Odisha news

ଜମିରେ ଚାଷ କାମ କରୁ ଥିବା ବେଳେ ଚାଷୀଙ୍କ ଉପରେ ପଡିଲା ବିଦ୍ୟୁତ ତାର : ଘଟଣାସ୍ଥଳରେ ଚାଷୀ ମୃତ , ପରିବାରକୁ କ୍ଷତି ପୂରଣ ଓ ବିଦ୍ୟୁତ ସରଞ୍ଜାମ ରକ୍ଷଣାବେକ୍ଷଣ ଦାବିରେ ଉତ୍ତେଜନା

0

ବେତନଟୀ, ୭/୭ : ଆଜି ସକାଳେ ବେତନଟୀ ଥାନା ଅଧୀନ ବୁଢ଼ିଖମାରୀ ପଞ୍ଚାୟତର କାଠପାଳର ସ୍ୱର୍ଗତଃ ପିତାମ୍ବର ମହାନ୍ତଙ୍କ ପୁଅ ଭାସ୍କର ଚନ୍ଦ୍ର ମହାନ୍ତ କୋଦାଳ ନେଇ ନିଜ ଜମିକୁ ଯାଇ ହିଡ ଗୁଡିକୁ କୋଦାଳରେ କାଟି ସାଇଜ କରୁ ଥିଲେ । ଏହି ସମୟରେ ଜମି ଉପରେ ଯାଇ ଥିବା ୧୧ କେଭି ତାର ଛିଣ୍ଡି ଭାସ୍କରଙ୍କ ଉପରେ ପଡି ଥିଲା ଓ ଭାସ୍କରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା । ଦୁର୍ଘଟଣାର ଖବର ପାଇବା ପରେ ଭାସ୍କରଙ୍କ ଦୁଇ ପୁତ୍ର ଦୁବରାଜ ଓ ଧନଞ୍ଜୟ, ପୁତୁରା ଶଙ୍କର, ବୈକୁଣ୍ଠ, ହୃଷିକେଶ ଓ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ମୃତ ଦେହକୁ ଉଦ୍ଧାର କରି ଥିଲେ ।

ଘଟଣାର ଖବର ପାଇବା ପରେ ବିଜେପି ବାରିପଦା ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ, ଦାନ୍ତିଆମୁହାଁ ମଣ୍ଡଳ ସଭାପତି ସୁକୁଲ ମୁର୍ମୁ, ଯୁବନେତା ଯଦୁପତି ମହାନ୍ତ , ବିଜେପି ନେତା ଜନାର୍ଦ୍ଦନ ମହାନ୍ତ, ସଂଗ୍ରାମ କେଶରୀ ଦେବ, ପଦ୍ମଲୋଚନ ମହାନ୍ତ, ଗୋପାଲଚନ୍ଦ୍ର ମହାନ୍ତ ଓ ବହୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ବିଦ୍ୟୁତ ସରଞ୍ଜାମ ଗୁଡିକ ନିୟମିତ ରକ୍ଷଣାବେକ୍ଷଣ ହେଉ ନଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଉପସ୍ଥିତ ଲୋକମାନେ ଦାବି କରି ଥିଲେ । ବହୁ ସ୍ଥାନରେ ତାର ଝୁଲା ହୋଇ ରହି ଥିବାରୁ ଏହା ଦୁର୍ଘଟଣାର କାରଣ ହୋଇଛି । ଅନ୍ୟ ପକ୍ଷରେ ଏହି ସ୍ଥାନଟି ହାତୀ ଚଲାପଥ ହୋଇ ଥିବାରୁ ଏଠାରେ ବିଦ୍ୟୁତ ତାର ଗୁଡିକ ଆବଶ୍ୟତା ମୁତାବକ ଉଚ୍ଚ ହେବା ଆବଶ୍ୟକ । କିନ୍ତୁ ତାହା କାହିଁକି କରା ଯାଉ ନାହିଁ ସାଧାରଣ ଲୋକମାନେ ଏହାକୁ ନେଇ ପ୍ରଶ୍ନ କରି ଥିଲେ । ଏହି ଦୁର୍ଘଟଣା ପାଇଁ ଦାୟୀ ସଂପୃକ୍ତ ବିଦ୍ୟୁତ କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଥିଲା । ମୃତ ଚାଷୀ ଭାସ୍କର ଚନ୍ଦ୍ର ମହାନ୍ତଙ୍କ ପରିବାରକୁ କ୍ଷତିପୂରଣ ସହିତ ତାଙ୍କ ପରିବାରର ଜଣକୁ ନେସ୍କୋ ଚାକିରିରେ ରଖନ୍ତୁ ବୋଲି ଦାବି କରି ଥିଲେ ।

ଗ୍ରାମବାସୀ ମାନେ ଦାବି କରିବା ପରେ ନେସ୍କୋର ଉପଖଣ୍ଡ ଅଧିକାରୀ ସତ୍ୟବ୍ରତ ସେଠୀ, ଜୁନିଅର ମ୍ୟାନେଜର ବସନ୍ତ ସାହୁ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ, ବଡଜାମବଣୀ ଫାଣ୍ଡି ଅଧିକାରୀ ପିଏମ ରାଉତ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଗ୍ରାମବାସୀ ଓ ମୃତ ଭାସ୍କରଙ୍କ ପରିବାର ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ନେସ୍କୋ ତରଫରୁ ସାମାନ୍ୟ ସହାୟତା କରା ଯାଇଛି । ମୃତ ଭାସ୍କରଙ୍କ ପୁତ୍ର ଦୁବରାଜ ମହାନ୍ତ ତାଙ୍କ ପିତାଙ୍କ ମୃତ୍ୟୁ ନେସ୍କୋର ଅବହେଳାରୁ ହୋଇଛି ବୋଲି ଲିଖିତ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ଦଫା ୩୦୪(କ), ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୪୮/୨୦୨୦ ରୁଜୁ କରି ଥିବାର ଜଣା ପଡିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି ।

ଘଟଣା ସମ୍ପର୍କରେ ନେସ୍କୋର ନିର୍ବାହୀ ଯନ୍ତ୍ରୀ ରଞ୍ଜନ ଦଣ୍ଡପାଟଙ୍କ ସହିତ ଦୁର୍ଘଟଣାର କାରଣ ବାବଦରେ ପଚାରିବାରୁ ସେ ଏହି ଦୁର୍ଘଟଣା ବାବଦରେ ପ୍ରାଥମିକ ତଦନ୍ତ କରିଛନ୍ତି । ବଜ୍ରପାତ ଯୋଗୁଁ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟର ଡିସ୍କ ଫାଟି ଯାଇ ଥିଲା । ହେଲେ ତାହା ତଳକୁ ପଡି ନଥିଲା । ଆଜି ସକାଳୁ ଫାଟି ଯାଇ ଥିବା ଡିସ୍କଟି ତାର ସହିତ ତଳକୁ ପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି । ତାରଟି ଜମିକୁ ଛୁଇଁ ଥିଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇ ଥାଆନ୍ତା କିନ୍ତୁ ଝୁଲି ରହିବା ଫଳରେ ଜୀବନ୍ତ ରହିଲା ଓ ଦୁର୍ଘଟଣାର କାରଣ ହେଲା ବୋଲି ମତ ଦେଇଛନ୍ତି । ତେବେ ବିଭାଗକୁ ପତ୍ର ଲେଖି ଏହି ଅଞ୍ଚଳର ବିଦୁ୍ୟତ ସରଞ୍ଜାମ ଗୁଡିକର ରକ୍ଷଣାବେକ୍ଷଣ କରା ଯିବ ବୋଲି ମତ ଦେଇଛନ୍ତି ।

Har Ghar Tiranga

Leave A Reply