Odisha news

ଶିଶୁକୁ ଅପହରଣ ଓ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

0
ବ୍ରହ୍ମପୁର୧୫/୯ ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ ୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଏକ ବର୍ଷର ଶିଶୁ ଅପହରଣ ଓ ପରେ ହତ୍ୟା ମାମଲାର ବିଚାରଣା ମ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଅଞ୍ଚଳର ଶ୍ରୀଧର ମହାପାତ୍ର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେହିପରି ପ୍ରମାଣ ଅଭାବରୁ ତାଙ୍କର ସହଯୋଗୀ ଲେଡ଼ି ଡ଼ନ ତଥା ଯଶୋଦା ପ୍ରଧାନଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଶ୍ରୀଧର ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ମୁଖ୍ୟ ଅଭିଯୁକ୍ତଙ୍କୁ ୨୨ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ୨ ବର୍ଷ ୮ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଜ ନିର୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ୨୦୧୪ ମସିହା କୁନ ୨୪ ତାରିଖ ବିଳମ୍ବିତ ରାତ୍ରରେ ଉପରୋକ୍ତ ଦୁଇ ଅଭିଯୁକ୍ତ ଶ୍ରୀଧର ଓ ଯଶୋଦା କୁକୁଡ଼ାଖଣ୍ଡି ଗ୍ରାମରେ ଚୋରି କରିବା ଉଦ୍ଦେଶ୍ୟରେ ବୁଲୁଥିଲେ । ସେମାନେ ଜୁନ ୨୪ ତାରିଖ ବିଳମ୍ବିତ ରାତିରେ ଏହି ଗ୍ରାମର କଇରା ପାତ୍ରଙ୍କ ଘରେ ପଶିଥିଲେ ।ସେମାନେ କଇରାଙ୍କ ଘରୁ କିଛି ଚୋରି କରିବାରେ ସକ୍ଷମ ହୋଇ ନଥିଲେ । ତେଣୁ କଇରାଙ୍କ ଏକ ବର୍ଷର ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଆସିଥିଲେ । ଆସିବା ବେଳେ କଇରାଙ୍କ ଏକ ମୋବାଇଲ ଫୋନ ଉକ୍ତ ଘରୁ ଚୋରି କରିଥିଲେ ।ପରେ କଇରାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ୧୨୩/୧୪ ରେଏକ ମାମଲାର ରୁଜୁ କରିଥିଲା। କଇରାଙ୍କ ଜଣେ ସଂପର୍କୀୟଙ୍କ ପାଖକୁ ଫୋନ ଆସିଥିଲା ଯେ ପିଲାଟି ଆମ ପାଖରେ ଅଛି । ୧୦ ଲକ୍ଷ ଟଙ୍କା ଦେଲେ ଆମେ ତୁମକୁ ହସ୍ତାନ୍ତର କରିବୁ । ଫଳରେ ସଂପର୍କୀୟ ଜଣଙ୍କ ଏନେଇ କଇରା ଙ୍କୁ କହିଥିଲେ। ପରେ ଦୁହେଁ ଏନେଇ ଥାନାରେ ଜଣାଇଥିଲେ। କଇରା ପୋଲିସ ଉପସ୍ଥିତିରେ ଅପହରଣକାରୀଙ୍କ ସହ କଥା ହୋଇଥିଲେ । ଅପହରଣକାରୀ ଜଣଙ୍କ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ-୫କୁ ଟଙ୍କା ନେଇ ଆସିବା ପାଇଁ କହିଥିଲେ । ଫଳରେ କଇରା ଏ ନେଇ ପୁଲିସକୁ ଜଣାଇଥିଲେ । ତତ୍କାଳୀନ ଏସପିଙ୍କ ନିର୍ଦେଶରେ ଏକ ପୋଲିସ ଟିମ କଇରାଙ୍କ ସହ ସାଦା ପୋଷାକରେ ଖୋର୍ଦ୍ଧା ଯାଇଥିଲା । ସେଠାରେ ପୋଲିସ ଓ ଅଭିଯୁକ୍ତ ରାସ୍ତା ଉପରେ ଗଡ଼ାତଡ଼ା ହୋଇଥିଲେ । ଏହି ସମୟରେ ଏକ ଭାରୀଯାନ ଟ୍ରକ ଆସିବାର ସୁଯୋଗରେ ଶ୍ରୀଧର ପୋଲିସ କବଜାରୁ ଖସି ପଳାଇଥିଲା । କିନ୍ତୁ ଅଭିଯୁକ୍ତର ବାଇକ, ହେଲମେଟ ଓ ମୋବାଇଲ ସେଠାରେ ଛାଡ଼ି ସେ ଚମ୍ପଟ ମାରିଥିଲା। ପୋଲିସ ତାହା ଜବତ କରିଥିଲା। ମିଳିଥିବା ମୋବାଇଲରେ ଅଭିଯୁକ୍ତଙ୍କ ଏକ ଫୋଟ ରହିଥିଲା। ମୋବାଇଲରୁ ଅଭିଯୁକ୍ତଙ୍କ ଏକ ଫୋଟକୁ ଆଧାର କରି ପୋଲିସ ଏକ ସ୍କେଚ ଜାରି କରିଥିଲା ।
ଏହାସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା । ୧୯ ଜୁଲାଇରେ ଶ୍ରୀଧରକୁ ପୋଲିସ ନୟାଗଡ଼ ହରିହରପୁରରୁ ତାଙ୍କୁ ଗିରଫ କରିଥିଲା । ପରେ ଶ୍ରୀଧରର ସୂଚନା ଆଧାରରେ ପୋଲିସ ଯଶୋଦା ପ୍ରଧାନ ଏଥିରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ। ସେହିସମୟରେ ଯଶୋଦା ଅନ୍ୟ ଏକ ଚୋରି ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଝାରପଡା ଜେଲ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଏହାପରେ ଶିଶୁ ସମ୍ପର୍କରେ ପଚାରିବାରୁ ଜଣାପଡିଲା ସେମାନେ ଟଙ୍କା ନ ପାଇବାରୁ ଶିଶୁକୁ ହତ୍ୟା କରିଛନ୍ତି । ଏହାସହ ଶିଶୁର ମୃତଦେହକୁ ଏକ ଆଚାଚିରେ ପୂରାଇ ଏମ୍‌କେସିଜି ଷ୍ଟାଫ କ୍ୱାର୍ଟର୍ସ ଲେନ୍‌ର ପଛ ପାଖ ଅମରିଲତା ବୁଦାଳିଆ ସ୍ଥାନରୁ ପକାଇଦେଇଥିବା ଶ୍ରୀଧର ପୋଲିସକୁ ଜେରା ବେଳେ କହିଥିଲା। ଉକ୍ତ ମାମଲାର ଅନ୍ୟତମ ଅଭିଯୁକ୍ତ ଯଶୋଦା ସେହି ସମୟରେ ଅନ୍ୟ ଏକ ଚୋରି ମାମଲାରେ ଗିରଫ ହୋଇ ଭୁବନେଶ୍ୱର ଝାରପଡା ଜେଲ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ଵ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରି ଉକ୍ତ ମାମଲାର ଜଡିତ କରିଥିଲା। ପରେ ଯଶୋଦାଙ୍କୁ ଜାମିନ ମିଳିଥିଲା।ଏ ନେଇ ସଦର ଥାନାର ତଦନ୍ତକାରୀ ଅଧିକାରୀ ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଥାନାଧିକାରୀ ସୁଶାନ୍ତ କୁମାର ସାହୁ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ । ବିଚାରଣା ବେଳେ ୪୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ।
ରାୟ ପ୍ରକାଶ ବେଳେ ଗିରଫ ପର ଠାରୁ ଵ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଶ୍ରୀଧର ମହାପାତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଜାମିନରେ ଥିବା ଅନ୍ୟତମ ଅଭିଯୁକ୍ତ ଯଶୋଦା ପ୍ରଧାନ ଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତକାରୀ କାରୀ ଅଧିକାରୀ ଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟକୁ ଆଧାର କରି ଜଜ ଇନ୍ଦୁ ଶର୍ମା ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

Leave A Reply