ବିଶ୍ୱବାସୀଙ୍କ ମଧ୍ୟରୁ ୪୬ ପ୍ରତିଶତଙ୍କ ମତ- ବର୍ତ୍ତମାନ ଜନଗହଳି ଆଉ ହେବନାହିଁ । ଲକଡାଉନ ତଥା କୋବିଡ-୧୯ ପରବର୍ତ୍ତୀ ଜୀବନରେ ପରିବର୍ତ୍ତନ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଗ୍ଲୋବାଲ ଡାଟା ଏଜେନସି ଷ୍ଟଡିଜି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ସେଇ ସମାନ କଥା ଆମକୁ ସୂଚେଇ ଦେଇଛି । ଏପରି ସ୍ଥିତିରେ ଲୋକଙ୍କ କିଣାକିଣି ପ୍ରବୃତ୍ତିରେ ପରିବର୍ତ୍ତନ ଘଟିବାଟା ଏକ ପ୍ରକାଶ ନିଶ୍ଚିତ । ଆଉ ସେମାନେ ଘରର ଚାରିକାନ୍ଧ ମଧ୍ୟରେ ବସିରହି ଇ-କମର୍ସ ମାଧ୍ୟମରେ ସବୁ ପ୍ରକାରର ସାମଗ୍ରୀ ପ୍ରାପ୍ତ କରିବାକୁ ଚାହିଁବେ ।
ସଂପ୍ରତି ଆମ ଦେଶରେ ଲକଡାଉନ ଅବଧିକୁ ମେ ମାସ ସତର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବିଶେଷ ମାର୍ଗଦର୍ଶିକା ଅନୁୁସାରେ ଇ-କମର୍ସ ଜରିଆରେ ଗ୍ରୀନ( ସବୁଜ),ଅରେଂଜ ( ନାରଙ୍ଗୀ) ଓ ରେଡ (ଲାଲ)-ଏଇ ତିନୋଟି ରଙ୍ଗ ଚିହ୍ନିତ ଜୋନ( ଅଂଚଳ)ରେ ବସବାସ କରୁଥିବା ଅଧିବାସୀମାନେ ନିଜ ନିଜର ନିତ୍ୟ ଆବଶ୍ୟକ ସାମଗ୍ରୀ ମଗାଇ ପାରିବେ । ଭାରତ ଭଳି ବୃହତ ଜନବହୁଳ ଦେଶରେ ଖୁଚୁରା କାରବାର ବାବଦ ଇ-କମର୍ସ ବଜାରର ଉଜ୍ଜ୍ୱଳମୟ ଭବିଷ୍ୟତ ସମ୍ପର୍କରେ ବିଶ୍ୱର ବଡ ବଡ ବିଶ୍ୱ ସ୍ତରୀୟ ବିଦେଶୀ କମ୍ପାନୀ ଓ ବ୍ୟାବସାୟୀକ ସଂସ୍ଥା ଉଣାଅଧିକେ ଜାଣିସାରିଲେଣି ।
ଏବେ ଭାରତର ପ୍ରାୟଶଃ ତିନିକୋଟି ଖୁଚୁରା ବ୍ୟବସାୟୀ ଓ ତେଜରାତି ଦୋକାନୀଙ୍କୁ ପ୍ରତିବେଶୀ ଗ୍ରାହାକଙ୍କ ସହିତ ଯୋଡିବାକୁ ଫେସବୁକର ଓ୍ାଟଆପସ୍ ପ୍ଲାଟଫର୍ମ ସହଭାଗିତାରେ ରିଲାଏନଓ ଜିୟୋମାର୍ଟ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ଏଣିକି ଗ୍ରାହକମାନଙ୍କୁ ପଡୋଶୀ ଖୁଚୁରା ତେଜରାତି ଦେକାନରୁ ତକ୍ରାଳ ଘରକରଣା ଜିନିଷପତ୍ର ଓ ତେଜରାତି ସଉଦା ମିଳିଯିବ । ଫଳତଃ ଛୋଟ ଛୋଟ ଦୋକାନୀଙ୍କ କାରବାର ବଢିଯିବ । ଉଲ୍ଲେଖଯୋଗ୍ୟ ଯେ, ଆମ ଦେଶରେ ହ୍ାଟସଆପ ବ୍ୟବହାରୀଙ୍କ ସଂଖ୍ୟା ଚାଳିଶ କୋଟି ଥିବାବେଳେ ୩୮ କୋଟି ଜିଇଓ ଗ୍ରାହକ ରହିଛନ୍ତି ।
ଅଧିକାଂଶ ଇ-କମର୍ସ କମ୍ପାନୀ ନୂତନ ରଣନୀତି ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ଅଫଲାଇନ ରିଟେଲ ଆସୋସିଏସନ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ମଧ୍ୟ ଉଦ୍ୟୋଗ ତଥା ଆଭ୍ୟନ୍ତରୀଣ ବ୍ୟାପାର ବିଭାଗର ମିଳିତ ସହଭାଗିତାରେ ଦେଶର ସାତି କୋଟି ବ୍ୟବସାୟୀଙ୍କ ପାଇଁ ଜାତୀୟ ଇ-କମର୍ସ ବଜାର ସୃଷ୍ଟି କରିବାର ରଣନୀତି ପ୍ରଣୟନ କରିବାକୁ ସଂକେତ ଦେଇ ସାରିଲେଣି । ସିଆଇଟିର କହିବା କଥା ହେଲା-ଏଭଳି ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ଦ୍ୱାରା କି ଗ୍ରାହକଙ୍କଠାରୁ ଅନଲାଇନ ବରାଦ ନେବାରେ ତେଜରାତି ଦୋକାନୀମାନେ ସକ୍ଷମ ହୋଇପାରିବେ ।
ସୁଦୂର ଅଂଚଳରେ ଥିବା ଗ୍ରାହାକମାନେ ସାମଗ୍ରୀ ମୂଲ୍ୟ ବାବଦ ପଇସା ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ପଇଠ କରିବା ସମ୍ଭବପର ହୋଇପାରିବ ।
୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଛି ଯେ ଭାରତର ଇ-କମର୍ସ ବଜାର ୨୦୨୧ ପର୍ଯ୍ୟନ୍ତ ୮୪ ଅରବ ଡଲାରରେ ପହଁଚିଯିବ । ୨୦୧୭ରେ ଇ–କମର୍ସ ବଜାର ମାତ୍ର ୨୪ ଅରବ ଡଲାରର ଥିଲା । ବର୍ତ୍ତମାନ କୋବିଡ-୧୯ ପରବର୍ତ୍ତୀ ସମୟ ଅର୍ଥାତ ୨୦୨୮ ବର୍ଷ ପର୍ଯ୍ୟନ୍ତ ଏହି ଇ-କମର୍ସ ବ୍ୟବସାୟ ୨୦୦ ଅରବ ଡଲାରକୁ ଛୁଇଁପାରିବ ବୋଲି ଅନୁମାନ କରାଯାଏ ।
ଭାରତବର୍ଷରେ ଖୁଚୁରା ବ୍ୟବସାୟ ଜଗତରେ ଏହି ଇ- କମର୍ସ ଏକ ବିପ୍ଲବର ସୂତ୍ରପାତ କରାଇପାରିଛି ବୋଲି ନିଃସନେ୍ଦହରେ କୁହାଯାଇପାରେ । ଆମ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀ ବା ଉପଭୋକ୍ତାଙ୍କ ସଂଖ୍ୟା ୬୨ କୋଟିରୁ ଅଧିକ । ଏଇ ସଂଖ୍ୟା ଯେତେ ଅଧିକ ବଢିବ ଇ-କମର୍ସ ବ୍ୟବସାୟ ସେତିକି ସଂପ୍ରସାରିତ ହେବ ।
ତଥାପି ଏହି କ୍ଷେତ୍ରରେ କିଛିଟା ଆହ୍ୱାନ ରହିଛି । ଯେମିତି ବୈଶ୍ୱିକ ତଥା ଭାରତୀୟ କମ୍ପାନୀକୁ କାର୍ଯ୍ୟ କରିବାକୁ ସମାନ ସୁଯୋଗ ପ୍ରଦାନ କରିବା ଆବଶ୍ୟକ । ଏକଥା ସ୍ମରଣରେ ରଖିବାକୁ ହେବ ଯେ, ଇ-କମର୍ସ ଯୋଗୁଁ ଛୋଟ ଛୋଟ ଖୁଚୁରା ବ୍ୟବସାୟୀଙ୍କୁ ଯେମିତି କ୍ଷତିର ସମ୍ମୁଖୀନ ହେବାକୁ ନ ପଡେ । ଇ-କମର୍ସ ଦ୍ୱାରା ବିକାଶ କ୍ଷେତ୍ରରେ ଦେଶର ମହତାକାଂକ୍ଷା ପୂରଣ ସାଙ୍ଗକୁ ଅର୍ଥନୀତିକୁ ବଜାର ବିଫଳତା ତଥା ବିସଙ୍ଗତିରୁ ମୁକ୍ତ ରଖିବା ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଇ-କମର୍ସ କମ୍ପାନୀ ଦ୍ୱାରା ଗ୍ରାହାକଙ୍କ ଡାଟା ନିରାପତ୍ତା ତଥା ବ୍ୟାବସାୟିକ ବ୍ୟବହାରକୁ ନେଇ କଟକଣା ରହିବା ନିହାତି ଜରୁରୀ । ନୂତନ ବିଶ୍ୱ ଅର୍ଥନୀତିରେ ଅଶୋଧିତ ତୈଳ ଯେତିକି ଗୁରୁତ୍ୱପୂର୍ଣ୍ଣ ଇ–କମର୍ସ କ୍ଷେତ୍ରରେ ଗ୍ରାହାକଙ୍କ ଡାଟା ସେମିତି ତାତ୍ପର୍ଯ୍ୟପୂର୍ଣ୍ଣ ।
ଭାରତରେ ଉପଭୋକ୍ତାଙ୍କ ସଂଖ୍ୟା ଓ ସେମାନଙ୍କ ଡାଟାକୁ ଏକ ମହତ୍ୱପୂର୍ଣ୍ଣ ଆର୍ଥିକ ସମ୍ବଳ ରୂପେ ମାନ୍ୟତା ଦେବାକୁ ପଡିବ । ଇ-କମର୍ସ ନୀତିରେ କେବଳ ବିଦେଶୀ ବ୍ୟବସାୟ ନୁହେଁ ଘରୋଇ କାରବାର ଓ ବାଣିଜ୍ୟକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିବାକୁ ହେବ । ଇ-କମର୍ସ କମ୍ପାନୀଗୁଡିକୁ ଉପଯୁକ୍ତ ତଦାରଖ କରାଯିବା ଆବଶ୍ୟକ ଯଦ୍ୱାରା ଭାରତୀୟ ଅର୍ଥନୀତିକୁ କୌଣସି ପ୍ରକାର କ୍ଷତି ନ ପହଁଚିବ ।
ତେବେ ଯେଉଁକଥାଟି ଅଧିକ ପ୍ରଣିଧାନ୍େୟାଗ୍ୟ ତାହା ହେଲା ଭାରତ ଭଳି ବିଶାଳ ଜନବହୁଳ ଦେଶ ଇ-କମର୍ସ ଉପରେ ମାତ୍ରାଧିକ ନିର୍ଭରଶୀଳ ହେବା ଦୁରୂହ ବ୍ୟାପାର । ଭାରତର ଜନତାଙ୍କୁ ଇ-କମର୍ସ ସହିତ ଯୋଡିବା ପାଇଁ ଇ-କମର୍ସ ପ୍ଲାଟଫର୍ମକୁ ସହଜ ସୁଗମ କରିବା ସଙ୍ଗେ ସଙ୍ଗେ କୌଣସି ପ୍ରକାର ଶଠତା ଓ ପ୍ରବଂଚନା ଉପରେ ଲଗାମ କଷିବା ଏକାନ୍ତ ଜରୁରୀ ।
ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ପ୍ରଦାନ ଉପରେ ଅଗ୍ରାଧିକାର ପ୍ରଦାନ କରିବାକୁ ହେବ । ବାସ୍ତବତଃ ଦେଶରେ ଇ-କମର୍ସ ୍ କ୍ଷେତ୍ରରେ ସୁଚିନ୍ତିତ ବ୍ୟବସ୍ଥା କରାଯିବା ଦରକାର । କୋବିିଡ ୧୯ ପରବର୍ତ୍ତୀ କୋଟି କୋଟି ଉପଭୋକ୍ତାଙ୍କୁ ଖୁସି ତଥା ଦେଶର ବିକାଶ ହାରକୁ ବଢାଇବାରେ ଇ–କମର୍ସ ପ୍ରଭାବୀ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଏ । ସୁତରାଂ,ଜନଗହଳି ବିପଦରୁ ସୁରକ୍ଷା ଦେବା ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ ଇ-କମର୍ସର ଉତ୍ତରଦାୟିତ୍ୱ ଉପରେ ।