ବିପିୟୁଟିର ତୃଟ୍ରିପୂର୍ଣ୍ଣ ଅନଲାଇନ ପରୀକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ମହାମହିମ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ୱର,ତା.୦୭/୦୭: ଓଡିଶାର ବୈଷୟିକ ବିଦ୍ୟାଳୟ(ବିପିୟୁଟି)ର ଶେଷ ସେମିଷ୍ଟାର ଛାତ୍ରଛାତ୍ରମାନଙ୍କ ପାଇଁ ଅନଲାଇନ କରିବା ନିଷ୍ପତି ଅତ୍ୟନ୍ତ ତୃଟ୍ରିପୂର୍ଣ୍ଣ । ବିପିୟୁଟିର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ପାଇଁ ଦେଇଥିବା ୨୭ ପୃଷ୍ଠାର ନିୟମାବଳୀକୁ ପୂରଣ କରିବା ବହୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ଅସମ୍ଭବ ବ୍ୟାପାର ।
ନୀୟମାବଳୀ ଲେଖାଯାଇଥିବା କଂପ୍ୟୁଟର ଆବଶ୍ୟକତା ଯେମିତିକି ୪ ଜିବି ରାମ, ୱେବ କ୍ୟାମ, ମାଇକ, ୩ ଘଂଟା ଲଗାତାର ବିଦୁ୍ୟତ ସରାବରାହ ଗ୍ରାମାଚଂଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୂରଣ କରିବା ସମ୍ଭବ ପର ନୁହେଁ । ଏହି ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା ଯଥା କଟେଂଟମେଂଟ ଜୋନ ତଥା ବାହାର ରାଜ୍ୟରୁ ଆସି ପାଠ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଏହି ପରିପେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଛନ୍ତି ।
ରାଜ୍ୟସରକାର ସବୁ ଜାଣି ସରଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । କରୋନା ସମୟରେ ଏଭଳି ପରକ୍ଷା କେନ୍ଦ୍ର କରିବା କିମ୍ବା ନୂତନ ପରୀକ୍ଷା ପ୍ରଣାଳୀର ମଡେଲ ଫର୍ମାଟ ଏପର୍ଯ୍ୟନ୍ତ ଛାତ୍ର ଏବଂ ଶିକ୍ଷକ ମାନଙ୍କୁ ଠିକ୍ ଭାବରେ ଅବଗତ କରାଯାଇନାହିଁ । କଂପେଟ ଏଜୁଟେକ ନାମକ ସଂସ୍ଥା(ଯାହାକି ପୂର୍ବରୁ ଗ୍ଲୋବ ଏରିନା) କୁ ପରୀକ୍ଷା ପରିଚାଳନା ପାଇଁ ଯେଉଁ ଦାୟୀତ୍ୱ ଦିଆଯାଇଛି ସେ ସଂସ୍ଥା ସଂପର୍କରେ ବିପିୟୁଟି ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । ଗତ କିଛିଦିନ ତଳେ ହୋଇସାରିଥିବା ମକ୍ ଟେଷ୍ଟରେ ମଧ୍ୟ ବହୁ ଗୁଡିଏ ତ୍ରୁଟି ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟସରକାର ଓ ବିପିୟୁଟି କର୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ଉଦେ୍ଦଶ୍ୟ ନରଖି କିଭଳି ସେମାନଙ୍କର ଭବିଷ୍ୟତକୁ ଆଗାମୀ ଦିନରେ ସଠିକ ଦିଗରେ ନେଇପାରିବେ ସେ ବିଷୟରେ ଚିନ୍ତା କରିବା ଦରକାର । ହରିୟାଣା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଂଜାବ ସରକାର ତଥା ଆଇଆଇଟି, ଏନଆଇଆଇଟି ଭଳି ସଂସ୍ଥା ନର୍ମାଲାଇଜେସନ ପ୍ରଣାଳୀ ଆପଣାଇଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ବିପିୟୁଟି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟକରିବା ପାଇଁ ଶ୍ରୀ ଆଚାର୍ଯ୍ୟ ଅନୁରୋଧ କରିବା ସହ ମହାମହିମ ଏ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ପ୍ରତିନିଧୀ ଦଳ ନିବେଦନ କରିଛି ।
ଏହି ପ୍ରତିନିଧୀ ଦଳରେ ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ ଏବଂ ବିପିୟୁଟିର ଶେଷ ବର୍ଷର ଛାତ୍ର ରଣଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
