ଚଣ୍ଡିଖୋଲ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଠାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ)ର ୧୨୭ ବାଟାଲିୟନରେ କାର୍ଯ୍ୟରତ ସହୀଦ ବୀର ଯବାନ ତୁଷାରରଞ୍ଜନ ଦାସଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ନିଜ ଜନ୍ମମାଟି ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡବାଲିକୁଦା ଗ୍ରାମରେ! ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଅତିବ ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା! ତୁଷାରଙ୍କ ମରଶରୀର ଯାଜପୁର ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲାର ପ୍ରବେଶ ଦ୍ୱାର ଛତିଆଠାରୁ ତାଙ୍କ ଜନ୍ମମାଟି ପର୍ଯ୍ୟନ୍ତ ସବୁ ସ୍ଥାନରେ ଶହଶହ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ! ଏପରିକି ତାଙ୍କ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲହୋଇ ନିଜମାଟିର ପୁଅ ସହୀଦ ବୀର ଯବାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ! ଫଳରେ ସମଗ୍ର ଅଞ୍ଚଳ ଶୋକମୟ ହୋଇ ପଡିଥିଲା! ଭଗବାନପୁର ଠାରୁ ବିରାଟ ପଟୁଆରରେ ତାଙ୍କ ଶବଶୋଭାଯାତ୍ରା ତାଙ୍କ ନିଜ ଗାଁ ବଡବାଲିକୁଦା ଯାଉଥିଲା ବେଳେ ସବୁ ବର୍ଗର ଲୋକେ ସେଥିରେ ସାମିଲ ହୋଇଥିଲେ!
ସ୍ୱର୍ଗତ ତୁଷାର କେନ୍ଦୀୟ ରିଜର୍ଭ ପୁଲିସ ବାହିନୀରେ ଜଣେ ଯବାନ ଭାବେ ଗତ ୨୦୧୮ ମସିହାରେ ଯୋଗ ଦେଇଥିଲେ ଓ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଠାରେ ୧୨୭ ବାଟାଲିୟନରେ କାର୍ଯ୍ୟରତ ଥିଲେ ! ସେଠାରେ ସେ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ୍ ଜନିତ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା! ସେ ଚଳିତ ମାସ ୧୦ ତାରିଖ ଦିନ ସାବିତ୍ରୀ ଓଷା ପାଇଁ ଘରକୁ ଆସିଥାନ୍ତେ! ସେଥିପାଇଁ ମଧ୍ୟ ତାଙ୍କୁ ଛୁଟି ମିଳି ସାରିଥିଲା ! ହେଲେ ବିଡମ୍ବନାର ବିଷୟ ତାଙ୍କର ମରଶରୀର ସାବିତ୍ରୀ ଓଷା ପୂର୍ବରୁ ତାଙ୍କ ଘରେ ପହଞ୍ଚିବା ସାର ହେଲା! ସ୍ୱର୍ଗତ ତୁଷାର ଵାପା କଳ୍ପତରୁ ଦାସ ଓ ମା’ମେନକା ଙ୍କର ସାନ ପୁଅ ଥିଲେ ! ୨୦୨୨ ମସିହା ଜୁଲାଇ ମାସରେ ତାଙ୍କର ବିବାହ ହୋଇ ଥିଲା ! ତାଙ୍କ ସହଧର୍ମିଣୀଙ୍କର ମଧ୍ୟ ଏହା ପ୍ରଥମ ସାବିତ୍ରୀ ଓଷା ଥିଲା ! ତୁଷାର ବହୁତ ମେଳାପୀ ଓ ଶାନ୍ତ ସ୍ଵଭାଵର ଯୁବକ ଥିବାରୁ ସମଗ୍ର ଅଞ୍ଚଳରେ ସେ ସଭିଙ୍କ ପ୍ରିୟପାତ୍ର ଥିଲେ! ଗାଁରେ ମରଶରୀର ପହଞ୍ଚିବା ପରେ ବିଧି ଅନୁଯାଇ ତୋପ ସଲାମୀ ଦିଆଯାଇ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା! ତାଙ୍କ ଭାଇ ମୁଖାଗ୍ନି ଦେଇଥିଲେ! ବିଜେପି ନେତା ଅମର ନାୟକ, ବଡଚଣା ବିଜେଡି ସଭାପତି ଅରବିନ୍ଦ ସାମଲ,ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ଦର୍ପଣ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ, ଥାନା ଅଧିକାରୀ ପ୍ରଦୀପ କାନୁନଗୋଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ!