Odisha news

ବୈଶିଙ୍ଗା ଠାରେ ବସ ଟର୍ମିନାଲ ସାତ ସପନ , ଜାଗା ଚିହ୍ନଟ ହୋଇ ମଧ୍ୟ ବସଷ୍ଟାଣ୍ଡ ନିର୍ମାଣ ନହେବାର କାରଣ କଣ?

0

ବେତନଟୀ : ବୈଶିଙ୍ଗା ଠାରେ ଦୈନିକ ଶହ ଶହ ଯାତ୍ରୀଙ୍କ ବସ ଯୋଗେ ଯାତାୟତ ହେଉଛି। ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବୈଶିଙ୍ଗା ବସଷ୍ଟାଣ୍ଡ ଏକ ବ୍ୟସ୍ତବହୁଳ ସ୍ଥାନ ଅଟେ । ଯୋଗାଯୋଗ କ୍ଷେତ୍ରରେ ବୈଶିଙ୍ଗା ଏବଂ ଆଖପାଖ  ୧୫ କିଲୋମିଟର ପରିଧି ମଧ୍ୟରେ ରୂପସାରୁ ବୈଶିଙ୍ଗା ,ମାଣତ୍ରୀରୁ ବୈଶିଙ୍ଗା , ମେରଦାରୁ ବୈଶିଙ୍ଗା , ଗଣ୍ଡର୍ଦ୍ଦାରୁ ବୈଶିଙ୍ଗା ବସଷ୍ଟାଣ୍ଡ ପହଞ୍ଚି ଯାତ୍ରୀମାନେ ସମ୍ବଲପୁର, ରାଉରକେଲା, ଟାଟା , ରାଞ୍ଚି, କୋଲକାତା, କଟକ, ଭୁବନେଶ୍ଵର, ପୁରୀ, ବ୍ରହ୍ମପୁର,କେଉଁଝର ଇତ୍ୟାଦି ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି। ଏହି ଦୂରଗାମୀ ବସ ଗୁଡିକ ଦିନ ରାତି ୨୪ଘଣ୍ଟା ମଧ୍ୟରେ ନିଜ ନିଜ ସମୟରେ ଯାତାୟତ କରୁଥିବା ବେଳେ ଏହି ବସଗୁଡିକ ରହିବା ପାଇଁ ସ୍ୱତନ୍ତ୍ର ଟର୍ମିନାଲ ବା ବସଷ୍ଟାଣ୍ଡ ନ ଥିବାରୁ ବୈଶିଙ୍ଗା ବଜାର ମଧ୍ୟ ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ବସ ଗୁଡିକ ଛିଡା ହେବା ଯୋଗୁଁ ଖରା, ବର୍ଷା ଏବଂ ରାତ୍ରୀ ସମୟରେ ଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ଭାବେ ପରିଲକ୍ଷିତ ହେଉଛି।ଏହାର ନିରାକରଣ ପାଇଁ ସରକାରୀ ସ୍ତରରେ ଅଦ୍ଯାବଧି କୌଣସି ସୁବିଧା କରାଯାଇନାହିଁ।  ୨୦ ବର୍ଷ ତଳେ ତତ୍କାଳୀନ ବୈଶିଙ୍ଗା ନିର୍ବାଚନୀ ମଣ୍ଡଳୀର ମହିଳା ବିଧାୟିକା ଶ୍ରୀମତୀ ପ୍ରମିଳା ଗିରି ବିଧାନସଭା ଗୃହରେ ପ୍ରଶ୍ନକାଳ ମାଧ୍ୟମରେ  ବୈଶିଙ୍ଗା ଠାରେ ଏକ ବସ ଟର୍ମିନାଲର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥିଲେ ।

ଏହାକୁ ଉପଲବ୍ଧି କରି ବିଧାନସଭା ଗୃହ କମିଟିର ଚେୟାରମ୍ୟାନ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ନେତୃତ୍ଵରେ ଏକ ପ୍ରତିନିଧି ଦଳ ବୈଶିଙ୍ଗା ପହଞ୍ଚି ଅନୁଧ୍ୟାନ କରି  ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ସରକାର ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ୨ ଏକର ୩୭ ଡେସିମିଲ ପରିମିତ ଜମିକୁ ବସ ଟର୍ମିନାଲ ପାଇଁ ଚିହ୍ନଟ କରାଯିବା ସହ ସ୍ପେସିଆଲ ଫଣ୍ଡରୁ ୪୫ ଲକ୍ଷ ମଞ୍ଜୁର କରାଯାଇଥିଲେ ମଧ୍ୟ ଅଦ୍ଯାବଧି କୌଣସି କାର୍ଯ୍ୟ ନ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ବଡସାହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୈଶିଙ୍ଗା ଠାରେ ବସ ଟର୍ମିନାଲର ଆବଶ୍ୟକତା ଥିବା ବେଳେ ବେତନଟୀ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସରକାରୀ ଅନୁମୋଦନ ମିଳିଲା ମାତ୍ର ବୈଶିଙ୍ଗା ରେ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଏହା ପ୍ରତି  କୌଣସି ଗୁରୁତ୍ଵ ଦିଆଯାଇନାହିଁ । ଜନପ୍ରତିନିଧି  ମାନେ ଜନତାଙ୍କ ସେବା କରିବା ପରିବର୍ତ୍ତେ ନିଜ ସ୍ୱାର୍ଥ ପ୍ରତି ଗୁରୁତ୍ଵ ଦେଉଥିବା ଅଭିଯୋଗ ହେଉଛି। ସ୍ଥାୟୀ ବସ ଟର୍ମିନାଲ ନିର୍ମାଣ ନହେବା ଯୋଗୁଁ ଦୂରଗାମୀ ବସଗୁଡ଼ିକ ବୈଶିଙ୍ଗା ବଜାରର ଏକ କିଲୋମିଟର ଦୂରରୁ ଫ୍ଲାଏ ଓଭରବ୍ରିଜ ଉପର ଦେଇ ପଳାଇଯିବା ଯୋଗୁଁ ଅପେକ୍ଷାରତ ଯାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଥି ପାଇଁ ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଯାତ୍ରୀମାନଙ୍କର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୁପକ୍ଷ ଯଥାଶୀଘ୍ର ବସ ଟର୍ମିନାଲ ନିର୍ମାଣ କରାଇବାର ଅନୁକମ୍ପା ପ୍ରଦାନ କଲେ ଯାତ୍ରୀ ମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର ହୋଇପାରନ୍ତା ।

Govt
Leave A Reply