ଗ୍ରାମୀଣ ବିକାଶରେ ନବ ଜାଗରଣ ଆଣନ୍ତୁ ବିଭାଗୀୟ କ୍ଷେତ୍ରସ୍ତରୀୟ ଅଧିକାରୀ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଅଧିକ ନିଷ୍ଠା ଓ ସଂକଳ୍ପର ସହ କାର୍ୟ୍ୟ କରିବାକୁ ଆହ୍ୱାନ
ଭୁବନେଶ୍ୱର, ୧୪.୮.୨୦୨୬ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପରିଦର୍ଶନ କରି ସେଠାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର ଅଧିକାରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରରୁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ । ବିଭାଗୀୟ ସମ୍ମିଳନୀ କକ୍ଷରେ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ୍, ପଞ୍ଚାୟତିରାଜ ଓ ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିବା ବେଳେ ଜିଲ୍ଲାସ୍ତରରେ ସମସ୍ତ ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ, ବ୍ଲକରେ ବିଡିଓ, ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସମେତ ବ୍ଲକ୍ସ୍ତରୀୟ ଅନ୍ୟ ବିଭିନ୍ନ ବିଭାଗୀୟ ସଂପ୍ରସାରଣ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ସଂପର୍କରେ ଅବଗତ କରି କହିଥିଲେ ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଗ୍ରାମାଂଚଳରେ ବିଭିନ୍ନ ମୌଳିକ ସୁବିଧା ପୂରଣ କରିବାରେ ବିଭାଗର ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରରେ କାର୍ୟ୍ୟ କରୁଥିବା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଏହି ଲକ୍ଷ୍ୟ ହାସଲ ପାଇଁ ଅଧିକ ନିଷ୍ଠା, ଦୃଢ଼ତା ଓ ସଂକଳ୍ପର ସହିତ କାର୍ୟ୍ୟ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତ୍ୟେକଙ୍କୁ ଅଂଶୀଦାର ହେବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଥିଲେ । ସମସ୍ତଙ୍କୁ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ସଂପର୍କରେ ଜାଣିବା ସହିତ ବିକଶିତ ଓଡ଼ିଶା ପାଇଁ ପ୍ରମୁଖ ୩ଟି ସ୍ତମ୍ଭ ଉପରେ ସେ ଗୁରୁତ୍ୱ ଦେଇଥିଲେ । ( ୧) ରାସ୍ତା , ସେତୁ, ବିଦ୍ୟୁତ୍ ଭିତ୍ତିଭୂମି,ରେଳପଥ, ଶିଳ୍ପ, ବିମାନ ବନ୍ଦର ଭଳି ବିଭିନ୍ନ ଭିତ୍ତିଭୂମି ବିକାଶରେ ସମୃଦ୍ଧି (୨) ସ୍ୱାସ୍ଥ୍ୟ, ପୋଷଣ, ଦକ୍ଷତା ବିକାଶ ଓ ଶିକ୍ଷାର ଉନ୍ନତିକୁ ନେଇ ସୁସ୍ଥତା ଓ (୩) ଆର୍ଥିକ ସମାନତାର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଗ୍ରାମାଞ୍ଚଳରେ ଜୀବିକାର୍ଜନ କାର୍ୟ୍ୟକ୍ରମ ବୃଦ୍ଧି କରି ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ବୃଦ୍ଧି, ମାଛ,ଅଣ୍ଡା,କ୍ଷୀର,ଆଦି କ୍ଷେତ୍ରରେ ମୂଲ୍ୟଯୁକ୍ତ ଉତ୍ପାଦନ, ପର୍ୟ୍ୟଟନରେ ସମୃଦ୍ଧି ଆଦି କ୍ଷେତ୍ରରେ ସବୁ ବର୍ଗର ଜନସାଧାରଣଙ୍କୁ ନେଇ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସବୁଦିନ ପାଇଁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ରଣନୀତି ଆପଣାଇବା ଉପରେ ସେ ଗୁରୁତ୍ୱ ଦେବା ସହ ପରିମଳ, ସଡ଼ , ବିଦ୍ୟୁତ ସଂଯୋଗୀକରଣ କରି ଗ୍ରାମୀଣ ବିକାଶରେ ନବ ଜାଗରଣ ଆଣିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗୁରୁତ୍ୱପୁର୍ଣ୍ଣ ଯୋଗଦାନ ରଖିବେ ବୋଲି ସେ ଦୃଢ ଆଶା ପ୍ରକାଶ କରିଛନ୍ତି । ରାସ୍ତା ମରାମତି, ଖାଲଖମା ମରାମତି, ବନ୍ୟା ନିୟନ୍ତ୍ରଣରେ ଯୋଗଦାନ, ଗ୍ରାମୀଣ ସୁସ୍ଥ ଓ ପରିବେଶ ସୌନ୍ଦର୍ୟ୍ୟକରଣ ଚିନ୍ତାଧାରାର ସହ କାର୍ୟ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସବୁ ଗ୍ରାମକୁ ଇଣ୍ଟରନେଟ୍ ସଂଯୋଗୀକରଣ, ବ୍କକରେ ବିଭିନ୍ନ ଗ୍ରାମକୁ ମଡେଲ ଗ୍ରାମରେ ବିକଶିତ କରିବାକୁ ପଦକ୍ଷେପ, ମହାପୁରୁଷ ଆଦର୍ଶ ଗ୍ରାମ କାର୍ୟ୍ୟକାରିତା, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ୟ୍ୟକାରିତା ନେଇ ବିଭାଗୀୟ ସହଯୋଗ ଏବଂ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର କାର୍ୟ୍ୟକାରିତା ନେଇ ଅଧିକ ଆକଂକ୍ଷୀ ହେବା ସହ ମନୋବଳ ସୁଦୃଢ଼ କରି କାର୍ୟ୍ୟକରିବାକୁ ସେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ . ଏନ୍ ବିଭାଗୀୟ କାର୍ୟ୍ୟକ୍ରମ ଓ କାର୍ୟ୍ୟ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ । ବିଭାଗ ତୃଣମୂଳସ୍ତରରେ କାର୍ୟ୍ୟ କରୁଥିବାରୁ ଏବଂ ଲୋକଙ୍କ ମୌଳିକ ସମସ୍ୟା ସହ ଜଡିତ ରହି ସମାଧାନ କରୁଥିବାରୁ ବିଭାଗ ଯେପରି ପ୍ରଭାବୀ, କ୍ରିୟାଶୀଳ ରହି ସରକାରୀ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ସୁଦୃଢ ରୂପାୟନ ହୋଇପାରିବ, ସେଥିପାଇଁ ସର୍ବଦା ଦୃଢ ପ୍ରୟାସ ଜାରି ରହିଥିବା ସମ୍ପର୍କରେ ସେ ପ୍ରକାଶ କରିଥିଲେ । ସେ ବିଭାଗୀୟ କାର୍ୟ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ନିୟମିତ ସାପ୍ତାହିକ ସମୀକ୍ଷା କରାଯାଉଥିବା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ଗ୍ରାମୀଣ ପାନୀୟ ଜଳ ମେଗା ପାଇପ୍ ଜଳ ଯୋଗାଣ ଅଧୀନରେ ୨୦୭ଟି ପ୍ରକଳ୍ପ ମଧ୍ୟରୁ ୪୩ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୮୬ଟି ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକରେ ରହୁଥିବା ସମସ୍ୟାକୁ ଦୂର କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଛୋଟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ୧୮,୭୮୨ଟି (୯୭%) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଆଗାମୀ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ସୋଲାର ପାଇପ୍ ଜଳ ଯୋଗାଣ ଅଧୀନରେ ୬,୬୫୬ଟି (୭୪%) ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ୨୧,୩୨୪ଟି ଗ୍ରାମରେ କାର୍ୟ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ମାଧ୍ୟମରେ ଏବଂ ୭,୦୩୪ଟି ଗ୍ରାମରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ଅବଶିଷ୍ଟ କାର୍ୟ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି କାର୍ୟ୍ୟକ୍ଷମ କରିବା ସହ ପ୍ରତ୍ୟେକ ପରିବାରକୁ ନିଶ୍ଚିତ ଭାବେ ଜଳ ଯୋଗାଣ କରିବା ଆମର ପ୍ରାଥମିକତା ରହିଛି ।
ବିଭାଗୀୟ ସଚିବ ଆହରି ମଧ୍ୟ ସୂଚନା ଦେଇଥିଲେ ଯେ, “ବିକଶିତ ଗାଁ, ବିକଶିତ ଓଡ଼ିଶା” ରେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୨,୯୧୭ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ୨୦,୯୭୫ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୯୩୬.୨୨ କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୪୨,୧୪୦ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା । ସେଥିମଧ୍ୟରୁ ୧୬,୩୪୭ଟି ସମ୍ପୂର୍ଣ୍ଣ ହୋଇଛି ଏବଂ ୬୨୬.୦୬ କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩୧୪ଟି ବ୍ଲକ୍ ମଧ୍ୟରୁ ୨୭୮ଟି ବ୍ଲକ୍ର ବାର୍ଷିକ କାର୍ୟ୍ୟ ଯୋଜନା ଅନୁମୋଦନ ହୋଇଛି । ଅବଶିଷ୍ଟ ୩୬ଟି ବ୍ଲକ୍ର ଅନୁମୋଦନ ପ୍ରକ୍ରିୟା ଚାଲୁଛି । ଭିଭି-ଜି-ରାମ ଜୀ କାର୍ୟ୍ୟକାରିତାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ମଜୁରି, ସାମଗ୍ରୀ ଓ ପ୍ରଶାସନିକ ଅଂଶ ପାଇଁ ଦେୟ ପ୍ରଦାନ ଆରମ୍ଭ କରିଥିବା ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ହୋଇଥିବା ସେ ସୂଚନା ଦେଇଥିଲେ । ଏମଜିଏନଆରଜିଏସ ଅଧୀନରେ ଦାଦନ/ଜୀବିକା ପାଇଁ ବାହାରକୁ ଯିବାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ୩୦ଟି ପ୍ରବାସପ୍ରବଣ ବ୍ଲକ୍ର ୧.୨୯ ଲକ୍ଷ ପରିବାରକୁ ରାଜ୍ୟ ସହାୟତା ଅଧୀନରେ କର୍ମ ନିଯୁକ୍ତି ଯୋଗାଇ ଦିଆଯାଇଛି । ଏହା ମାଧ୍ୟମରେ ୩୫.୫୨ ଲକ୍ଷ ମାନବ-ଦିବସ ସୃଷ୍ଟି ହୋଇଛି । ୫୭୮ଟି ପରିବାର ୧୦୦ ଦିନର ନିଯୁକ୍ତି ସମ୍ପୂର୍ଣ୍ଣ କରିଛନ୍ତି । ଗତ ଦୁଇ ବର୍ଷରେ ଗ୍ରାମୀଣ ଆବାସରେ ୫,୨୪,୫୮୩ଟି ଘର ସମ୍ପୂର୍ଣ୍ଣ ହୋଇଥିବା ଏବଂ ଏଥିମଧ୍ୟରେ ପିଏମଏଓ୍ୱାଇ ଅଧୀନରେ ୩,୭୪,୦୬୦, ପିଏମ୍-ଜନମନ ଅଧୀନରେ ୩୩,୬୪୨ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ୧,୧୬,୮୮୧ଟି ଘର ରହିଛି । ୯୮,୬୧୩ ଜଣ ହିତାଧିକାରୀଙ୍କୁ ୧୫୧ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ୧୬ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଏବଂ ୬ଷ୍ଠ ରାଜ୍ୟ ଅର୍ଥ ଆୟୋଗର ବିଭିନ୍ନ ବାବଦକୁ ଆର୍ଥିକ ସହାୟତା ପ୍ରଦାନ ସଂପର୍କରେ ସେ ସୂଚନା ଦେଇଥିଲେ ।
