ଭଞ୍ଜନଗର : ପ୍ରାଚୀନ ରାଜ୍ୟ ଘୁମୁସର ନାମ ରସଲକୋଣ୍ଡା ହୋଇ ବର୍ତମାନ ଏହା ଭଞ୍ଜନଗର ନାମରେ ପରିଚିତ I ଏହା ବର୍ତମାନ ଏହି ଅଞ୍ଚଳର ମୁଖ୍ୟ ସହର I ବର୍ତମାନ ଏହା ଏବେ ୭ ଟି ବ୍ଲକକୁ ନେଇ ଉପଖଣ୍ଡ ହୋଇଛି I ଶିକ୍ଷା,ସ୍ୱାସ୍ଥ୍ୟ,ବାଣିଜ୍ୟ,ବ୍ ୟବସାୟ,ସରକାରୀ କାର୍ଯ୍ୟାଳୟ ତଥା ସାଂସ୍କୃତିକ ପାଇଁ ଭଞ୍ଜନଗର ସହର ସମଗ୍ର ଅଞ୍ଚଳରେ ପରିଚିତ I ଏଥିସହ ଏହି ସହରରେ ସମସ୍ତଙ୍କ ସହଯୋଗରେ ପ୍ରତି ତିନିବର୍ଷକୁ ଥରେ ଠାକୁରାଣୀ ଯାତ୍ରା ଆୟୋଜନ କରାଯାଇଥାଏ Iଏହି ଯାତ୍ରା ହେଲେ ପ୍ରଥମେ ଘୁମୁସର ଇଷ୍ଟଦେବୀ ହିସାବରେ ମା’ ବ୍ୟାଘ୍ରଦେବୀଙ୍କୁ ନିମନ୍ତ୍ରିତ କରାଯାଇଥାଏ I ନିମନ୍ତ୍ରଣ କରିବା ଦିନ ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟିଙ୍କ କିଛି ଭକ୍ତଙ୍କ ସହ ଅଞ୍ଚଳର ବହୁଭକ୍ତ ବିଭିନ୍ନ ପ୍ରକାର ବାଦ୍ୟ ବାଜଣା,ବାଣ ପଟୁଆର,ନାମ ସଂକୀର୍ତ୍ତନ ସହ କୁଲାଡ଼ ଗ୍ରାମକୁ ଏକ ଶଗଡ଼କୁ ସୁସଜ୍ଜିତ କରି ମା’ ବ୍ୟାଘ୍ରଦେବୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଥାନ୍ତି I ଏହି ସମୟରେ ସେଠାରେ ଯଥାରୀତି ପୂଜା କରାଯାଇଥାଏ I ମା’ଙ୍କ ଆଜ୍ଞାମାଳ ପାଇବାପରେ ମା’ଙ୍କ ବିଜେ ପ୍ରତିମାକୁ କୁଲାଡ଼ ଗ୍ରାମ ଭ୍ରମଣ କରି ଉପର ବ୍ୟାଘ୍ରଦେବୀଙ୍କ ମୁଖ୍ୟ ଦ୍ୱାରା ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ | ଏହାପରେ ଶଗଡ଼ରେ ମା’ଙ୍କୁ କୁଲାଡ଼ ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ ଅଣାଯାଏ | ଏହାପରେ ବ୍ଲକ ଛକରେ ଥିବା କୟାଁ ବାଗଦେବୀଙ୍କ ମନ୍ଦିରରେ କିଛି ସମୟର ବିଶ୍ରାମ ପରେ ପୂର୍ବ ପ୍ରସ୍ତୁତି ହୋଇରହିଥିବା ନବଗୃହରେ ମା’ଙ୍କୁ ଆଣି ଗୃହ ମଧ୍ୟରେ ପ୍ରବେଶ କରାଇଥାନ୍ତି | ମା’ଙ୍କୁ ଆଣିବା ଦିନ ସନ୍ଧ୍ୟା ସମୟରୁ ରାତି ପାଇଲା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନାଚ,ଗୀତ,ଢ଼ୋଲ,ମର୍ଦ୍ଦଳ,ଲାଇଟ,ବାଣ ପଟୁଆରରେ ସସମ୍ମନର ସହ ନେଇଆସିଥାନ୍ତି |ବ୍ୟାଘ୍ରଦେବୀଙ୍କୁ ଗମ୍ଭିରାରେ ପ୍ରବେଶ କରାଯିବା ପରେ ଭଞ୍ଜନଗର ଠାକୁରାଣୀଙ୍କୁ ପୁଣି ଯାଇ ନିମନ୍ତ୍ରଣ କରି ଆଣି ଅନ୍ୟ ଏକ ଗୃହରେ ରଖାଯାଇଥାଏ I ଏଠାରେ ଏକୋଇଶ ଦିନ ପର୍ଯ୍ୟନ୍ତ ଯଥାରୀତି ପୂଜା ଚାଲେ I ଏହି ଦିନ ମାନଙ୍କରେ ମା’ନଗର ପତିକ୍ରମରେ ବାହାରନ୍ତି I ଗୁରୁବାର ଓ ସଂକ୍ରାନ୍ତିରେ ପୂଜା ଗୃହରେ ରହି ଭୋଗ ପାଇଥାନ୍ତି I ବହୁ ଆଡମ୍ବରରେ ଏହି ଠାକୁରାଣୀଙ୍କ ପୂଜା ଚାଲେ ହଜାର ହଜାର ଭକ୍ତଙ୍କ ସମାଗମ ସହ ରୋଷଣୀ ଆଲୋକରେ ଅତି ସୁନ୍ଦର ଦିଶୁଥାଏ ଭଞ୍ଜନଗର I ଶେଷଦିନରେ ମା’ଙ୍କ ସିଂହ ବାହିନୀ ହୋଇଥାଏ I ଏହି ସିଂହ ନାଟ୍ୟଗ୍ରାମ ବଦକୋଦାଣ୍ଡରୁ ଶଗଡ଼ରେ ଆସିଥାଏ I ୨୧ ଦିନ ଯାତ୍ରା ଭିତରେ ପ୍ରତ୍ୟହ ବ୍ୟାଘ୍ରଦେବୀ ଓ ଭଞ୍ଜନଗର ଠାକୁରାଣୀ ନଗର ପରିକ୍ରମା କରନ୍ତି କିନ୍ତୁ ଦୁଇ ଦେବୀଙ୍କର କୌଣସି ଦିନ ଭେଟ ହୋଇନଥାଏ I ଶେଷଦିନ ମଧ୍ୟ ରାତ୍ରରେ ବ୍ୟାଘ୍ରଦେବୀ ନିଜ ପୀଠ କୁଲାଡ଼କୁ ପ୍ରତ୍ୟାବର୍ତନ କରିବା ସମୟରେ ଜଙ୍ଗଲ ବିଭାଗ ବିଶ୍ରାମଗାର ନିକଟରେ ଦୁଇ ଦେବୀଙ୍କ ଭେଟ ହୋଇଥାଏ I ଏହାକୁ ମହାଭେଟ କୁହାଯାଇଥାଏ I ଏହାପରେ ମା’ବ୍ୟାଘ୍ରଦେବୀ କୁଲାଡ଼ ଅଭିମୁଖେ ଯାତ୍ରା କରନ୍ତି ଏବଂ ଭଞ୍ଜନଗର ଠାକୁରାଣୀ ତାଙ୍କ ମନ୍ଦିରାଭିମୁଖେ ଯାତ୍ରା କରିଥାନ୍ତି I ଏହି ମିଳନ ସମୟରେ ଭକ୍ତଙ୍କ ମନରେ ଯେତିକି ଆନନ୍ଦ ସେତିକି ଦୁଃଖ ମଧ୍ୟ ପରିଲିକ୍ଷିତ ହୋଇଥାଏ I ମା’ ତାଙ୍କ ପିଲା ଅର୍ଥାତ ଭକ୍ତଙ୍କୁ ଛାଡି ଚାଲିଯାଉଛନ୍ତି ଏହି ସମୟରେ ବହୁ ଭକ୍ତଙ୍କ ଆଖିରୁ ଲୁହ ମନରେ କୋହ ସୃଷ୍ଟି ହାଇଥାଏ I ଏହାପରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ସମାପନ ହୋଇ ପୁଣି ତିନି ବର୍ଷ ମା’ଙ୍କ ଏହି ଆଗମନକୁ ସମସ୍ତେ ପ୍ରତୀକ୍ଷା କରିଥାନ୍ତି I
