Odisha news

ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ଆଗକୁ ଆସନ୍ତୁ ବିରୋଧୀ: ଇରାସିସ୍ ଆଚାର୍ଯ୍ୟ

0

 ରାଜ୍ୟବାସୀ ଏବଂ କରଦାତାଙ୍କ ଅର୍ଥ ଖର୍ଚ୍ଚ ହେଉଛି
 ଗୃହ କାର୍ଯ୍ୟକୁ ବନ୍ଦ କରିଦେବା ଏବଂ ବାହାରେ ଗଣମାଧ୍ୟମ ଆଗରେ ଭିନ୍ନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ
 କାହା ଇଙ୍ଗିତରେ ବିରୋଧୀ ଦଳ ଗୃହରେ ଏପରି ବ୍ୟବହାର କରୁଛନ୍ତି ?
ଭୁବନେଶ୍ୱର, ତା.୧୯/୧୧: ଓଡ଼ିଶା ବିଧାନସଭା ହେଉଛି ଏକ ପବିତ୍ର ଗୃହ, ଯେଉଁଠାରେ ରାଜ୍ୟବାସୀ ଏବଂ କରଦାତାଙ୍କ ଅର୍ଥ ଖର୍ଚ୍ଚ ହେଉଛି । ମାତ୍ର ଗତ ଦୁଇ ଦିନ ଧରି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରି ବିଧାନସଭା କାର୍ଯ୍ୟକୁ ବନ୍ଦ କରିଦେଉଛନ୍ତି । ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା କିମ୍ବା ସମାଧାନ କରିବାକୁ ନଦେଇ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନକୁ ଅଟକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭଟଲୀ ବିଧାୟକ ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଆମେ ଚାହୁଁଛୁ ଗୃହ ସଠିକ୍ ଭାବରେ ଚାଲୁ ଏବଂ ଶୃଙ୍ଖଳିତ ଭାବେ କାର୍ଯ୍ୟ ହେଉ । ସରକାର ସମସ୍ତ ବିଷୟ ଉପରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳ ଯେଉଁ ଦୁଇଟି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି, ତାହା ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ । କିନ୍ତୁ ଗୃହ ଭିତରେ ସେ ବିଷୟରେ ଆଲୋଚନା ନକରି ଗୃହକୁ ବନ୍ଦ କରିଦେବା ଏବଂ ବାହାରେ ଗଣମାଧ୍ୟମ ଆଗରେ ଭିନ୍ନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ।
ବିରୋଧୀ ଦଳ ସଠିକ୍ ପ୍ରଶ୍ନ ଗୃହରେ ଉପସ୍ଥାପନ କରନ୍ତୁ, ସରକାର ତାହା ଶୁଣିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ସରକାର ଯେତେବେଳେ ସମ୍ପୃକ୍ତ ପ୍ରସଙ୍ଗ ଉପରେ ଉତ୍ତର ରଖୁଛନ୍ତି, ବିରୋଧୀ ଦଳ ତାହାକୁ ସାମ୍ନା କରିବାକୁ ପ୍ରସ୍ତୁତ ନାହାନ୍ତି । ବିଗତ ୨୪ ବର୍ଷର ଶାସନ କାଳର ସତ୍ୟତା ପଦାକୁ ଆସିଯିବା ଭୟରେ ବିରୋଧୀ ଦଳ ଏପରି ଆଚରଣ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ । ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଯେଉଁ କାରଣରୁ ପୂର୍ବ ସରକାରଙ୍କୁ ପରିବର୍ତ୍ତନ କରିଥିଲେ, ତାହାର ବାସ୍ତବ ଚିତ୍ର ଏବେ ସମସ୍ତେ ଦେଖୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
କୋଟିଆ ପ୍ରସଙ୍ଗରେ ନିଜର ମତ ରଖି ବିଧାୟକ ଶ୍ରୀ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ, କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆର ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ ଗୃହରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ବିଭିନ୍ନ ପ୍ରସଙ୍ଗ ନାଁରେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅତ୍ୟନ୍ତ ନିନ୍ଦନୀୟ । କେବଳ ଗୃହ କାର୍ଯ୍ୟକୁ ବନ୍ଦ ନକରି, ସମସ୍ତେ ମିଳିମିଶି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାଟ ବାହାର କରିବା ଉଚିତ୍ । କାହା ଇଙ୍ଗିତରେ ବିରୋଧୀ ଦଳ ଗୃହରେ ଏପରି ବ୍ୟବହାର କରୁଛନ୍ତି, ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।

 

Ad2
Leave A Reply