Odisha news

ନିଆରା ଜନନାୟକ ନବକୃଷ୍ଣ ଚୌଧୁରୀ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଜଗତସିଂହପୁର ଜିଲ୍ଲା ଖେରସ ଗ୍ରାମରୁ – ତରି ଆଶ୍ରମ ଓ ତରି ଆଶ୍ରମରୁ ଅନୁଗୁଳର ବାଜିରାଉତ ଛାତ୍ରାବାସ – ଏହାହିଁ ଦୀର୍ଘ ଆଠ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୨୩ ନଭେମ୍ବର ୧୯୦୧ ମସିହାରୁ ଆଉ ଯାତ୍ରାର ସମାପ୍ତି ଘଟିଲା ଜୁନ୍ ୨୪, ୧୯୮୪ ମସିହାରେ । ସଂଗ୍ରାମ, ତ୍ୟାଗ ଓ ଜନସେବାରେ ବିତିଗଲା ଜୀବନ । ମଣିଷପଣିଆର ନିଚ୍ଛକ ଉଦାହରଣ ଭିତରେ ହଜିିଗଲା ଜୀବନଟି । ଜୀବନ ସିନା ହଜିଗଲା ହେଲେ ସେ ଜୀଇଁ ରହିଛନ୍ତି ଆମ ଭିତରେ ତାଙ୍କ ସୁକର୍ମ ଓ ଉଚ୍ଚ ଆଦର୍ଶ ପାଇଁ ଆଉ ଜୀଇଁ ରହିଥିବେ ସବୁଦିନ ପାଇଁ ।

ସେ ହେଉଛନ୍ତି ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ,ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ, ସରଳ ନିରାଡମ୍ବର ଓ ନିରହଙ୍କାରୀ ମଣିଷ ଏବଂ ସର୍ବୋପରି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ।

ବାଲ୍ୟକାଳରୁ ତାଙ୍କର ଦେଶପ୍ରେମ ଓ ସମାଜସେବା ମନୋବୃତ୍ତିର ସୁରାକ ମିଳିଥିଲା । ସୌଭାଗ୍ୟକୁ ସେ ଏପରି ଏକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯେଉଁଠି ଦେଶଟାଯାକର ସ୍ୱପ୍ନ ସେଇ ଘର ଭିତରେ ଜମାଟ ବାନ୍ଧି ରହିଥିଲା । ଘରସାରା ପ୍ରବାହିତ ହେଉଥିଲା ସଂଗ୍ରାମର ଏକ ଆବହାୱା । ଏହି ପରିବାରର ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ,ଉକ୍ରଳର ମା’ ରମାଦେବୀ,ମହୀୟସୀ ନାରୀ ନେତ୍ରୀ ମାଳତୀ ଚୌଧୁରୀ ଓ ଅଗ୍ନିକନ୍ୟା ଅନପୂର୍ଣ୍ଣାମହାରଣାଙ୍କୁ ଅବା ନ ଜାଣେ କିଏ? ଏଭଳି ଉତ୍ସର୍ଗୀକୃୃତ ପରିବାର ଭାରତ ଇତିହାସରେ ବିରଳ ।

ପରବର୍ତ୍ତୀ କାଳରେ ଜାତିର ପିତା ମହାତ୍ମାଗାନ୍ଧୀ, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଓ ବିଶିଷ୍ଟ ସର୍ବୋଦୟ ନେତା ବିନୋବା ଭାବେଙ୍କ ଚିନ୍ତା ଓ ଚେତନା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଏମାନଙ୍କ ପ୍ରେରଣା ହିଁ ତାଙ୍କୁ ଜଣେ ବିପ୍ଳବୀ ଓ ଜନନାୟକ ଭାବେ ଗଢିବା ନିମନ୍ତେ ଅନୁକୂଳ ପରିବେଶ ଯୋଗାଇଥିଲା ।

୧୯୨୧ ମସିହାର କଥା । ସେତେବେଳେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଥାଏ ସମଗ୍ର ଦେଶରେ । ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ କଲେଜ ଛାତ୍ରମାନେ ପାଠପଢା ଛାଡି ଅସହଯୋଗ ଆନେ୍ଦାଳନରେ ଯୋଗଦେଲେ ସେମାନଙ୍କ ଭିତରୁ ଜଣେ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କ ଆଗରେ ଥିଲା ସୁନେଲି ଭବିଷ୍ୟତ । ସେ ଚାହିଁଥିଲେ ଉଚ୍ଚ ଶିକ୍ଷା ଲାଭ କରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଥାନ୍ତେ । ମାତ୍ର ସେସବୁକୁ ପଛରେ ପକାଇ ପାଠରେ ଡୋରି ବାନ୍ଧି ସେ ଝାସ ଦେଲେ ଅସହଯୋଗ ଆନେ୍ଦାଳନରେ । ଆଉ ତା’ ପରଠାରୁ ସେ ହୋଇଗଲେ ସଚ୍ଚା ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ ।

ଏହାପରେ ୧୯୩୦ ମସିହାର ଲବଣ ସତ୍ୟାଗ୍ରହରେ ଭାଗନେଇ ବନ୍ଦୀ ହେଲେ ନବକୃଷ୍ଣ । ଜେଲରୁ ଫେରି ସେ ତରି ଆଶ୍ରମରେ ଏକଜୁଟ କଲେ ଖଟିଖିଆ, ମେହନତି ମଣିଷ ଓ ଚାଷୀମାନଙ୍କୁ । ସେମାନଙ୍କୁ ସଚେତନ କରିବା ପାଇଁ ନିଜ ସ୍ତ୍ରୀର ଗହଣା ବିକି ୧୯୩୩ ମସିହାରେ ‘ସାରଥୀ’ ନାମକ ଏକ ମୁଖପତ୍ର ପ୍ରକାଶ କଲେ । ଏହି ପତ୍ରିକାର ମୁଖବନ୍ଧରେ ଲେଖାଥିଲା – ‘ଦୁନିଆର ସବୁ ଶ୍ରମିକ ଏକ ହୁଅ’ । ପରେ ୧୯୪୦ ମସିହାରେ ସତ୍ୟାଗ୍ରହ ବାଣୀ ପ୍ରଚାର ଓ ୧୯୪୨ ମସିହାରେ ଭାରତ ଛାଡ ଆନେ୍ଦାଳନରେ ସାମିଲ ହୋଇ ସେ ମଧ୍ୟ କାରା ବରଣ କରିଥିଲେ ।

ଏପରିକି ପରିଣତ ବୟସରେ ଜରୁରୀକାଳୀନ ପରିସ୍ଥିତିକୁ ସମାଲୋଚନା କରି ୧୯୭୫ମସିହାରେ ଛଅମାସ ଜେଲ ଦଣ୍ଡ ଭୋଗିଥିଲେ ।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାର ଐତିହାସିକ ଚିତ୍ର ବଦଳିଗଲା । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା – ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ଓଡ଼ିଶା ଗଡଜାତ ଗୁଡିକର ମିଶ୍ରଣ । ଏହି ମିଶ୍ରଣରେ ନବକୃଷ୍ଣ ଚୌଧୁରୀଙ୍କ ଯଥେଷ୍ଟ ଅବଦାନ ଥିଲା । ୧୯୫୦ ମେ’ ମାସରୁ ୧୯୫୬ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରାୟ ସାଢେଛଅ ବର୍ଷ ପର୍ଯ୍ୟନ୍ତ ସେ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ନିର୍ମାଣ ଭିତ୍ତି ସ୍ଥାପନ ହୋଇଥିଲା ।

ଭାଗଚାଷୀ ଆଇନ, ଜମିଦାରୀ ଉଚ୍ଛେଦ, ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଆଇନ, ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରଣୟନ ଭଳିି ସେ ବହୁ ବଳିଷ୍ଠ ଓ ଜନହିତକର ପଦକ୍ଷେପ ନେଇଥିଲେ । ସେହିପରି ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇ ସେ ନେଇଥିଲେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିସହିତ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ହୀରାକୁଦ ବହୁମୁଖୀ ଯୋଜନା ତଥା ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପ ଯୋଜନା ରାଉରକେଲା ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଘଟଣାଚକ୍ରରେ ବିଧାନସଭାର ଅଧିକାଂଶ ସଦସ୍ୟମାନଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ଥିଲେ ବି ୧୯୫୬ ମସିହା ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବବାବୁ । ଆଜିର ରାଜନେତାମାନେ କ୍ଷମତାକୁ ଜାବୁଡି ଧରି ରଖିବା ପାଇଁ ବ୍ୟାକୁଳ ହେଉଥିଲା ବେଳେ ମୁଖ୍ୟମନ୍ତ୍ରୀ ଭଳି ଉଚ୍ଚ ପଦବୀରୁ ସ୍ୱଇଚ୍ଛାରେ ଓହରିଯିବା ଦେଶର ଇତିହାସରେ ଏକ ବିରଳ ଦୃଷ୍ଟାନ୍ତ କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଏହାପରେ ସେ ମାନବ ସେବାକୁ ମାଧବ ସେବା ରୂପେ ଗ୍ରହଣ କରି ନିଜ ସହଧର୍ମିଣୀ ମାଳତୀ ଚୌଧୁରୀଙ୍କ ସହ ନିଜକୁ ଶେଷ ଜୀବନ ପର୍ଯ୍ୟନ୍ତ ନିୟୋଜିତ କରିଥିଲେ ଅନୁଗୁଳ ଠାରେ ଥିବା ବାଜିରାଉତ ଛାତ୍ରାବାସରେ ।

ନବକୃଷ୍ଣ ଚୌଧୁରୀ ଆଜି ଆମ ଗହଣରେ ନାହାଁନ୍ତି । ତାଙ୍କ ଅବର୍ତ୍ତମାନରେ ବିରାଟ ଶୂନ୍ୟତା । ଧୂଳିଧୂସର ଚାଷୀ, ଖଟିଖିଆ, ମେହନତି ମଣିଷ ପାଇଁ ସେ ଦେଖିଥିବା ସ୍ୱପ୍ନ ଏବେବି ଅଧୁରା । ସମୟ ଆସିଛି – ଆମେ ନିଜକୁ ବଦଳାଇବା, ଆମ ଜାତି ଓ ଜାତୀୟତା ପାଇଁ ନିଜକୁ ଉତ୍ସର୍ଗ କରିବା, ଯାହା ନବକୃଷ୍ଣ ଚୌଧୁରୀ କରିଥିଲେ । ତାଙ୍କ ପ୍ରଦର୍ଶିତ ମାର୍ଗ ଓଡିଆ ଜାତିକୁ ଦିଗ୍ଦର୍ଶନ ଦେଉ, ରାଜନୀତିଜ୍ଞମାନଙ୍କୁ ନୂତନ ଦୃଷ୍ଟିଭଙ୍ଗୀ ପ୍ରଦାନ କରୁ ଓ ଆମ ସମସ୍ତଙ୍କୁ ସେବାମନ୍ତ୍ରରେ ଦୀକ୍ଷିତ କରୁ, ଏହାହିଁ ଆଜିର ଅନୁଚିନ୍ତା ।

Leave A Reply