜଳ ଯୋଗାଣ ବ୍ୟବସ୍ଥା ସଂପାଦନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପବିତ୍ର ମାଘସପ୍ତମୀ ବୁଡ ଅବସରରେ ହଜିଲା ଖୋଜିଲା ମଂଚ କରାଯିବା ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗ ବହି ଶ୍ରଦ୍ଧାଳୁ ଓ ଜନସାଧାରଣ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଅହୋରାତ୍ର ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମେଳା ପଡିଆରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର କରି ଔଷଧ ବିତରଣ କରାଯାଇଥିଲା ବେଳେ କୋଣାର୍କ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସେବା କାର୍ଯ୍ୟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ସ୍ବେଚ୍ଛାସେବୀ ସମନ୍ଵୟ କମିଟି ସଂଯୋଜକ ତଥା ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ୩୦୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା କାର୍ଯ୍ୟ ସଂପାଦନ କରାଯାଇଥିଲା। ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଶୃଙ୍ଖଳିତ ଭାବେ ସଂପାଦିତ ହୋଇଛି।
ଏହି ପରିପ୍ରେକ୍ଷୀରେ ପୁରୀ ଏସପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, କୋଣାର୍କ ତଥା ଆଖପାଖ ଅଞ୍ଚଳରେ ୩୪ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ପୁରୀ ଉପଜିଲ୍ଲାପାଳ ଗୋପିନାଥ କୁଅଁର, ଗୋପ ତହସିଲଦାର ରଞ୍ଜନ କୁମାର ପରିଡା, ଗୋପ ବିଡିଓ ଛବିରାଣୀ ସାହୁ, କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, କାକଟପୁର ବ୍ଲକ ବିଡିଓ ବିଷ୍ଣୁ ଗୋବିନ୍ଦ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ, ନିମାପଡ଼ା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଓ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।