ଭଦ୍ରକ: ପୁଣି ୪ କରୋନା ପଜିଟିଭ୍ ଚିହ୍ନ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ , ସୁସ୍ଥ ହେଲେଣି ୧୭୭, ଚିକିତ୍ସ୍ୟା ଧୀନ ୨୪
ଭଦ୍ରକ :ଭଦ୍ରକ ଜିଲ୍ଲାରେ ଆଜି “କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଶତକ ଛୁଇଁଛି । ଆଜି ପୁଣି ୪ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଜିଲ୍ଲାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧ରେ ପହଞ୍ଚିଛି । ଆଜି ଚିହ୍ନଟ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ଟିଏମ୍ସି ବା ସଙ୍ଗରୋଧ କେନ୍ଦ୍ରରେ ଥିଲେ ।
ଜଣେ ଆକ୍ରାନ୍ତ ଭଦ୍ରକ ବ୍ଲକ କାଉପୁର ନୋଡାଲ ସ୍କୁଲ ଟିଏମ୍ସିରେ ଥିବା ବେଳେ ଜଣେ ଧାମନଗର ଏନଏସି ଅନ୍ତର୍ଗତ ଧାମନଗର ହାଇସ୍କୁଲ ଟିଏମ୍ସି, ଜଣେ ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ଟିଏମ୍ସିରେ ଥିବା ବେଳେ ଅନ୍ୟଜଣେ ଭଦ୍ରକ ବ୍ଲକ ଓଲଙ୍ଗ ସ୍ଥିତ କୋଭିଡ କେୟାର ସେଣ୍ଟରରେ ଥିଲେ ।
ଚିହ୍ନଟ ହେବା ପରେ ଏହି ୪ଜଣଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ଜଣେ ଉତ୍ତରପ୍ରଦେଶ ଫେରନ୍ତା ଓ ଅନ୍ୟ ଜଣେ ନୂଆଦିଲ୍ଲୀ ଫେରନ୍ତା ବୋଲି ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣାଯାଇଛି । ଜିଲ୍ଲାରେ ଏବେ ମୋଟ ୨୦୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୭ଜଣ ସୁସ୍ଥ ହୋଇଥିବା ବେଳେ ୨୪ଜଣ ଚିକିତ୍ସ୍ୟାଧୀନ ଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।