ପ୍ରଜାମଣ୍ଡଳ ଆନ୍ଦୋଳନର ମହାନାୟକ ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ଜୟନ୍ତୀ ସମାରୋହ , ପବିତ୍ର ମୋହନ ପ୍ରଧାନଙ୍କ ପ୍ରେରଣାରେ ଶିକ୍ଷା ଓ କୃଷିର ବିକାଶ ପାଇଁ ସମର୍ପିତ ହେବା – ଧର୍ମେନ୍ଦ୍ର ପ୍ରଧାନ
• ପବିତ୍ର ମୋହନ ପ୍ରଧାନଙ୍କ କର୍ମଭୂମି ପବିତ୍ରନଗର ଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ସ୍ମୃତିପୀଠର ଲୋକାର୍ପଣ କଲେ ମାନ୍ୟବର ରାଜ୍ୟପାଳ
• ପାଲଲହଡ଼ା ନିର୍ବାଚନମଣ୍ଡଳୀ ପାଇଁ ୧୭୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ
• ପବିତ୍ର ମୋହନ ପ୍ରଧାନ ପ୍ରଜାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜରେ ପରିବର୍ତ୍ତନର ସୂତ୍ରପାତ କରିଥିଲେ
• ତାଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିପୀଠ ଯୁବପିଢି ପାଇଁ ତ୍ୟାଗ ଓ ସେବାର ଏକ ଜ୍ୱଳନ୍ତ ନିଦର୍ଶନ ହୋଇ ରହିବ
• ପବିତ୍ର ମୋହନ ପ୍ରଧାନଙ୍କ ଦର୍ଶନ ଜାତୀୟ ଶିକ୍ଷା ନୀତିରେ ପ୍ରତିଫଳିତ
• ଏଆଇ ଯୁଗରେ ପାଠ ପଢିବା ସହ ‘ୱେଲଥ୍ କ୍ରିଏଟର’ ହୋଇ ସ୍ୱାଭିମାନର ସହ ବଞ୍ଚିବା
ପାଲଲହଡ଼ା/ପବିତ୍ରନଗର, ଫେବୃୟାରୀ ୦୮ – ଓଡ଼ିଶାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶ୍ରୀ ପବିତ୍ର ମୋହନ ପ୍ରଧାନ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ । ପ୍ରଜାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରି ସମାଜରେ ପରିବର୍ତ୍ତନର ସୂତ୍ରପାତ କରିଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ନିଜ ନିଜ ଅଞ୍ଚଳରେ ବିଶେଷତଃ ଶିକ୍ଷା ଓ କୃଷିର ବିକାଶ ଦିଗରେ ସମର୍ପିତ ହେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର ଅନୁଗୋଳ ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପବିତ୍ରନଗର ଠାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟିଙ୍କ ଗରିମାମୟ ଉପସ୍ଥିତିରେ ପ୍ରଜାମଣ୍ଡଳ ଆନ୍ଦୋଳନର ମହାନାୟକ ତଥା ପବିତ୍ର ମୋହନ ପ୍ରଧାନଙ୍କ ୧୧୮ତମ ଜୟନ୍ତୀ ଅବସରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ପବିତ୍ର ନଗର ଠାରେ ଏହି ମହାନାୟକଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଏବଂ ‘ସ୍ମୃତିପୀଠ’ ଉନ୍ମୋଚନ କରିଥିଲେ । ଏହାସହ ପାଲଲହଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୧୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପିତ କରିଥିଲେ ରାଜ୍ୟପାଳ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ପବିତ୍ର ମୋହନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି “ପବିତ୍ର ମୋହନ ପ୍ରଧାନ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ । ପବିତ୍ର ନଗର ଠାରେ ଉନ୍ମୋଚିତ ହୋଇଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ଓ ସ୍ମୃତିପୀଠ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ସେବାର ଏକ ଜ୍ୱଳନ୍ତ ନିଦର୍ଶନ ହୋଇ ରହିବ । ଆଜି ଲୋକାର୍ପିତ ଓ ଭିତ୍ତିପ୍ରସ୍ତର ହୋଇଥିବା ବିକାଶମୂଳକ କାର୍ଯ୍ୟ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତି ଆମର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ଯାହା ଏହି ଅଞ୍ଚଳର ଜନସାଧାରଣଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ । ତନ୍ମଧ୍ୟରୁ ଖମାର ଠାରେ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭବନ ଏବଂ ପବିତ୍ରନଗର ଓ ବିରୁ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ।
ସେ କହିଛନ୍ତି ଯେ ପବିତ୍ର ମୋହନ ପ୍ରଧାନଙ୍କ ‘ଶିକ୍ଷା ହିଁ ସମାଜର ମୁକ୍ତିର ମାର୍ଗ’ – ତାଙ୍କର ଏହି ଦର୍ଶନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଶିକ୍ଷା ନୀତିରେ ପ୍ରତିଫଳିତ ହେଉଛି । ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଯୁଗରେ ପିଲାମାନେ କେବଳ ଶିକ୍ଷିତ ନୁହେଁ, ବରଂ ‘ୱେଲଥ୍ କ୍ରିଏଟର’ ହୋଇ ସ୍ୱାଭିମାନର ସହ ବଞ୍ଚିବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ତେବେ ପାଲଲହଡ଼ା ଓ ତାଳଚେର ଅଞ୍ଚଳରେ ଶିକ୍ଷା ଏବଂ କୃଷିର ବିକାଶ ଦିଗରେ ସମର୍ପିତ ହେବା ହିଁ ପବିତ୍ର ବାବୁଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ଆଜି ରାଜ୍ୟପାଳଙ୍କ କରକମଳରେ ପାଲଲହଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାୟ ୧୫୩ କୋଟି ଟଙ୍କାର ୨୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୬ କୋଟି ଟଙ୍କାର ୬ଟି ପ୍ରକଳ୍ପର ଉଦଘାଟିତ ହୋଇଛି । ପବିତ୍ର ମୋହନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ପବିତ୍ରନଗର ଠାରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମୃତି ପୀଠ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି । ଖମାର ଠାରେ ୧୧ କୋଟି ଟଙ୍କାର ସିଏଚସି ଭବନ ଏବଂ ପବିତ୍ରନଗର ଓ ବିରୁ ଠାରେ ପିଏଚସି କୋଠାର ଉଦଘାଟନ ହୋଇଛି । ପବିତ୍ରନଗର ଡିଗ୍ରୀ କଲେଜରେ ୩.୬୦ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଗମନାଗମନ ସୁବିଧା ପାଇଁ ସମାକୋଇ ନଦୀ ଉପରେ ୩୦ କୋଟି ଟଙ୍କାରେ ହାଇଲେଭଲ ବ୍ରିଜ୍ ଏବଂ ୨୧.୮୭ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୬ରୁ ଜମାରଡିହି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପାଲଲହଡ଼ାଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପବିତ୍ରନଗରରେ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ପାଇଁ ମଧ୍ୟ ଶିଳାନ୍ୟାସ ହୋଇଛି । ସମସ୍ତ ବିକାଶମୂଳକ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ମାନ୍ୟବର ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇବା ସହ ଅଞ୍ଚଳବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ପାଲଲହଡ଼ା ବଧାୟକ ଶ୍ରୀ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।