Odisha news

୭ଶହ ବର୍ଷର ପୁରୁଣା ଛତିଆ ରାଜଦୋଳ ମେଳଣ ଉଦଯାପିତ

0
ଚଣ୍ଡିଖୋଲ ; ଯାଜପୁର ଜିଲ୍ଲାର ୭ଶହ ବର୍ଷର ସର୍ବ ପୂରାତନ ଛତିଆ ରାଜଦୋଳ ମେଳନ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି! ଏହି ମିଳନ ଉତ୍ସବରେ ଚଳିତ ବର୍ଷ ୩୯ଟି ସୁସଜ୍ଜିତ ବିମାନ ଯୋଗ ଦେଇଥିଲେ! ଗତ ୧୭୩୩ ମସିହାରୁ ଅଭିଭକ୍ତ କଟକ ଜିଲ୍ଲା ତଥା ଅଧୁନା ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଠାରେ ଏହା ଆରମ୍ଭ ହୋଇଥିଲା! ସେତେବେଳେ କଟକ ଜିଲ୍ଲା ତଥା ଏବେ ଏହା ଯାଜପୁର ଜିଲ୍ଲାର ପ୍ରଥମ ତଥା ସର୍ବ ପୁରାତନ ଦୋଳ ମେଳଣ ବୋଲି କୁହାଯାଉଛି ! ଛତିଆ ଠାରୁ ହିଁ ଜିଲ୍ଲାର ମେଳଣ ଉତ୍ସବର ପ୍ରତିବର୍ଷ ଶୁଭାରମ୍ଭ ହୋଇଥାଏ ! ଛତିଆର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ଅମରେଶ୍ୱର ମହାଦେବଙ୍କ ବିଜେ ସ୍ଥଳୀରେ ଏହି ମେଳଣ ଉତ୍ସଵ ଅନୁଷ୍ଠିତ ହୋଇଆସୁଛି ! ପବିତ୍ର ଜାଗର ଅମାବାସ୍ୟା ଦିବସରେ ପୂଜାର୍ଚ୍ଚନା କରାଯାଇ ପରେ ଏଠାରେ ଗୁଆ ବସଯାଇ ଥାଏ ! ଏହା ପରେ ମହାଦେବଙ୍କ ପକ୍ଷରୁ ସମସ୍ତ ଜିୟୁ ମାନଙ୍କ ପାଖକୁ ମେଳଣ ପାଇଁ ନିମନ୍ତ୍ରଣ ପଠାଯାଇ ମେଳଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ !  ସୂଚନା ମୁତାବକ ଦର୍ପଣଗଡ଼ ରାଜା ଗୁଲଜାର ହୋସେନଙ୍କ ସମୟରୁ ଏହି ମେଳଣ ପ୍ରଚଳିତ ହୋଇ ଆସୁଛି! ପରମ୍ପରା ଅନୁଯାୟୀ ମେଳଣର ଥାନପତୀ ବିମାନଭାବେ କଟକ ଜିଲ୍ଲାର ନହରା ମଠ ବିମାନ ପ୍ରଥମେ ମେଳନ ସ୍ଥଳରେ ପହଞ୍ଚି ପୂଜା ପାଇଥିଲେ! ପରେ ହଜାରେ ବର୍ଷର ପୁରୁଣା ନହରା ମଠ ବିମାନ ଓ ସୂଚନା ଅନୁଯାୟୀ ୧୭୩୩ ମସିହାରୁ ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ଅନ୍ତର୍ଗତ ଶଶିଲୋ ଗ୍ରାମର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଜିୟୁ ସୁସଜ୍ଜିତ ବିମାନରେ ବସି ଏହି ମେଳଣରେ ଯୋଗଦେଇ ଥିଲେ! ଏଥିସହ ୧୮୬୫ ମସିହାରୁ ଏହି ମେଳନରେ ଯୋଗଦେଇ ଆସୁଥିବା କଟକ ଜିଲ୍ଲା ମାହାଙ୍ଗା ବ୍ଳକ ଭେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଜିୟୁ ଠାକୁର ମଧ୍ୟ ଏହି ମେଳଣ ଉତ୍ସବରେ ଯୋଗଦେଇଥିଲେ! ପରେପରେ ଅନ୍ୟ ବିମାନ ଗୁଡିକ ମେଳନ ସ୍ଥଳରେ ପହଞ୍ଚି ଥିଲେ ! ବିମାନର ସମସ୍ତ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା! ମେଳଣ କମିଟି ଆବାହକ ମିହିର ପ୍ରତାପ ଦାସ,ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ ପ୍ରମୁଖ ମେଳନ ଉତ୍ସବକୁ ସଞ୍ଚାଳନ କରିଥିଲେ! ଛତିଆ ରାଜ ଦୋଳ ମେଳଣର ପ୍ରଚଳିତ ପରମ୍ପରା ଅନୁଯାୟୀ ମେଳଣରେ ସାମିଲ ହେଉଥିବା ବିମାନକୁ ଦକ୍ଷିଣା ସ୍ୱରୂପ ମାତ୍ର ଗୋଟିଏ ଟଙ୍କା ପ୍ରଦାନ କରାଯାଉଥିଲା ! ହେଲେ ଏବେ କମିଟି ପକ୍ଷରୁ ପ୍ରତି ବିମାନକୁ ଦଶ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି ! ୨୦ ତାରିଖ ରାତି ଠାରୁ ଏହି ମେଳଣ ଉତ୍ସବ ଆରମ୍ଭ ହୋଇ ୨୧ ତାରିଖ ଦିନ ଗୋଟାଏରେ ଶେଷ ହୋଇଥିଲା! । ମେଳଣ ଉତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଏଠାରେ ୫ ଦିନିଆ ହସ୍ତଶିଳ୍ପ ପ୍ରଦର୍ଶନୀ,ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ! ହସ୍ତଶିଳ୍ପ ପ୍ରଦର୍ଶନୀରେ କୋରାପୁଟ, କଟକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ସମେତ ୧୨ ଟି ଜିଲ୍ଲାରୁ ହସ୍ତଶିଳ୍ପୀ ମାନେ ଏଠାରେ ଶହେରୁ ଅଧିକ ପ୍ରଦର୍ଶନୀ ଷ୍ଟଲ ପକାଇଛନ୍ତି !
Leave A Reply