Odisha news

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ

0

ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଶ୍ରୀ ସତ୍ୟ ସାଈ ସମିତି ନିକଟସ୍ଥ ରେଟଙ୍ଗ କଲୋନୀ ଖେଳପଡ଼ିଆଠାରେ ଆନନ୍ଦ, ଉଲ୍ଲାସ ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳ ସୁରକ୍ଷା ବଳ, ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ପିଏମ୍ ଶ୍ରୀ  କେନ୍ଦ୍ରୀୟ ବିଦ୍ୟାଳୟ ,ସୃଜନ କୁଞ୍ଜ ଏବଂ ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ୍‌ର ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ପ୍ୟାରେଡ୍‌ରେ ଆର୍ ପି ଏଫ୍ ର ଦୁଇଟି ପ୍ଲାଟୁନ୍—ଗୋଟିଏ ମହିଳା ଓ ଗୋଟିଏ ପୁରୁଷ ପ୍ଲାଟୁନ୍—ସହିତ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ସିଭିଲ୍ ଡିଫେନ୍ସର ଗୋଟିଏ ପ୍ଲାଟୁନ୍ ବ୍ୟାଣ୍ଡ ଦଳ ସହ ଅଂଶଗ୍ରହଣ କରିଥିଲେ। ଏଥିସହିତ ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ସାମିଲ ହୋଇ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।

ଏହି ଅବସରରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍ ଏବଂ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶପ୍ରେମ, ଏକତା ଓ ଜାତୀୟ ଗୌରବକୁ ନେଇ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମାବେଶକୁ ସମ୍ବୋଧିତ କରି ଶ୍ରୀ ଡି. ସୁନୀଲ ସମସ୍ତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ସେ ଚଳିତ ବର୍ଷ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଭିନ୍ନ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରିବା ସହ ଅଧିକାରୀ ଓ କର୍ମଚାରୀମାନଙ୍କ ନିଷ୍ଠା, ସମର୍ପଣ ଓ ପରିଶ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।

ମଣ୍ଡଳ ରେଳ ପ୍ରବନ୍ଧକ ଖୋର୍ଦ୍ଧା ରୋଡ୍ ମଣ୍ଡଳର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମକୁ ବିଶେଷ ପ୍ରଶଂସା କରିଥିଲେ। ଏହି ସାମୂହିକ ପ୍ରୟାସର ଫଳସ୍ୱରୂପ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଳପଥର ସମସ୍ତ ମଣ୍ଡଳ ମଧ୍ୟରେ ମାଲ୍ ପରିବହନ  କ୍ଷେତ୍ରରେ ଶୀର୍ଷ ସ୍ଥାନ ବଜାୟ ରଖିପାରିଛି। ସେ କହିଥିଲେ ଯେ, ଏହି ସଫଳତା ସମଗ୍ର ରେଳ ପରିବାରର କଠିନ ପରିଶ୍ରମ, ଦଳଗତ ପ୍ରୟାସ ଓ ସମର୍ପଣ ଭାବର ପ୍ରତୀକ।

ଉତ୍ସବ ପରିପ୍ରେକ୍ଷୀରେ ଶ୍ରୀ ଡି. ସୁନୀଲ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ବାଦିକମାନଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଖୋର୍ଦ୍ଧା ରୋଡ୍ ମଣ୍ଡଳର ସଫଳତା ଓ ଉପଲବ୍ଧିଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସେମାନଙ୍କ ଭୂମିକା ପାଇଁ କୃତଜ୍ଞତା ଜଣାଇଥିଲେ। ସେ ଗଣମାଧ୍ୟମ ସହ ସକାରାତ୍ମକ ଓ ସହଯୋଗମୂଳକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ରେଳ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍କୃଷ୍ଟ ସେବାର ସ୍ୱୀକୃତି ସ୍ୱରୂପ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଭିନ୍ନ ବିଭାଗକୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO), ଖୋର୍ଦ୍ଧା ରୋଡ୍‌ର ସଭାପତି ଶ୍ରୀମତୀ ପ୍ରିୟଙ୍କା ଜୀବରାଜଙ୍କ ସମେତ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (OP) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (Infra) ଶ୍ରୀ ରାଜଧାରୀ ଯାଦବ, ECoRWWOର ସଦସ୍ୟାବୃନ୍ଦ, ମଣ୍ଡଳର ସମସ୍ତ ଶାଖା ଅଧିକାରୀ, ରେଳ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ୱାଧୀନତା ଦିବସ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଥିଲା।

Nalco
Leave A Reply