Odisha news

ଆମକୁ ନା ଚେରାପୁଞ୍ଜିର ବର୍ଷା ଧୋଇପାରିବ, ନା ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ : ସମୀର ମହାନ୍ତି

0

 ୨୦୨୩ରେ ଓଡିଆଙ୍କ ହକ୍ ଓ ସ୍ୱାର୍ଥ ପାଇଁ ଲଢ଼େଇ ଜାରୀ ରହିବ
 ଇଂରାଜୀ ନବବର୍ଷ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ମାଁ ଉଗ୍ରତାରାଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର କାମନା କଲେ ରାଜ୍ୟ ସଭାପତି
 ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କାର୍ଯ୍ୟକର୍ତା

ଭୁବନେଶ୍ୱର,ତା.୦୧/୦୧: ନୂଆ ବର୍ଷରେ ଆମ ପାଇଁ ଥିବା ପ୍ରତ୍ୟେକ ଚ୍ୟାଲେଞ୍ଜଗୁଡିକୁ ସାମ୍ନା କରିବାକୁ ଆମ କାର୍ଯ୍ୟକର୍ତା ପ୍ରସ୍ତୁତ ଅଛନ୍ତି । ବିଚାର ଆଧାରିତ ପାର୍ଟିରେ କାମ କରୁଥିବା କାର୍ଯ୍ୟକର୍ତାଙ୍କୁ ନା ଚେରାପୁଞ୍ଜିର ବର୍ଷା ଧୋଇ ଦେବ ନା ତାଙ୍କୁ ଥର୍ ମରୁଭୂମିର ଉଷ୍ମତା ଜଳାଇ ପାରିବ । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଏକାତ୍ମବାଦ ଦର୍ଶନକୁ ଆଧାର କରି ଆମ କାର୍ଯ୍ୟକର୍ତା ଓଡିଶାବାସୀଙ୍କ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୋଦିଙ୍କୁ ସାରା ବିଶ୍ୱ ରୋଲ୍ ମଡେଲ୍ ମାନୁଛି । ମୋଦୀ ସରକାରଙ୍କ ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ ସାରା ଦେଶବାସୀ ପାଉଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏଭଳି ଯୁଗାନ୍ତକାରୀ ଯୋଜନାର ସୁଫଳ ରାଜ୍ୟବାସୀଙ୍କ ପାଖରେ ସଠିକ୍ ଭାବେ ପହଂଚି ପାରିନାହିଁ । ଦାୟୀତ୍ୱବାନ୍ ଓ ସଚେତନ ବିରୋଧୀ ଦଳ ଭାବେ ବିଭିନ୍ନ ସମୟରେ ରାଜରାସ୍ତାଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ବିଜେପି ସ୍ୱର ଉଠାଇ ପ୍ରତିବାଦ କରିଆସୁଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ହକ୍ ପାଇଁ ଲଢେଇ କରୁଛୁ ଏବଂ ୨୦୨୩ରେ ମଧ୍ୟ ଏହି ଲଢ଼େଇ ଜାରି ରହିବ ବୋଲି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ବିଜେପି କାର୍ଯ୍ୟକର୍ତା ଆଧାରିତ ପାର୍ଟି ଏବଂ ବର୍ଷର ୩୬୫ଦିନ ପାର୍ଟି ଓ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାଏ । ଆଗାମୀ ନିର୍ବାଚନ ନିଶ୍ଚିତ ଭାବେ ପ୍ରସଙ୍ଗ ଭିତିକ ହେବ । ଦୁର୍ନୀତି ଓ ହଡପ୍ର ସୀମା ଅତିକ୍ରମ କରିଥିବା ଶାସକ ବିଜେଡି ବର୍ତମାନ ରାଜ୍ୟବାସୀଙ୍କୁ ବୋକା ବନାଇବାର ଅପପ୍ରୟାସ ଆରମ୍ଭ କରିଦେଇଛି । ଭାତ ହାଣ୍ଡିରୁ ୨-୪ଟି ଭାତ ଭଳି ବର୍ତମାନ କେବଳ ଅଳ୍ପ କିଛି ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଗଣତନ୍ତ୍ରରେ ଜନତା ମାଲିକ ଏବଂ ସେମାନେ ନିଶ୍ଚିତଭାବେ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରକୁ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଇଂରାଜୀ ନବବର୍ଷ-୨୦୨୩ର ପ୍ରଥମ ଦିନରେ ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖଃ, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଏହା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଖୋର୍ଦ୍ଧାର ପ୍ରସିଦ୍ଧ ମାଁ ଉଗ୍ରତାରାଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖଃ, ସମୃଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟର କାମନା କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଓ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସେଠାରେ ଉପସ୍ଥିତ ରହି ରାଜ୍ୟ ସଭାପତିଙ୍କୁ ସ୍ୱାଗତ ଜଣାଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ଉପସ୍ଥିତ କାର୍ଯ୍ୟକର୍ତାମାନେ ରାଜ୍ୟ ସଭାପତିଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave A Reply