ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଅନ୍ତର୍ଗତ ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟ ର ଇକୋ କ୍ଲବ୍ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ “ପ୍ରକୃତି ଶିବିର” ଅନୁଷ୍ଠିତ ହୋଇ ଯାଇଅଛି। ବାଉଁଶ ନଦୀ ତଟଦେଶ ନିକଟ ଜହତା ଠାରେ ବିଦ୍ୟାଳୟ ର ୧୮୦ ଜଣ ଛାତ୍ର ଛାତ୍ରୀ, ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ର ସଂସଦ ସଦସ୍ୟ ଗଣ ଏହି ଏକ ଦିବସୀୟ ଶିବିରରେ ଅଂଶ ଗ୍ରହଣ କରିଥିଲେ।
ପୂର୍ବାହ୍ନ ୮ ଘଟିକାରେଏହି ଶିବିର କୁ ଉଦଘାଟନ କରିଥିଲେ ପରିଚାଳନା କମିଟିର ସଭାପତି ତଥା ପରିବେଶବିତ୍ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର। ଛାତ୍ର ଛାତ୍ରୀ ମାନେ ନଦୀ ତଟ ଦେଶକୁ ସଫେଇ କରି ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ ସଂଗ୍ରହ କରି ଥିଲେ। ଏହା ପରେ ବର୍ଜ୍ୟ ବସ୍ତୁକୁ ପୁନଃ ବ୍ୟବହାର କରି ସୁନ୍ଦର ସୁନ୍ଦର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଥିଲେ।
ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ଜଳ, ଜମି, ଜଙ୍ଗଲ ସୁରକ୍ଷା ଉପରେ ଆଧାରିତ ଦୁଇଗୋଟି କ୍ଷୁଦ୍ର ନାଟକ ପ୍ରଦର୍ଶନ କରାଯାଇଥିଲା। ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଏକ ସଚେତନତା ରାଲି ରେ ସାମିଲ୍ ହୋଇ ଥିଲେ ସମସ୍ତ ଶିବିରାର୍ଥି। “ଆମ ପରିବେଶ ସୁରକ୍ଷା ପାଇଁ ଆମେ” ବିଷୟ ବସ୍ତୁ ଆଧାରିତ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିଲେ ସମସ୍ତ ଛାତ୍ର ଛାତ୍ରୀ। ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ହେମନ୍ତ କୁମାର ସାମଲ, ପରିବେଶବିଦ୍ ରବୀନ୍ଦ୍ର ମହାନ୍ତ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ ଦେଇ ଥିଲେ। ଭାରତ ସରକାର ଙ୍କ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟ ର ପରିବେଶ ଶିକ୍ଷା କାର୍ଯକ୍ରମ ଓ ସେଣ୍ଟର୍ ଫର୍ ଏନଭିରନ ମେଣ୍ଟାଲ୍ ଷ୍ଟଡିଜ୍( ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟ ଓଡ଼ିଶା ସରକାର) ଙ୍କ ସହଯୋଗ ରେ ଏହି ପ୍ରକୃତି ଶିବିର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ଶିବିରରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପରିବେଶ ପ୍ରେମୀ ଶ୍ରୀ ଅତୁଲ କୁମାର ମିଶ୍ର , ପ୍ରଫୁଲ୍ଲ କୁମାର ମିଶ୍ର, ସତ୍ୟନାଥ ମହାନ୍ତ, ହରେକୃଷ୍ଣ ମହାନ୍ତ, ଶୁଭାଶିଷ ପଣ୍ଡା, ବଂଶୀଧର ଗିରି ଓ ଉପେନ୍ଦ୍ର ନାଥ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରଟିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଧନ୍ୟବାଦ୍ ଜ୍ଞାପନ କରିଥିଲେ।