ବ୍ରହ୍ମପୁର, ୯/୧୦ -ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। । ଅଭିଯୁକ୍ତ ଜଣଙ୍କ ଜରଡ଼ା ଥାନା ବଇଁଶି ଗାଁର
ମନୋଜ ଦଳେଇ (୩୦)।ଜଜ ତାଙ୍କୁ ସୋମବାର ଆଜୀବନ ଜେଲ ଓ ୧୦ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି I ମନୋଜ ଆଜି କୋର୍ଟରେ ହାଜର ହୋଇଥିବା ବେଳେ ତାକୁ ବ୍ରହ୍ମପୁର ଜେଲ୍କୁ ପଠାଇଦିଆଯାଇଛି । ସେହିପରି ତାଙ୍କର ଏକ ୮ବର୍ଷର ପୁଅ ଥିବା ବେଳେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଡିଏସ୍ଏଲଏଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ପିପି ତ୍ରିଲୋଚନ ପରିଡ଼ା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ମନୋଜ ଓ ମଞ୍ଜୁ ଦଳେଇ ଜରଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନେ ପ୍ରେମ ସମ୍ପର୍କରେ ଆସିଥିଲେ । ଉଭୟେ ବ୍ରହ୍ମପୁର ଆସି ସ୍ୱାମୀ-ସ୍ତ୍ରୀ ପରିଚୟ ଦେଇ ଭଡ଼ା ଘର ନେଇ ବିଭିନ୍ନ ଜାଗାରେ ରହିଥିଲେ । ପରେ ସେମାନେ ଗୋସାଇଁନୂଅଗାଁ ଥାନା ନୂଆ ଖଜୁରିଆ ପଣ୍ଡା କଲୋନିରେ ଭଡ଼ା ଘରେ ରହୁଥିଲେ । ବିବାହର ଦି’ ବର୍ଷ ପରେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା। ପୁଅ ଜନ୍ମ ହେବା ପରେ ଉଭୟେ ମଞ୍ଜୁଙ୍କ ଘରକୁ ଯାଇଥିଲେ । କିନ୍ତୁ ମଞ୍ଜୁଙ୍କ ବାପା ସୁକୁରା ବିଷୋୟୀ ଏହି ବିବାହକୁ ଗ୍ରହଣ କରିନଥିଲେ । ଏହାପରେ ଉଭୟଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା ଏବଂ ମଞ୍ଜୁଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ହୋଇଥିଲା। ଏହାକୁ ନେଇ ୨୦୧୯ ଅଗଷ୍ଟ ୧୩ ତାରିଖରେ ମଞ୍ଜୁ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମନୋଜକୁ ଥାନାକୁ ଡାକିଥିଲା ଏବଂ ଉଭୟଙ୍କ ଭିତରେ ବୁଝାମଣା କରାଇ ଛାଡିଥିଲା । ଯାହାକୁ ନେଇ ମହିଳା ଥାନାରେ ଜିଡି ନମ୍ବର ୧୧/୨୦୧୯ରେ ଏକ ଡାଏରୀ ରେଜିଷ୍ଟ୍ରି ହୋଇଥିଲା। ଉଭୟେ ଘରକୁ ଆସିଥିଲେ ଏବଂ ଅଗଷ୍ଟ ୧୫ତାରିଖ ସକାଳୁ ମଞ୍ଜୁଙ୍କୁ ଅଚେତ ଅବସ୍ଥାରେ
ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇଥିଲେ ମନୋଜ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଥମେ ଗୋସାଇଁନୂଆଗାଁ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ସମୟରେ ହିଁ ତାଙ୍କୁ ତଣ୍ଟି ଚିପି ହତ୍ୟା ହୋଇଛି ଏବଂ ୧୮ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ । ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଗୋସାଇଁନୂଆଗାଁ ଥାନା ଏସ୍ଆଇ ପ୍ରଣତି ନାୟକ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ୭୯/୨୦୧୯ରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଘଟଣା ସମୟରେ ତାଙ୍କର ୪ବର୍ଷର ପୁଅ ମଧ୍ୟ ଥିଲେ । ପୁଲିସ ଅଭିଯୁକ୍ତ ମନୋଜକୁ କୋର୍ଟ ଚାଲାଣ କରିଥିଲା। ସେ ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ହାଇକୋର୍ଟରୁ ଜାମିନ୍ ପାଇ ଜେଲ୍ରୁ ମୁକୁଳିଥିଲେ । ଏହି ମାମଲାରେ ୨୧ଜଣ ସାକ୍ଷ୍ୟ ଦେଇଥିଲେ। ତେବେ ସରକାରୀ ଓକିଲଙ୍କ ଉପସ୍ଥିତ ବୁଦ୍ଧି ଏବଂ ପାରିପାର୍ଶ୍ବକ ସ୍ଥିତିକୁ କୋର୍ଟରେ ସଠିକ୍ ଭାବେ ଉପସ୍ଥାପନ କରିଥିବାରୁ ଏଥିରେ ଅଭିଯୁକ୍ତକୁ ଦଣ୍ଡିତ କରିଛନ୍ତି କୋର୍ଟ । ସରକାରୀଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ ।