Odisha news

୧୬୨ କେଜି ଗଞ୍ଜେଇ ଜବତ ,୪ ଗିରଫ

0

ଵ୍ରହ୍ମପୁର  ୧/୮- ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଦୁଇଟି ଟିମ ପୃଥକ ଭାବେ  ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ  ଗିରଫ କରିଛି। ସେମାନଙ୍କ ନିକଟରୁ ମୋଟ ୧୬୨ କେଜି ଗଞ୍ଜେଇ ସହ ଏକ ବୋଲେରୋ ପିକଅପ ଭେନ ଗାଡି ଜବତ କରାଯାଇଛି ବୋଲି ସୋମବାର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଓ ଗାଢ଼ିର ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାରୁ ପ୍ରକାଶ ଯେ , ଵ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିବା ପରେ ଅବକାରୀ ପୋଲିସର  ଦୁଇଟି ଟିମ ଗଠନ ହୋଇଥିଲା। ଗୋଟିଏ ଟିମ ଫାଷ୍ଟଗେଟ ଛକରେ ଚଢ଼ାଉ କରି ଏକ ବୋଲେରୋ ପିକଅପ ନମ୍ବର( ଓଡ଼ି ୦୭ଏ ଏଚ- ୮୨୦୨) ଗାଢିକୁ ଅଟକାଇ ଯାଞ୍ଚ କରିଥିଲା । ସେଥିରେ ଗଞ୍ଜେଇ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡିଥିଲା।

ଉକ୍ତ ଗାଢି ଭିତରୁ ପୋଲିସ ୧୪୦ କେଜି ଗଞ୍ଜେଇ ଜବତ କରିଥିଲା। ସେଠାରୁ ଗଜପତି ଜିଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଲାଗଡ଼ର ବାବୁଲା ମାଝୀ(୨୪)ଓ ଆର. ଉଦୟଗିରିର ମୋହିତ ବୀରା(୨୨) ଙ୍କୁ ଗିରଫ କରିଥିଲା । ସେମାନେ ଉକ୍ତ ଗଞ୍ଜେଇ ଖୋର୍ଦ୍ଧା ଚାଲାଣ କରୁଥିଲେ ବୋଲି ଜେରା ବେଳେ ଜଣାପଡିଛି। ମାମଲା ନମ୍ବର ୪୬୮/୨୨ ରେ ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟଏକ ଟିମ ଖଲ୍ଲିକୋଟ ଗୁରାପଲି ଛକରେ ସନ୍ଧେହ ଜନକ ଅବସ୍ଥାରେ ଠିଆ ହୋଇଥିବା  ଦୁଇଜଣ ଯୁବକଙ୍କ ବ୍ୟାଗ ଯାଞ୍ଚ କରିଥିଲା।  ସେମାନେ ଧରିଥିବା ବ୍ୟାଗରୁ  ୨୨ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ହାୱାଡାର ପ୍ରେମାଜିତ ଦାସ(୨୬)ଓ ପୱନକୁମାର ସାହା (୨୮)।

ଉଭୟ ଗଞ୍ଜେଇ ଚାଲାଣକାରୀ ଉକ୍ତ ଗଞ୍ଜେଇ ଵ୍ରହ୍ମପୁରରୁ ଆଣି ଖଲ୍ଲିକୋଟ ଆସିଥିଲେ। ପରେ ସେମାନେ ଗୁରାପଲି ଛକରୁଏକ ଘରୋଇ ବସ ଯୋଗେ କଲିକତା ଚାଲାଣ କରିଥାନ୍ତେ ବୋଲି ଜେରା ବେଳେ ଅବକାରୀ ପୋଲିସ ଜାଣିବାକୁ ପାଇଛି। ଉଭୟ ଅଭିଯୁକ୍ତଙ୍କୁ ମଧ୍ୟ  ସୋମବାର ମାମଲା ନମ୍ବର ୪୬୭/୨୨-୨୩ ଅନୁଯାଇ କୋର୍ଟ ଚାଲାଣ କରାଯାଇଛି। ଦୁଇଟି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର  ସାମନ୍ତ , ଗୀତାଞ୍ଜଳି ସାହୁ ପ୍ରମୁଖ ସାମିଲ ଥିଲେ।

Leave A Reply