ବେତନଟୀ : ବେତନଟୀ ବ୍ଲକ ଅଧୀନ ସଇତପୁର ପଞ୍ଚାୟତ ର କୁରାଢିକ ଗ୍ରାମରେ ଆଜି ୨୦ ରୁ ଉର୍ଦ୍ଧ୍ଵ ହାତୀ ଏକର ଏକର ଚାଷ ଜମିକୁ ଦଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଦିନ ସମୟ ରେ ସମସ୍ତ ହାତୀ ଗୁଡିକ ଜଙ୍ଗଲ ମଧ୍ୟରେ ରହିଯାଉଥିବା ବେଳେ ରାତ୍ରୀ ସମୟରେ ଗ୍ରାମ ମଧ୍ୟ କୁ ପ୍ରବେଶ କରି ଧନଜୀବନ ନଷ୍ଟ କରୁଛନ୍ତି। ବର୍ତ୍ତମାନ ଚାଷ କ୍ଷେତ୍ରରେ ନୂତନ ଧାନଗଛ ଗୁଡ଼ିକୁ ଖାଇବା ପାଇଁ ବିଲ ଭିତରେ ପଶିବା ସହ ଦଳି ସମୂର୍ଣ୍ଣ ଚାଷ ଜମିକୁ ନଷ୍ଟ କରିଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀ ମାନେ ହେଲେ କୁରାଢିକ ଗ୍ରାମର ଶଚିଦାନନ୍ଦ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ନରେନ୍ଦ୍ର ମହାନ୍ତ, ଜନ୍ମେଞ୍ଜୟ ମହାନ୍ତ, ରାଇବୁ ସରେନ, ଅଶୋକ କୁମାର ମହାନ୍ତ, ଚୁନୁରାମ ମହାନ୍ତ, ଲାଙ୍ଗା ମୁର୍ମୁ, ଗୁରୁଚରଣ ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ । ସମସ୍ତ ହାତୀ ଏବେ ପାଖ ଜଙ୍ଗଲ ମଧ୍ୟରେ ଥିବା ଜଣାଯାଇଛି। ଏମାନଙ୍କର ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଥିବା ବେଳେ ସେମାନେ ସମସ୍ତେ ଏବେ ଚିନ୍ତାରେ । ଋଣ କରି ଚାଷ କାର୍ଯ୍ୟ କରୁଥିବା ବେଳେ ହାତୀଙ୍କ ଦ୍ୱାରା ଏପରି ଚାଷ ନଷ୍ଟ ହେବା ଯୋଗୁଁ ସେମାନେ ଏବେ ଅବସାଦ ରେ ପ୍ରମାଦ ଗଣୁଛନ୍ତି।ବର୍ଷକର ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଥିବା ବେଳେ ଅନେକ ସମୟରେ କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ଅନୁଦାନ ଠିକ ସମୟରେ ମଧ୍ୟ ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି କ୍ଷତିଗ୍ରସ୍ତ ଚାଷୀ ମାନଙ୍କର କ୍ଷତିକୁ ସରକାରୀ ସ୍ତରରେ ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।