ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ। ଲଗାତାର ତିନି ଦିନ ହେଲା ଏହି ଫାର୍ମରେ କୁକୁଡ଼ା ମରୁଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କୁକୁଡା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହେଉଥିବାରୁ ଓୟୁଏଟିଠାରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏଥିସହ ଏକରୁ ୧୦ କିମି ବ୍ୟାସାର୍ଦ୍ଧ ଅଞ୍ଚଳ ନିରୀକ୍ଷଣ ଅଞ୍ଚଳ ଭାବେ ଘୋଷଣା ହୋଇଛି। ସଂକ୍ରମଣ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ତ୍ବରିତ କାର୍ଯ୍ୟକାରୀ ଦଳ(ରାପିଡ ରେସ୍ପନ୍ସ ଟିମ୍) ଗଠନ କରାଯାଇଛି। ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହେବେ। ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ରାପିଡ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିବେ। ଏଥିସହ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ। ନିରୀକ୍ଷଣ ଅଞ୍ଚଳରେ ନିୟୋଜିତ ଥିବା ତ୍ବରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା ହୋଇଛି।
ଓୟୁଏଟିଠାରୁ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ କି ପ୍ରବେଶ କରିବନି। ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ। ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାର୍ଡ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେତନତା କାର୍ଯ୍ୟକ୍ରମ ହେବ। ଏହି ଭାଇରସ୍ ମନୁଷ୍ୟଙ୍କୁ ଆକ୍ରାନ୍ତ କରିବା କ୍ବଚିତ ଦେଖାଯାଇଥାଏ। ତେଣୁ ଲୋକମାନେ ଭୟଭିତ ନ ହେବାକୁ ପରାମର୍ଶ ଦିଆଯାଇଛି।
ଓୟୁଏଟି ଭେଟେନରି ଆଣ୍ଡ ପାଥୋଲୋଜି ବିଭାଗ ମୁଖ୍ୟ ସୁସେନ ପଣ୍ଡାଙ୍କ କହିବାନୁଯାୟୀ ଦୁଇ ଦିନ ହେଲା ଓୟୁଏଟିରେ କୁକୁଡ଼ା ମରୁଥିଲେ। ଏନେଇ ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ପରେ ମୃତ କୁକୁଡ଼ାର ନମୁନା ସଂଗ୍ରହ କରାଯାଇ ଭୋପାଳକୁ ପଠାଯାଇଥିଲା। ଆଜି ସେଠାରୁ ଆସିଥିବା ରିପୋର୍ଟରେ ପଜିଟିଭ୍ ଥିବା ଜଣାପଡ଼ିଛି। ତେଣୁ ଆସନ୍ତାକାଲିଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଚାଲିବ।
ପ୍ରାଣୀ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ଅଞ୍ଚଳ ତଥା ଓୟୁଏଟି ଫାର୍ମର ଏକ କିମି ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତି ଦିଆଯିବ। ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡର ପରି ବିଶୋଧକ ପ୍ରୟୋଗ ହେବ। ସଂକ୍ରମିତ ଅଞ୍ଚଳର ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡର ଦ୍ବାରା ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି। ଏହି ରୋଗ ମୁଖ୍ୟତଃ ଏଚ୍୫ ଏନ୍୧ ପ୍ରକାରର ଇନ୍ଫ୍ଲୁୟେଞ୍ଜା ଭୂତାଣୁ ଯୋଗୁ ହୋଇଥାଏ। ଏହାଦ୍ବାରା କୁକୁଡ଼ା ଓ କୁକ୍କୁଟ ଜାତୀୟ ପକ୍ଷୀମାନେ ସାଧାରଣତଃ ଆକ୍ରାନ୍ତ ହୋଇଥାନ୍ତି। ମୁଖ୍ୟତଃ ବହିରାଗତ ପକ୍ଷୀମାନେ ଏହି ରୋଗର ବାହାକ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଲାଳ ଓ ମଳରେ ଏହି ଭୂତାଣୁ ନିର୍ଗତ ହୋଇଥାଏ।
ବାର୍ଡ ଫ୍ଲୁ ଯୋଗୁ ତିନି ଦିନ ହେଲା ଓୟୁଏଟିରେ କୁକୁଡ଼ା ମରୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କୌଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରି ନଥିଲେ। ବରଂ ଘଟଣାକୁ ଚାପିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ବଦନାମ ହେବା ଭୟରେ ବିଶ୍ବବିଦ୍ୟାଳୟରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ର ଭିତରକୁ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲେ କି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ମୁହଁ ଖୋଲି ନ ଥିଲେ। ପରିସ୍ଥିତି ଅଣାୟତ ହେବା ପରେ ଆଜି ସନ୍ଧ୍ୟାରେ କୁଳପତି ପ୍ରଫେସର ଅଗ୍ରୱାଲ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ।