ଭଞ୍ଜନଗର – କୋରୋନା ମାଡ ଯୋଗୁଁ ୩ମାସ ହେଲା ହାତବାନ୍ଧି ବସିଛନ୍ତି ପଶୁମୁଖା ନୃତ୍ୟ କଳାକାର । ପଶୁମୁଖା ନୃତ୍ୟ ପ୍ରଦର୍ଶନ କରି ବାଘର ଭ୍ରମ ସୃଷ୍ଟି କରୁଥିବା ଆମ କଳାକାରଙ୍କ ଜୀବନ ଏବେ ଦିଶାହୀନ ହୋଇପଡିଛି । କେବଳ ବାଘ ନୁହଁ କଳଘୋଡା ଠାରୁ ଆରମ୍ଭ କରି ନବଗୁଞ୍ଜର, ହାତୀ, ବୃଷଭ, ହରିଣ ଆଦି ବିଭିନ୍ନ ପଶୁଙ୍କ ସମେତ ଶୁଆ ଶାରୀ ତଥା ରାଜାରାଣୀ, ଇଶ୍ୱର ପାର୍ବର୍ତୀ, ସାପୁଆ କେଳାକେଳୁଣୀ ଆଦି ବିଭିନ୍ନ ମାଟି ଓ ବେତ ତିଆରି ପିଞ୍ଜରା ଓ ଛାଞ୍ଚ ଭିତରେ ପଶି ନୃତ୍ୟକରି ଅନ୍ୟକୁ ବିମୋହିତ କରୁଥିବା ଗଞ୍ଜାମ ଜିଲ୍ଲାର ପାରମ୍ପାରିକ ପଶୁମୁଖ୍ୟା ନୃତ୍ୟ ଶିଳ୍ପୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ପଡିଛି । ଢୋଲ, ମହୁରୀ, ଝାଞ୍ଜର ତାଳ ଏବେ ଶିଥିଳ ପଡିଯାଇଛି । ସ୍ତବ୍ଧ ହୋଇଯାଇଛି ଠୋଲର ଚମକ । ମହୁରୀର ହୃଦୟସ୍ପର୍ଶୀ ସ୍ୱର ଆଉ କାନରେ ବାଜୁନି ।
ଅପରପକ୍ଷରେ ଜୀବନ ବଞ୍ଚାଇବାକୁ କଳାକାରମାନେ ଏଥିରୁ ମୁହଁ ଫେରାଇ ଦାଦନ ଖଟିବାକୁ ଯିବାକୁ ଚାହିଁଲେ ମଧ୍ୟ ସେହି ରାସ୍ତାବି କରୋନା ଯୋଗୁଁ ବନ୍ଦ ହୋଇଯାଇଛି । ଲୋକକଳାକୁ ପାଥେୟ କରି ବଞ୍ଚିଥିବା ଶହ ଶହ ସଂଖ୍ୟାର ଏହି କଳାକାରମାନେ ଏବେ ମାଟି କାମୁଡି ଭିଟାମାଟିରେ ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ପଡିରହିଛନ୍ତି । ନିଜେ ପିଞ୍ଜରାର ଅନ୍ଧାର ଭିତରେ ରହି ଅନ୍ୟକୁ ଆନନ୍ଦ ପ୍ରଦାନ କରୁଥିବା ଏହି କଳାକାରଙ୍କ ବାସ୍ତବ ଜୀବନ ଏବେ ବାସ୍ତବରେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । କିପରି ଚାଲିବ ଏହି କଳାକାରଙ୍କ ତେଲନୁଣର ସଂସାର । କରେନା ଉଜାଡି ଦେଇଛି ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ । ପିଲାଛୁଆଙ୍କୁ ନେଇ ଏମାନଙ୍କ ସଂସାର ରଥ ଆଗକୁ କିପରି ଗଡିବ ତାକୁ ନେଇ ଏବେ ସନ୍ଧିହାନ ହୋଇପଡିଛନ୍ତି ଏହି ବର୍ଗର କଳାକାରବର୍ଗ ।
ପଶୁମୁଖା ନୃତ୍ୟର ଏନ୍ତୁଡିଶାଳ ଭଞ୍ଜନଗର ବ୍ଲକର ବଡକୋଦଣ୍ଡା ଗ୍ରାମରେ ରହିଛି ବହୁ ପଶୁମୁଖା ନୃତ୍ୟ ଅନୁଷ୍ଠାନ । ବର୍ଷର ବିଭିନ୍ନ ସମୟରେ ଯାନିଯାତ୍ରା ଠାରୁ ଆରମ୍ଭ କରି ବିବାହ, ବ୍ରତ ଆଦି କାର୍ଯ୍ୟରେ ଅଂଶଗ୍ରହଣ କରି ବେଶ ଦିପଇସା ରୋଜଗାର କରି ଅନୁଷ୍ଠାନକୁ ବଞ୍ଚାଇ ରଖିବାସହ କକାକାରମାନେ ନିଜେ ବଞ୍ଚି ଥାନ୍ତି । ଏମାନଙ୍କ ବ୍ୟତୀତ ଭଞ୍ଜନଗର ଅଂଚଳର ଉପେନ୍ଦ୍ର ଭଞ୍ଜ ପଶୁମୁଖା ନୃତ୍ୟ ଅନୁଷ୍ଠାନ, ବିଶ୍ୱଜନନୀ କଳା ପରିଷଦ ଭଳି ବହୁ ସୁନାମଧନ୍ୟ ପଶୁମୁଖା ନୃତ୍ୟାନୁଷ୍ଠାନ ଦେଶ ବିଦେଶରେ ଏହି ଲୋକକଳାର ପ୍ରଚାର ପ୍ରସାର କରି ବେଶ ପ୍ରଶଂସା ସାଉଁଟିଛନ୍ତି ।
ହେଲେ ଏବେ ମହାମାରୀ କରୋନା ଏମାନଙ୍କ ସମସ୍ତ ଆଶକୁ ଧୂଳିସାତ କରିଦେଇଛି । କରୋନା ସଂକ୍ର୍ରମଣ କାରଣରୁ ଏମାନଙ୍କ ୩ମାସ ବୃଥା ଯାଇଛି । ଏହି ୩ମାସ ହିଁ ଏମାନଙ୍କୁ ବର୍ଷକର ଆଦାୟ ଦେଇଥାଏ । ଚଳିତବର୍ଷ କରୋନା ସଂକ୍ରମଣ ଭୟରୁ ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ବନ୍ଦ ହୋଇଗଲା । ସେହପରି ପଶ୍ଚିମ ଓଡିଶାର ଶୀତଳଷଷ୍ଠୀ ଯାତ୍ରାରେ ଏମାନେ ବେଶ ଭଲ ଦିପଇସା ପାଇଥାନ୍ତି । ଚଳିତବର୍ଷ ତାହାବି କରୋନା ଯୋଗୁଁ ବନ୍ଦ ହୋଇଗଲା ।
ଏହି ୩ମାସରେ ଅନେକ ବିବାହ ଆଦି ଉତ୍ସବ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଗଲା । ଫଳରେ କଳାକାରମାନେ ଏବେ କିଛି କାମ ନପାଇ ହାତଟେକି ବସିଛନ୍ତି । ଏହି ଅନୁଷ୍ଠାନ ସମୁହ ବ୍ଲକ କଳା ଓ ସାଂସ୍କୃତିକ ସଂଘରେ ନିଜକୁ ପଞ୍ଜିକୃତ କରିବାସହ ସରକାରଙ୍କ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ଏବେ ସେସବୁ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ଏହି ଦୁସ୍ଥ କଳାକାରମାନଙ୍କ ଜୀବନ ଜୀବିକା ଏବେ ଠପ୍ ହୋଇପଡିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଏହିସବୁ ଅନୁଷ୍ଠାନର ଗୁରୁମାନେ ମାସିକ ୧୨ଶହ ଟଙ୍କା ଲେଖାଏଁ ହିସାବରେ ଏବେ ଏକକାଳୀନ ୪ମାସର ୪୮ଶହ ଟଙ୍କା ପାଇଛନ୍ତି । ହେଲେ ଏହା ଏମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ । କାରଣ ଗୁରୁମାନେ ସିନା ସହାୟତା ପାଇଲେ ହେଲେ ଗୋଟିଏ ଗୋଟିଏ ଅନୁଷ୍ଠାନରେ ପାଖାପାଖି ୨୦ରୁ ଉର୍ଦ୍ଧ କଳାକାର ରହିଥିବାବେଳେ ଏହି କଳାକାରମାନେ କିନ୍ତୁ ଟଙ୍କାଟିଏ ମଧ୍ୟ ସହାୟତା ପାଇପାରିନାହାନ୍ତି । ଫଳରେ ଶହ ଶହ କଳାକାରଙ୍କ ବଞ୍ଚିବା ମୁସ୍କିଲ ହୋଇପଡିଛି ।