କରୋନା ସତର୍କତା : ଭୁବନେଶ୍ବର ବିମାନ ବନ୍ଦରରେ ଲାଗୁ ହେଲା କଟକଣା, ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ
ଭୁବନେଶ୍ବର : ଗତକାଲି ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଓ ଆଜି ପାରାଦୀପ ବନ୍ଦରରୁ କରୋନା ସଂଦିଗ୍ଧ ବିଦେଶୀ ଦମ୍ପତି ଚିହ୍ନଟ ହେବା ପରିପ୍ରେକ୍ଷୀରେ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାସ୍ଥ୍ୟ ପରୀକ୍ଷାକୁ ଜୋରଦାର କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ବି.ଭେଙ୍କଟେଶ୍ବର ରାଓ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିଦେଶରୁ ଆସୁଥିବା ଓ ବିଦେଶକୁ ଯାଉଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଉଛି। ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରକୁ ଗୋଟିଏ ମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଆସୁଛି। ମାଲେସିଆରୁ ଆସୁଥିବା ଏହି ବିମାନର ସମସ୍ତ ଯାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ବିମାନ ବନ୍ଦର ବାହାରକୁ ଯିବାଲାଗି ଅନୁମତି ଦିଆଯିବ।
ବିମାନ ବନ୍ଦର ନିର୍ଦ୍ଦେଶକ ବି.ଭେଙ୍କଟେଶ୍ବର ରାଓଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଘରୋଇ ଯାତ୍ରୀଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେଉନାହିଁ। କେବଳ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏଥିଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଯଦି ଆବଶ୍ୟକତା ପଡ଼େ ତେବେ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ ବୋଲି ସୂଚନା ରହିଛି।

ଆଜି ପାରାଦୀପ ବନ୍ଦରରୁ କରୋନା ସଂଦିଗ୍ଧ ଦମ୍ପତ୍ତିଙ୍କୁ ଚିହ୍ନଟ କରାଯାଇଛି। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା। ବିଶେଷ କରି ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ଦେଖା ଯାଇଥିଲା। ଶରୀରରେ ତାପମାତ୍ରା ରହିବା କରୋନାର ଏକ ଲକ୍ଷଣ ହୋଇଥିବାରୁ ସିଙ୍ଗପୁରର ଏହି ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଳାଗି ସ୍ଥାନାନ୍ତର କରାଯାଇଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀଙ୍କ କହିବା ଅନୁସାରେ ଓ ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ସବୁ ଡାକ୍ତରଖାନା ପ୍ରସ୍ତୁତ ରହିଛନ୍ତି। ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।
ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି। ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନ୍ରେ ରହିଛନ୍ତି। ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍ ଶେଷ ହୋଇସାରିଛି। ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଂଗୃହୀତ ୮ଜଣ ବ୍ୟକ୍ତିଙ୍କ ବାଦ୍ ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ। ପୂର୍ବରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା।
ସେହିପରି କରୋନା ସଂପର୍କରେ ସଚେତନତା ପ୍ରଦାନ ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ସଂପର୍କିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।