Odisha news

ଦେବତ୍ତୋର ଜମି ଜବର ଦଖଲକୁ ନେଇ ୫ଟି ଗ୍ରାମରେ ତୀବ୍ର ଉତ୍ତେଜନା : ବାଡ ଉଠାଇ ଜାଳି ଦେଲେ ଗ୍ରାମବାସୀ , ପ୍ରଶାସନିକ ଅବହେଳାକୁ ନିନ୍ଦା

0

ବେତନଟୀ  : ବେତନଟୀରେ ଥିବା ରଘୁନାଥ ଜୀଉ ବିଜେ ବାରିପଦାଙ୍କର ପ୍ରଚୁର ଜମି ରହିଛି । ଏହି ଜମି ଗୁଡିକର ଦାୟୀତ୍ୱରେ ବାରିପଦା ଦେବତ୍ତୋର ନିର୍ବାହୀ ଅଧିକାରୀ ରହିଛନ୍ତି । ଏହି ଜମି ଗୁଡିକ ମଧ୍ୟରୁ କିଛି ଜମି ଜବର ଦଖଲରେ ରହିଛି, କିଛି ଲିଜ ଆକାରରେ ଲୋକ ମାନେ ନେଇ ବ୍ୟବହାର କରୁଛନ୍ତି, କିଛି ଜମିରେ ଦୋକାନ ଓ ଘର କରି ଭଡାରେ ଦିଆ ଯାଇଛି ଓ କିଛି ଜମିକୁ ଲୋକେ ଚାଷବାସ କରି ଶସ୍ୟ ଆକାରରେ ଜମିର ଭଡା ଦିଆ ଯାଉଛି । ଏଥିରୁ ଯାହା ଆୟ ଆସେ ସେଥିରେ ଠାକୁରଙ୍କ ନୀତିକାନ୍ତି ଚାଲେ । ତେବେ କେତେକ ଜମିକୁ ବିନା କୌଣସି ସରକାରୀ ଅନୁମତି, ଲିଜ ପତ୍ର ନଥିବା ବେଳେ ଜବର ଦଖଲ କରିବାକୁ ପ୍ରୟାସ କରା ଯାଇ ଥିଲା । ଖାତା ନମ୍ବର ୩୮୧/୧ରେ ଥିବା ଜମିକୁ ବାଡ ଘେରି ଜବର ଦଖଲ କରା ଯାଉ ଥିବା ବେଳେ ଏହି ଘଟଣାକୁ ନେଇ ମହୁଲିଆ, ଶଗଡଭଙ୍ଗା, ଇନ୍ଦିରାନଗର, ନାଏକ ସାହି, କେରକ ସାହି ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇ ଥିଲା ।

ଠାକୁରଙ୍କ ଜମିକୁ ଏମିତି ବେଆଇନ ଦଖଲକୁ ଜନସାଧାରଣ ବିରୋଧ କରିବା ସହିତ ବସା ଯାଇ ଥିବା ବେଆଇନ ବାଡକୁ ମଧ୍ୟ ଉଠାଇ ଜାଳି ଦେଇ ଥିଲେ ।  ବେତନଟୀ ସରପଞ୍ଚ ଦୁଃଖିଆ ମୁର୍ମୁ, ଉମାକାନ୍ତ ମହାନ୍ତ, ପୂର୍ବତନ ସରପଞ୍ଚ ପାନମଣୀ ମୁର୍ମୁ, ଦାମୋଦର କିସ୍କୁ, ଦୈତାରୀ ମହାନ୍ତ, ବନମାଳି ସିଂ, ନବଘନ ମୁର୍ମୁ, ମଦନ ମୁର୍ମୁ, ଭାଗମାତ ଟୁଡୁ, କରୁଣାକର ହାଁସଦା, ବନମାଳୀ ବାସ୍କେ, ଶରତ କୁମାର ମାଝୀ, ରତନ ମୁର୍ମୁ, ଜେନା ବେସ୍ରା, ଲୁଧିଆ ବେସ୍ରା, ହରିଚାନ୍ଦ ବେସ୍ରା, ସତ୍ୟରଞ୍ଜନ ବିନ୍ଧାଣୀ, ରାଜୁ କିସ୍କୁ, ନିମାଇଁ ମୁର୍ମୁ, ଫାଗୁ ମୁର୍ମୁ, ଭରତ ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅନ୍ୟାୟ ବାଡଘେରାକୁ ବିରୋଧ କରି ଥିଲେ । ଗୋଟିଏ କରୋନା ପାଇଁ ମାନବ ସମାଜ ଚାପଗ୍ରସ୍ତ, ଦେବସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥ ଅସୁସ୍ଥ ଓ ଅଣସର ଘରେ ବିରାଜିଛନ୍ତି । ଏପରି ସମୟରେ ଠାକୁରଙ୍କ ଜମିକୁ ଜବର ଦଖଲ କରିବା ଘୋର ଅନ୍ୟାୟ ବୋଲି ମତ ପ୍ରକାଶ ପାଇ ଥିଲା ।

ଠାକୁରଙ୍କ ସମ୍ପତ୍ତି ପ୍ରତି ପ୍ରଶାସନିକ ଅବହେଳାକୁ ସାଧାରଣରେ ନିନ୍ଦା କରା ଯାଇ ଥିଲା । ଘଟଣା ସମ୍ପର୍କରେ ଦେବତ୍ତୋର ମ୍ୟାନେଜର ମୁଚିରାମ ବେହେରାଙ୍କ ସହିତ ଯୋଗାଯୋଗ କରିବା ପରେ ଏହି ବାଡ ଘେରିବା ବେଆଇନ ବୋଲି କହିଛନ୍ତି । ସେଠାରେ କୌଣସି ବ୍ୟକ୍ତିଙ୍କୁ ଜମି ଲିଜ ସୁତ୍ରରେ ଦିଆ ଯାଇ ନାହିଁ । ତେବେ ଜବର ଦଖଲକାରୀ ମାନେ ବାଡ ଘେରୁ ଥିବାର ଖବର ପାଇ ସେ ଘଟଣା ସ୍ଥଳକୁ ଯାଇ ଥିଲେ ଓ ବେଆଇନ ଭାବେ ଜମିକୁ ବାଡ ଘେରିବାକୁ ମନା କରି ଥିଲେ । ସେଠାରେ ଉପସ୍ଥିତ ଥିବା କୁନା ବେହେରା, କରୁଣାକର ମଣ୍ଡଳ, ବାଦଲ ପୃଷ୍ଟି, ବାପି ମହାକୁଡ, ରଘୁନାଥ ସାହୁ, ଛତିଶ ପୃଷ୍ଟି ପ୍ରମୁଖ ଦେବତ୍ତୋର ମ୍ୟାନେଜରଙ୍କ ସହିତ ଯୁକ୍ତି ତର୍କ କରି ତାଙ୍କୁ ଗାଳି ଗୁଲଜ କରି ଥିଲେ । ଏହାକୁ ନେଇ ଦେବତ୍ତୋର ମ୍ୟାନେଜର ମୁଚିରାମ ବେହେରା ବେତନଟୀ ଥାନା ଓ ତହସିଲରେ ଲିଖିତ ଭାବେ ଜଣାଇଛନ୍ତି । ଘଟଣା ସମ୍ପର୍କରେ ଦେବତ୍ତୋର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରା ଯାଇ ଥିବାର ଦେବତ୍ତୋର ମ୍ୟାନେଜର କହିଛନ୍ତି ।

 

Leave A Reply