ବେତନଟୀ : ସ୍ୱାସ୍ଥ୍ୟସେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କେମିତି ଚାଲିଛି ତାହା ଅନୁଭବ ନ କରିଲେ ବଖାଣି ହେବ ନାହିଁ।ଶହେ ବର୍ଷର ବୈଶିଙ୍ଗା ଡାକ୍ତରଖାନା ଆଜି ବି ଅବହେଳିତ ଅବସ୍ଥାରେ ରହିଛି। ୨୧ଟି ପଞ୍ଚାୟତର ସର୍ବସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ଦୈନିକ ୩୦୦ରୁ ଉର୍ଦ୍ଧ୍ଵ ରୋଗୀ ଆଉଟଡୋର ରେ ପଞ୍ଜିକରଣ ହେଉଥିବାର ଜଣା ଯାଇଛି। ମାତ୍ର ସ୍ୱତନ୍ତ୍ର ଚିକିତ୍ସାର ସୁବିଧା ନାହିଁ। ଏ ସବୁକୁ ଲକ୍ଷ୍ୟ କରି ଡାକ୍ତରଖାନାର ସର୍ବାଙ୍ଗୀନ ଉନ୍ନତି ଦାବିରେ ଆଞ୍ଚଳିକ ବିକାଶ ପରିଷଦ ଚାରିବର୍ଷ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀଙ୍କୁ ଧୋକା ଦେଇଥିଲା। ଏଥିପାଇଁ ଗାନ୍ଧିଜୟନ୍ତୀ ଠାରୁ ରିଲେ ଅନଶନ ପାଇଁ ପ୍ରଶାସନକୁ ଜଣାଇ ଦିଆଯାଇଥିଲା।ଏହି ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି,ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବାପରେ ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅନଶନ ସ୍ଥାନରେ ପହଞ୍ଚି ସମର୍ଥନ ଜଣାଇ ଥିଲେ। ସରକାର ଯଥା ଶୀଘ୍ର ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟ୍ରମା କେୟାର ଘୋଷଣା କରିବାକୁ ଦାବି ରହିଛି। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।