ଚଣ୍ଡିଖୋଲ : ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବଡ଼ଚଣାରେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି । ତେବେ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ନଥିବାରୁ ତାହା ଏହି ଜଳମଗ୍ନ ହେବାର ମୁଖ୍ୟ କାରଣ ପାଲଟିଛି । ଏହି ଆଧାରରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା, କୁନ୍ଦଳ ଓ ଅରଖପୁର ପଂଚାୟତର ୧୫ ଜହାର ଉର୍ଦ୍ଧ ଚାଷୀଙ୍କ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ମହାଦେଇପୁର ସୁଇସ ଗେଟ୍ ଏବେ ଦୁଃଖର କାରଣ ପାଲଟିଛି । ଏହି ସୁଇସ ଗେଟ୍ରେ ଉଦ୍ବୃତ ଜଳ ନିଷ୍କାସନ ହୋଇପାରିନଥିବାରୁ ତାହା ଚାଷୀମାନଙ୍କ ଚାଷ ଜମିକୁ ବୁଡ଼ାଇ ରଖୁଛି । ଫଳରେ ଆଜକୁ ୧୦ ବର୍ଷ ହେବ ଏହି ଅଂଚଳର ଚାଷୀମାନେ ନିଜର ବେଉସା ହରାଉଛନ୍ତି । ଉପରୋକ୍ତ ତିନି ଗୋଟି ପଂଚାୟତ ଦେଇ ବହିଯାଇଛି କାଣି ନଦୀ । ଯାଜପୁର ଡ୍ରେନେଜ୍ ଡ଼ିଭିଜନ ଅଧିନରେ ଏହି କାଣି ନଦୀ ରହିଛି ।
ଏହି କାଣି ନଦୀର ଜଳ ମହାଦେଇପୁର ସୁଇସ ଗେଟ୍ ଦେଇ ବଡ଼ ଗେଙ୍ଗୁଟି ନଦୀକୁ ନିଷ୍କାସିତ ହୋଇଥାଏ । ଗତ କିଛି ବର୍ଷ ଧରି ସୁଇସ ଗେଟ୍ଟି ଅଚଳ ହୋଇଯିବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁ ନାହିଁ । ଅରଖପୁର ପଂଚାୟତର ଏକ ପାଟ ମଧ୍ୟରୁ ଅରଖପୁର, କୁନ୍ଦଳ ଦେଇ ଅଣକା ପଂଚାୟତର ମହାଦେଇପୁର ଦେଇ ବଡ଼ ଗେଙ୍ଗୁଟି ନଦୀକୁ ପଡ଼ିଛି । ୨୦୧୧ ମସିହାରୁ ଏହି ପାଟନାଳି ସଫେଇ ହୋଇପାରୁ ନାହିଁ । ଚାଷ ଜମି ଓ ଗ୍ରାମାଂଚଳରୁ ଆସୁଥିବା ଉଦ୍ବୃତ ଜଳ ରାଶି ଏହି କାଣି ନଦୀ ଦେଇ ବହିଯାଇଥାଏ । ଏପରିକି ଶୀତ ଓ ଗ୍ରୀଷ୍ମ ଋତୁରେ ସମ୍ପୁକ୍ତ କାଣି ନଦୀର ଜଳରେ ବ୍ୟାପକ ପରିମାଣର ପନି ପରିବା ଚାଷ ହୋଇଥାଏ । ତେବେ କାଣି ନଦୀ ସଫେଇ ନହେବା ଦ୍ୱାରା ପନିପରିବା ଓ ଡ଼ାଲି ଜାତୀୟ ଚାଷ ହୋଇପାରୁ ନାହିଁ । ଅତୀତରେ ଏହି ଅଂଚଳରେ ବର୍ଷା ଋତୁରେ ବ୍ୟାପକ ନଳିତା ଚାଷ ହେଉଥିଲା । ପାଟ ନାଳି ସଫେଇ ନହେବା ଦ୍ୱାରା ଧିରେ ଧିରେ ନଳିତା ଚାଷ ବୁଡ଼ିବାକୁ ବସିଲାଣି ।
ଏହା ସହ ସୁଇସ ଗେଟ ଅଚଳ ଯୋଗୁ ଧାନ ଚାଷ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଚଳିତ ବର୍ଷ ଏହି ତିନି ଗୋଟି ପଂଚାୟତରେ ୨ଶହ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିଲା ବେଳେ ପାଣି ନିଷ୍କାସନ ନହୋଇପାରିବା ଦ୍ୱାରା ଶହ ଶହ ଏକର ଧାନ ଚାଷ ବୁଡ଼ିଯାଇଛି । ଗତ ୧୬ ତାରିଖରୁ ହୋଇଥିବା ଲଗାଣ ବର୍ଷା ଓ ପରେ ୨୫ ତାରିଖରୁ ପୁର୍ନବାର ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ସମ୍ପୁର୍ଣ୍ଣ ଚାଷ ଜମି ପାଣିରେ ବୁଡ଼ିକି ରହିିଛି ।
ତୁରନ୍ତ ଏହି ପାଟ ନାଳିର ପୁର୍ନରଉଦ୍ଧାର ଓ ମହାଦେଇପୁର ସୁଇସ ଗେଟର ମରାମତି ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଏ ସମ୍ପର୍କରେ ଡ୍ରେନେଜ୍ ଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟରଂଜନ ବେହେରାଙ୍କୁ ପଚାରିବାରେ ଦୀର୍ଘ ୧୦ବର୍ଷ ତଳୁ ଉଦ୍ୟମ ହୋଇଥିଲେ ମଧ୍ୟ ସେଠାରେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ସୁଇସ ଗେଟ୍ କାମ ଓ ନାଳ ସଫେଇ କାମ ହୋଇପାରୁ ନାହିଁ । ଜମି ମାଲିକମାନେ ରାଜି ହେଲେ ଖୁବ୍ ଶିଘ୍ର କାମ ଆରମ୍ବ ହୋଇପାରିବ ବୋଲି ସେ କହିଥିଲେ ।