ବ୍ରହ୍ମପୁର ଲୋକସଭା ଆସନରୁ ସ୍ବାଧୀନ ଭାବେ ଲଢ଼ିବେ ଭି.ଚନ୍ଦ୍ରଶେଖର ନାଇଡ଼ୁ । ଏନେଇ ବ୍ରହ୍ମପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । ଭି.ଚନ୍ଦ୍ରଶେଖର ନାଇଡ଼ୁ ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିଥିଲେ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ୨୦୧୯ରେ ୧ ଲକ୍ଷ ୪୨ ହଜାର ୬୩୨ ଖଣ୍ଡି ଭୋଟ ପାଇଥିଲେ । ବର୍ତ୍ତମାନ ସେ କଂଗ୍ରେସରେ ରହିଥିବା ବେଳେ ମଧ୍ୟ ସ୍ବାଧିନ ଭାବେ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିବା ନେଇ ନିଷ୍ପତ୍ତି ନେଇଛନ୍ତି । ବ୍ରହ୍ମପୁର ଲୋକସଭା ଅଧିନସ୍ଥ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାହା ବିକାଶ ହେବା କଥା ତାହା ହୋଇନାହିଁ । ଏପରିକି ଲୋକେ ନିଜର ମୌଳିକ ସୁବିଧା ମଧ୍ୟ ପାଇପାରୁନାହାନ୍ତି । ଆଉ ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ୟା ଦିଲ୍ଲୀ ଦରବାରକୁ ପହଞ୍ଚିପାରୁନାହିଁ । ତେଣୁ ମୁଁ ସ୍ବାଧିନ ଭାବେ ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବି ଏବଂ ନିଶ୍ଚିତ ଭାବେ ବିଜୟ ଲାଭ କରିବି ବୋଲି କହିଛନ୍ତି ଚନ୍ଦ୍ରଶେଖର ନାଇଡ଼ୁ । ବର୍ତ୍ତମାନ ଜଣେ ସାଧାରଣ ଲୋକ ସାଂସଦକୁ ଦେଖା କରିବା ଓ ନିଜର ସମସ୍ୟା ଜଣାଇବା କଷ୍ଟକର ହୋଇଥିବା ବେଳେ ଏହି ସମସ୍ୟାକୁ ଦୂରିଭୂତ କରି ସିଧାସଳଖ କିଭଳି ଲୋକଙ୍କ ସମସ୍ୟା ଦିଲ୍ଲୀ ଦରବାରରେ ଉପସ୍ଥାପିତ କରାଯାଇପାରିବ ସେ ନେଇ ପଦକ୍ଷେପ ନେବି ବୋଲି କହିଛନ୍ତି ସେ । ସେହିପରି ସେ ବିଜେଡ଼ି, ବିଜେପି ଓ କଂଗ୍ରେସ ସହିତ ଲଢ଼େଇ କରିବେ ନାହିଁ ବରଂ ନିଜେ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବି ଓ ନିଶ୍ଚିତ ଭାବେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ବିଜୟ ଲାଭ କରିବି । ବ୍ରହ୍ମପୁର ଲୋକସଭାରୁ ନିର୍ବାଚିତ ହୋଇ ଆସିବା ପରେ ସବୁ କ୍ଷେତ୍ରରେ ୭ଟି ନିର୍ବାଚନ ମଣ୍ଡଳୀରେ ବିକାଶ କରାଇବି ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ଚନ୍ଦ୍ରଶେଖର ନାଇଡ଼ୁ । ଏହି ଅବସରରେ ଗତ ୨୦୧୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ସବୁ କାର୍ଯ୍ୟ କରିଛନ୍ତି ସେ ନେଇ ଏକ ପୁସ୍ତକ ମଧ୍ୟ ପ୍ରସ୍ତୁତି କରି ସେଥିରେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ଚନ୍ଦ୍ରଶେଖର । ଏହି ଅବସରରେ ଚନ୍ଦ୍ରଶେଖର ନାଇଡ଼ୁଙ୍କ ସହ ତାଙ୍କ ସହଯୋଗୀ ଶିବ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।