Odisha news

ଚୋରି ପରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

0
ବ୍ରହ୍ମପୁର,୪।୧: ବ୍ରହ୍ମପୁର ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ା ଏକ ତାଲା ବନ୍ଦ ଘରୁ ଦୁର୍ବୃତ୍ତମାନେ ଚୋରି କରିବା ପରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି ା ସକାଳୁ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଘରେ ଲାଗି ରହିଥିବା ନିଆଁକୁ ଆୟତ କରିବା ସହ ତଦନ୍ତ କରିଛନ୍ତି ା ସୂଚନାପ୍ରକାରେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଂ ନିକଟ କଳିଙ୍ଗନଗର ଦ୍ବିତୀୟ ଲାଇନରେ ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘର ରହିଛି ା ଦେବୀପ୍ରସାଦଙ୍କ ପୁଅ ବମ୍ବେରେ ରହୁଥିବା ଯୋଗୁଁ ସମସ୍ତ ପରିବାର ଲୋକ ସେଠାକୁ ଯାଇଥିଲେ ା ଘରେ କେହି ନଥିବାରୁ ତାଲା ପଡିଥିଲା ା ହେଲେ ଆଜି ଭୋରରୁ ଦେବୀପ୍ରସାଦଙ୍କ ପୁତୁରା କୌଣସି କାମରେ ତାଙ୍କ ଘର ନିକଟକୁ ଯାଇଥିବା ବେଳେ ଘରର  ଝରକାର ଲୁହାଗ୍ରୀଲ ଭଙ୍ଗା ଯାଇଥିବା ବେଳେ ଘର ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ା ସେହିପରି ଖବରପାଇ ବୈଦ୍ୟନାଥପୁର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ା ନିଆଁ ଆୟତ୍ତ ହେବା ପରେ ଘରେ ପଶି ଦେଖିଲା ବେଳକୁ ବହୁ ସାମଗ୍ରୀ ଓ ଆସଭାବପତ୍ର ଜଳିପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଥିଲା ା ସେହିପରି ଘରର ସାମଗ୍ରୀ ଏଣେତେଣେ ହୋଇ ପଡିଥିଲା ା ସେହି ଘରୁ ବହୁ ସାମଗ୍ରୀ ଚୋରି ହୋଇଥିବା ମଧ୍ୟ ଅନୁମାନ କରାଯାଉଛି ା ଗତକାଲି ରାତି ୨ଟା ରୁ ୪ଟା ଭିତରେ ଏକାଧିକ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଭିତରକୁ ପଶିବା ପରେ ଚୋରି କରିଥିଲେ ା ପରେ ନିଆଁ ଲଗାଇ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି ା ତେବେ ଦେବୀପ୍ରସାଦଙ୍କ ଘରୁ ପୂର୍ବରୁ ୩ ଥର ଚୋରି ହୋଇସାରିଛି ବୋଲି ତାଙ୍କ ପୁତୁରା କହିଛନ୍ତି ା ଦେବୀପ୍ରସାଦ ଓ ତାଙ୍କ ପରିବାର ଲୋକେ ଫେରିବା ପରେ ଘରୁ କଣ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହେବ ା ଏହି ଘରୁ ବାରମ୍ବାର ଚୋରି ହେଉଥିବା ବେଳେ ଅଞ୍ଚଳରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉନଥିବା ଅଭିଯୋଗ ହୋଇଛି ା ତେବେ ଚୋରି ପରେ ଦୁର୍ବୃତ୍ତମାନେ ସେହି ଘରେ କାହିଁକି ନିଆଁ ଲଗାଇଲେ ତାହା ଜଣାପଡିନି ା ପୁଲିସ ଚୋରି ଅଭିଯୋଗ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି
Leave A Reply