ବେତନଟୀ : ଦିନକୁ ଦିନ ବାଲି ମାଫିଆ ଙ୍କର ଭୂସ୍ବର୍ଗ ପାଲଟିଥିବା ଆମ ବେତନଟୀ ତହସିଲ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଯ୍ୟାଳୟ ଅଧିନ ବୁଢାବଳଙ୍ଗ ନଦୀର ଉଭୟ ପଠାର ବିସ୍ତୃତ ଅଞ୍ଚଳରୁ ଦୈନିକ ଶହ ଶହ ବାଲି ବୋଝେଇ ଡମ୍ପର ,ହାଇୱା ଆଦି ବଡ ବଡ ଗାଡିରେ ବାଲି ସବୁ ବାଲେଶ୍ଵର ଅଞ୍ଚଳକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ନିଲାମ ହୋଇଥିବା ବାଲି ଖାଦାନ ଗୁଡିକୁ ଆବଶ୍ୟକ କେ ଫର୍ମ ନ ଯୋଗାଇ ତହସିଲଦାର ମଧ୍ୟସ୍ଥି ଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ବଟୀ ନେଉଥିବାର ଅଭିଯୋଗ ହେଉଛି । ବୁଢାବଳଙ୍ଗ ନଦୀର କାଠପାଳ.ଦାରିହା, ନାଖରା,ବେଲାଣପୁରା, ପାଟଳିପୁରା, ପ୍ରତିମାଦେଇପୁର, ଖଣ୍ଡଦେଉଳା, ଡେଁଫୌଦା, କଣ୍ଟିପୁର ପର୍ଯ୍ୟନ୍ତ ନଦୀ ପଠାରୁ ଏତେ ପରିମାଣର ବାଲି ଉଠାଯାଇଛି ଯାହାକି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି। ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିବାରୁ ନଦୀରେ ଆଦୌ ପାଣି ନାହିଁ, ଫଳରେ ବାଲି ମାଫିଆ ଙ୍କୁ ସାରା ରାତି ବାଲି ଚାଲାଣ କରିବାକୁ ସୁବିଧା ହେଉଛି । ମାତ୍ର ଗରୀବ ଆବାସ ହିତାଧିକାରୀ ନିଜର ଛୋଟ କାମଟିଏ କରିବାପାଇଁ ଟ୍ରାକ୍ଟର ଯୋଗେ ୨/୩ ଟ୍ରିପ୍ ବାଲି ଆଣିବା ବେଳକୁ ତାଙ୍କ ଗାତିକୁ ଜବଦ କରି ଲୋକଦେଖାଣିଆ ଭାବେ ତାଙ୍କଠାରୁ ଜୋରିମାନା ଆଦାୟ କରା ଯାଉଥିବାର ଅଭିଯୋଗ ହେଉଛି । ସେହି ଜୋରିମାନା ଆଦାୟରେ ମଧ୍ୟ ହେରଫେର ହେଉଥିବାର ଖବର ଟ୍ରାକ୍ଟର ମାଲିକ ଙ୍କ ଠାରୁ ଜଣାଯାଇଛି। ଦଶ ହଜାର ଟଙ୍କାର ଜୋରିମାନା ନେଲେ ହଜାରେ ଟଙ୍କାର ରସିଦ ଦିଆଯାଉଛି । ଏଭଳି ଖବର ହସ୍ତଗତ ହେବାପରେ ତହସିଲଦାର ଙ୍କ କାର୍ଯ୍ୟାଳୟର ଜନୈକ ଅଧିକାରୀଙ୍କୁ ଯୋଗା ଯୋଗ କରାଯିବା ପରେ ସେ ଏହାକୁ ଖଣ୍ଡନ କରିଥିଲେ।
Prev Post
Next Post