ବେତନଟୀ : ବୈଶିଙ୍ଗା ଥାନା ଅଧୀନ ବଗଲପୁର ଛକ ନିକଟରେ ଆଜି ହୋଇଯାଇଥିବା କାର-କଣ୍ଟେନର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ କାରଯାତ୍ରୀ। ମିଳିଥିବା ସୂଚନା ଅନୁସାରେ ଫୁଲବାଣୀରୁ ନିଜ ପରିବାରର ୨ଜଣ ଯୁବକ, ୩ଜଣ ମହିଳାଙ୍କ ସମେତ ୨ ଶିଶୁଙ୍କୁ ନେଇ ମନୋଜ ଦାଶ ନାମକ ଜଣେ ବ୍ୟକ୍ତି ଓଡି-୩୩ଇୟୁ-୪୪୪୯ନଂ ବିଶିଷ୍ଟ ଏକ ହୁଣ୍ଡାଇ କାର ଯୋଗେ ନିଜ ବାରିପଦା ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ l ବଗଲପୁର ଛକ ନିକଟରେ ସେ ବାମ ପଟରେ ଯାଉଥିବା ଏକ ଟ୍ରାକ୍ଟରକୁ ଓଭରଟେକ କରିବାବେଳେ ଭାରସାମ୍ୟ ହରାଇଥିଲେ , ସେହି ସମୟରେ ସମାନ ଦିଗରେ ଭୁବନେଶ୍ୱରରୁ କାନପୁର ଯାଉଥିବା ନଂ ଇୟୁପି-୭୮ଜିଏନ-୭୫୯୪ ବିଶିଷ୍ଟ ଏକ ପାର୍ସଲ ବୋଝେଇ ଟ୍ରକ ଦେହରେ ପିଟି ହୋଇଯାଇଥିଲେ l ପରେ କାରଟି ସମ୍ପୂର୍ଣ୍ଣ ଟ୍ରକ ସାମ୍ନାକୁ ଚାଲି ଆସିବା ଯୋଗୁଁ ଘୋଷାଡି ହୋଇ ରାସ୍ତାର ଡିଭାଇଡର ଉପରେ ଚଢି ଯାଇଥିଲା l ଏଥିରେ କାରର ଡାହାଣ ପଟ ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ବି କାର ମଧ୍ୟରୁ ୨ଶିଶୁ ସମେତ ସମସ୍ତଙ୍କୁ ସାମାନ୍ୟ ଆହତ ପୂର୍ବକ ସୁରକ୍ଷିତ ବାହାର କରିଥିଲେ ସ୍ଥାନୀୟ ଲୋକ l ଦୁର୍ଘଟଣାରେ କ୍ଷତିଗ୍ରସ୍ତ କାର ଓ ଟ୍ରକ ରାଜପଥ ଉପରେ ପଡିରହିବା ଯୋଗୁଁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ କାରକୁ କ୍ରେନ ସାହାଯ୍ୟରେ ରାସ୍ତା ଉପରୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା l ଏନେଇ ବୈଶିଙ୍ଗା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ କରାଯିବା ସହ ଉଭୟ ଗାଡିକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି l