ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଛାତ୍ରାବାସ ତଥା ଶିଶୁ ଗୃହ ଗୁଡିକର ନିୟଂତ୍ରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ପାଇଁ ନିଷ୍ପତ୍ତି
ଭୁବନେଶ୍ୱର: ୭/୯ : ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତଥା ବେସରକାରୀ ଶିକ୍ଷା ଅନୁଷ୍ଠାନ ଦ୍ୱାରା ଶିଶୁ ମାନଙ୍କର ଶିକ୍ଷାର ପ୍ରସାର ନିମନ୍ତେ ପରିଚାଳିତ ହଷ୍ଟେଲ ଓ ହୋମ ଗୁଡିକର ନିୟନ୍ତ୍ରଣ ନିମନ୍ତେ ଏକ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଉପ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି I ଏହି ନିୟମାବଳୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି I ପୂର୍ବରୁ ଆଇନ ସେବା ସମିତି କ୍ଲାପର ସଭାପତି ଡ଼ ବିକାଶ ଦାସଙ୍କ ଦ୍ୱାରା ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିକରି ଓଡିଶା ଉଚ୍ଚ ନ୍ୟାୟାଳୟ ଆଠ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ I
ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ଅଂଚଳରେ ଶିଶୁଙ୍କ ଶିକ୍ଷାପ୍ରାପ୍ତି ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବେସରକାରୀ ସଂସ୍ଥା ପାରମ୍ପରିକ ଭାବେ ହଷ୍ଟେଲ ଓ ହୋମ ଖୋଲି ଖାଦ୍ୟପେୟ ମାଗଣାରେ ପ୍ରଦାନ କରିଥାନ୍ତି I ଅନୁଗୁଳ ଜିଲ୍ଲାର ବାଜିରାଉତ ଛାତ୍ରାବାସ ପରି ଅନେକ ପ୍ରତିଷ୍ଠିତ ସଂଗଠନ ମଧ୍ୟ ଏପରି ସେବା ଯୋଗାଇ ଦେଇ ଆସୁଥିଲେ I ମାତ୍ର ଉକ୍ତ ଛାତ୍ରାବାସ ଗୁଡିକର ପଞ୍ଜିକରଣ ନିମନ୍ତେ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ I ଅନ୍ୟପକ୍ଷରେ ଅଧିକାଂଶ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏପରି ଅନୁଷ୍ଠାନ ବେଆଇନ ଦର୍ଶାଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଆସୁଛନ୍ତି I ଏପରିକି ଅନେକ ସ୍ଥାନରେ ପୋଲିସ ସହାୟତାରେ ଚଢ଼ାଉ କରି ସଂଗଠନ ମାନଙ୍କୁ ବନ୍ଦ ମଧ୍ୟ କରି ଦିଆଯାଇଥିଲା I ଫଳସ୍ୱରୂପ ଅନେକ ଶିଶୁ ଅଧାରୁ ପାଠ ଛାଡି ଘରକୁ ପଳାଇ ଥିଲେ ତଥା ସେମାନେ ଶିକ୍ଷା ପ୍ରାପ୍ତିରୁ ବଂଚିତ ହୋଇ ଥିଲେ I
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦାବି ଥିଲା କିଶୋର ନ୍ୟାୟ ଆଇନ ୨୦୦୫ ଅନୁଯାୟୀ ଏହି ହଷ୍ଟେଲ ମାନଙ୍କର ପଞ୍ଜିକରଣ ଆବଶ୍ୟକ ଅଟେ I ଏହି ଆଇନର ବ୍ୟବସ୍ଥା ଆନୁଯାୟୀ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନେ ଯେଉଁ ହଷ୍ଟେଲରେ ରହୁଛନ୍ତି ସେସବୁ ସଂସ୍ଥା ପ୍ରଥମେ ଶିଶୁ ଯତ୍ନ ସଂସ୍ଥାରୂପେ ପଞ୍ଜିକୃତ ହେବେ I ଅନ୍ୟପକ୍ଷରେ ଯେଉଁ ଶିଶୁମାନଙ୍କର ଅଭିଭାବକ ଅଛନ୍ତି ଓ ସେମାନେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁନାହାନ୍ତି ସେପରି ହଷ୍ଟେଲ ଗୁଡିକ ପଞ୍ଜିକରଣର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ I
ତଥାପି ଏପରି ନିର୍ଦ୍ଦେଶନାମା ଥିବା ସତ୍ତ୍ୱେ ଦ୍ଵନ୍ଦର ବଶବର୍ତ୍ତୀ ହୋଇ ଶିଶୁ ସୁରକ୍ଷା ଅଧିକାରୀ କ୍ରମାଗତ ପଦକ୍ଷେପ ନେଇଥିଲେ I ଫଳସ୍ୱରୂପ ଅନେକ ଶିଶୁ ଶିକ୍ଷା ପ୍ରାପ୍ତିରୁ ବଂଚିତ ହୋଇଥିଲେ I ଏହି ସମସ୍ୟା କ୍ଲାପ ସଭାପତି ଡ଼ ବିକାଶ ଦାସଙ୍କ ଦୃଷ୍ଟିଗୋଚର ହେବାପରେ ସେ ସରକାରଙ୍କୁ ଏକ ଆବେଦନ ପତ୍ର ଦେଇଥିଲେ I ପରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ. ପି. ସି. ନ. ୧୮୪୭୭/୨୦୧୯ ଦାଏର କରିଥିଲେ I ଏହି ମାମଲାରେ ଡ଼ ବିକାଶ ଦାସ ଦର୍ଶାଇଥିଲେ ଯେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଛାତ୍ରାବାସ ଗୁଡିକର ନିୟନ୍ତ୍ରଣ ପାଇଁ ଏକ ଗାଇଡଲାଇନ କରିଛନ୍ତି I ତେଣୁ ସେହି ଆଧାରରେ ଓଡ଼ିଶାରେ ମଧ୍ୟ ଏକ ଗାଇଡଲାଇନ କାର୍ଯ୍ୟକାରି ହେବା ଆବଶ୍ୟକ I
ଏହି ମାମଲାର ଶୁଣାଣିକରି ଓଡିଶା ଉଚ୍ଚ ନ୍ୟାୟାଳୟ ସରକାର ୮ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ I ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉପ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି I ଏହି ନିୟମାବଳୀ ପ୍ରସ୍ତୁତ କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦାଇତ୍ୱ ଦିଆଯାଇଛି I