“ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ” ପାଳନର ପ୍ରଥମ ଦିନରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି
“ଆକ୍ସିଡେଂଟାଲ ଇମିଡିଏଟ୍ ରେସ୍ପନ୍ସ” ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି
ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ କ୍ଷତିପୂରଣ ବାବଦରେ ତୁରନ୍ତ ୧୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର,ତା.୦୧/୧୨: ଡିସେମ୍ବର ମାସର ପ୍ରଥମ ସପ୍ତାହକୁ “ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ” ଭାବେ ପାଳନ କରାଯାଉଛି । କିନ୍ତୁ ପ୍ରଥମ ଦିନରେ ହିଁ ରାଜ୍ୟରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ପ୍ରଥମ ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁରେ ହୋଇଥିଲା ଓ ସେଠାରେ ୮ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟଟି ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଚିନିମହୁଲଠାରେ ହୋଇଥିଲା ଏବଂ ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭଦ୍ରକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ସାମଲ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
୨୩ବର୍ଷ ନବୀନ ଶାସନରେ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତବର୍ଷର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଗତ ୫ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ସଡକ ଦୁର୍ଘଟଣାରେ ୨୦୨୨ରେ ୫ହଜାର ୪୬୭ଜଣ ମୃତ୍ୟୁ ହୋଇଥିବାବେଳେ ୧୧,୬୬୩ ଆହତ ହୋଇଛନ୍ତି । ଗତ ୫ବର୍ଷରେ ମୋଟ ୫୪,୭୯୦ଟି ସଡକ ଦୁର୍ଘଟଣା ହୋଇଛି ସେଥିରୁ ୨୫,୯୩୪ଜଣ ମୃତ୍ୟୁବରଣ କରିଥିବାବେଳେ ୫୧,୮୭୩ଆହତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ସଡକ ସଚେତନତା ବାବଦକୁ ୫ବର୍ଷରେ ୭୯କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି । ଯଦି ରାଜ୍ୟ ସରକାର ସଡକ ଦୁର୍ଘଟଣା ପାଇଁ ଏତେ ଚିନ୍ତିତ ତାହାଲେ ରାଜ୍ୟରେ ଏତେ ପରିମାଣରେ ଦୁର୍ଘଟଣା କିପରି ବଢ଼ୁଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ନବୀନ ସରକାରରେ ମାଳ ମାଳ ଯୋଜନା, ଯାହାକି କେବଳ କାଗଜ କଲମରେ ସୀମିତ । କିନ୍ତୁ ତାହା ‘ଗ୍ରାଉଣ୍ଡ’ରେ କାର୍ଯ୍ୟକାରୀ ହେଉନାହିଁ । “ଆକ୍ସିଡେଂଟାଲ ଇମିଡିଏଟ୍ ରେସ୍ପନ୍ସ” ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି । ଦୁର୍ଘଟଣାର ଘଂଟାଏ ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚୁଛି । ତତ୍କାଳୀନ ଚିକିତ୍ସା ପାଇଁ କୈାଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ରାଜ୍ୟ ସରକାରଙ୍କ “ମୃତ୍ୟୁ ଶୂନ୍ୟ ସପ୍ତାହ” ଆଜି ଏକ ପ୍ରହତ୍ସନରେ ପରିଣତ ହୋଇଥିବା ଏହା ଦୁର୍ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାମଲ ଦାବୀ କରିଛନ୍ତି ।