Odisha news

ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ ଏକର ସରକାରୀ ଜମି ମାଫିଆଙ୍କ କବଜାରେ :  ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

0
ଚଣ୍ଡିଖୋଲ,୨୦/୩ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଜେନାପୁର ଓ ଧର୍ମଶାଳା ଥାନା ଅଧିନରେ ଥିବା ଶହଶହ ଏକର ସରକାରୀ ଅନାବାଦୀ ,ଗୋଚର ଓ ଜଙ୍ଗଲ କିଶମ ଜମି ଏବେ ମାଫିଆଙ୍କ ଜବରଦଖଲକୁ ଚାଲିଯାଉଛି! ନୂଆନୂଆ ଆଳକରି ପ୍ରତିଦିନ ରାସ୍ତା ପାର୍ଶ୍ଵରେ ଥିବା ମୂଲ୍ୟବାନ ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେଉଥିବା ଦେଖାଯାଉଛି! ପ୍ରଥମେ ଏହି ସରକାରୀ ମୂଲ୍ୟବାନ ଜମି ଜବର ଦଖଲ କରିବା ପରେ ତାଉପରେ ସମ୍ପୂର୍ଣ୍ଣ ବେଆଇନଭାବେ ତାରବାଡ ବା ପ୍ରାଚିର ବୁଲାଇ ନିଜର ସ୍ଥିତିବାନ ସତ୍ୱପରି ଦଖଲ କରିଛନ୍ତି! କେତେକ ସ୍ଥାନରେ ଜଣେ ଜଣେ ବ୍ୟକ୍ତି ୫ରୁ ୧୦ ଏକର ପର୍ଯ୍ୟନ୍ତ ରାସ୍ତାକଡର ମୂଲ୍ୟବାନ ସରକାରୀ ଜମିକୁ ଦଖଲକରି ସେଥିରେ ଘରଦ୍ୱାର ଓ ବ୍ୟବସାୟ କରିଛନ୍ତି! ଦିନକୁ ଦିନ ଜମି ମାଫିଆଙ୍କ ପ୍ରାଦୁର୍ଭାବ ବଢି ବଢ଼ି ଚାଲିଥିଲେ ମଧ୍ୟ ଜିଲ୍ଲା ଓ ତହସିଲ ପ୍ରଶାସନ ସବୁଦେଖି ନିରବଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି! ଉକ୍ତ ତହସିଲ ଅନ୍ତର୍ଗତ ବିଛାଖଣ୍ଡି ,ବଳରାମପୁର,କୁସୁନପୁର, ଅଞ୍ଜିରା, ସୁକୁଟିଝର , ଚକ ତେଲିପୋଖରୀ, ପୁରୁଣାବଉଳମାଳ, ନୁଣିବର, ବାରମାଣ, ବରଡା , ଡଙ୍କାରୀ, ରାହାଡପୁର, ମହିଶରା, ଓସରା, ପୋବଳ, ମାଣ୍ଡିଆ, ପାଖର , ଆରୁହା , ହରିଦାସପୁର, ସୁଭଦ୍ରାପୁର, ନେଉଳପୁର, ଜାରକା, ନାକପୋଲ, ଗଡମଧୁପୁର ପ୍ରଭୃତି ରାଜସ୍ୱମୌଜରୁ ବ୍ୟାପକ ସରକାରୀ ଜମିକୁ ମାଫିଆମାନେ ଅକ୍ତିଆର କରିଛନ୍ତି! ଏ ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ସବୁ ଜାଣି ଅଜଣା ପାଲଟିଛି!  ଗୋଚର ,ଅନାବାଦୀ ଜଙ୍ଗଲ କିସମ ଜମି ସହ ମଶାଣି ଓ ଦାଣ୍ଡି କିସମ ଜମିକୁ କେତେକ ବ୍ୟକ୍ତି ଜବର ଦଖଲକୁ ନେଇଥିବା ଦେଖାଯାଇଛି!  ଜମି ମାଫିଆ ମାନେ ଧର୍ମଶାଳା ତହସିଲ ସହିତ ଭିତିରି ବୁଝାମଣା କରି ଏପରି ବେଆଇନ କାର୍ଯ୍ୟ ଯାରୀ ରଖିଥିବା ଲୋକେ ଅଭିଯୋଗ କରିଛନ୍ତି! ସରକାରୀ ଜମି ଜବରଦଖଲ କରିବା ପରେ କେତେକ ଜମି ମାଫିଆ ଜାଲକାଗଜ ପତ୍ର ଦର୍ଶାଇ ଧର୍ମଶାଳା ତହସିଲରେ ମୋଟା ଅଙ୍କର ଲାଞ୍ଚ କାରବାର କରି ନିଜ ନାମରେ ସରକାରୀ ଜମିକୁ ନିଜ ନାମରେ ରେକର୍ଡ କରାଇବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି! କେତେକ ସରକାରୀ ଜମିକୁ ରେକର୍ଡ କରିବା ପାଇଁ ମଧୁପୁରଗଡ,ବଳରାମପୁରଗଡ ଓ ଦର୍ପଣଗଡ ରାଜାଙ୍କ ପୁରୁଣା ନକଲି ହାତପଟ୍ଟା ବ୍ୟବହାର କରୁଥିବା ଜଣାପଡିଛି!  ଏହି ବେଆଇନ କାମରେ ରାଜସ୍ୱ ବିଭାଗ ଓ ତହସିଲର କେତେକ ଅଧିକାରୀ ଓ କର୍ମଚାରୀ ସଂପୃକ୍ତ ଥିବା ଆଲୋଚନା ହେଉଛି!  ଏଠାରେ ସୂଚନା ଯୋଗ୍ୟ ଯେ,ଧର୍ମଶାଳା ତହସିଲ ଅଞ୍ଚଳରେ ଅନେକ ଗ୍ରାମରେ ଗରିବ ଖଟିଖିଆ ସାଧାରଣ ଲୋକ ଏବଂ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ଲୋକମାନେ ଘରଡିହ  ପାଇଁ ଗୁଣ୍ଠେ ଜମି ପାଉ ନଥିବା ସ୍ତଳେ ମାଫିଆମାନେ ଶହଶହ ଏକର ଜମି ହଡପ କରୁଥିବା ଦେଖାଯାଉଛି! ଏହି କୋଟିକୋଟି ଟଙ୍କାର ଜମି ଦୁର୍ନୀତିକୁ ରୋକିବା ତଥା ଜବର ଦଖଲ ହୋଇଥିବା ସରକାରୀ ଜମିକୁ ପୁନର୍ବାର ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଏହା।ଉପରେ ଉଚ୍ଚ ସ୍ଥରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି!
Leave A Reply