Odisha news

ଲକଡାଉନ ପ୍ରଭାବରେ ରାଜ୍ୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ : ବିଜେପି ରକ୍ତଦାନ ଶିବିର ମାଧ୍ୟମରେ ରାଜ୍ୟରେ ୧୦୫୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ

0

ଭୂବନେଶ୍ୱର : ‘ରକ୍ତ ଦାନ, ମହା ପୂଣ୍ୟ’ । ବୈଶ୍ୱିକ ମହାମାରୀ କରୋନା ଭୂତାଣୁଜନିତ ଲକଡାଉନ କାରଣରୁ ସାଧାରଣ ସ୍ୱାସ୍ଥ୍ୟ ସେବା ବହୁ ବାଧାପ୍ରାପ୍ତ ହୋଇଛି । ବିଶେଷ ଭାବେ ସ୍ୱାସ୍ଥ୍ୟସେବାରେ ନିହାତି ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ ରକ୍ତର ଡାକ୍ତରଖାନାମାନଙ୍କରେ ଘୋର ଅଭାବ ପରିଲକ୍ଷିତ ହେଉଛି । ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଗ୍ରହଣ କରି ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ଶ୍ରୀମତୀ ପୁନମ ମହାଜନଙ୍କ ଆହ୍ୱାନକ୍ରମେ ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ଏବଂ ଲକ୍ଡାଉନ୍ ନିୟମକୁ ପାଳନ କରି ରକ୍ତଦାନ ଶିବିରର ଆୟୋଜନ କରୁଛନ୍ତି । ଯୁବମୋର୍ଚ୍ଚା ତରଫରୁ ରାଜ୍ୟରେ ଏକ ହେଲ୍ପ ଲାଇନ ନମ୍ବର ୭୮୭୮୬୯୨୦୨୦ ଖୋଲାଯାଇ ଏହି ମହାନ କାର୍ଯ୍ୟକ୍ରମରେ ଯୋଡି ହେବା ଯୁବକ ଯୁବତୀମାନଙ୍କୁ ଅନୁରୋଧ କରାଯାଇଛି ।

ରାଜଧାନୀ ଭୂବନେଶ୍ୱର ସମେତ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବରଗଡ ସମେତ ରାଜ୍ୟର ବିଭନ୍ନ ସ୍ଥାନମାନଙ୍କରେ ରକ୍ତଦାନ ଶିବିର ମାଧ୍ୟମରେ ଆଜି ପର୍ଯ୍ୟନ୍ତ ୧୦୫୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇସାରିଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।

ଆଜିର ଏଭଳି ସଂକଟ ସମୟରେ ରକ୍ତ ଅଭାବଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସଂକଳ୍ପ ନେବା ସହ ଆପ୍ରାଣ ଉଦ୍ୟମ କରୁଥିବାରୁ ରାଜ୍ୟ ସଭାପତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ । ଏହି ସେବା କାର୍ଯ୍ୟରେ ରାଜ୍ୟର ଯୁବଶକ୍ତି ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇ ରକ୍ତ ଅଭାବ ସମସ୍ୟାକୁ ଦୂର କରିବାରେ ସହାୟକ ହେବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।

Leave A Reply