ବାରିପଦା : ଶିମିଳିପାଳ ଅଭୟରଣ୍ୟର ଡୁକୁରା ରେଞ୍ଜରୁ ୯ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଶିକାରୀଙ୍କ ଠାରୁ ୩୦କେଜି ସମ୍ବର ମାଂସ ଓ ୯ଟି ବନ୍ଧୁକ ବନ ବିଭାଗ ଜବତ କରିଛି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି । ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ରାତିରେ ଶିମିଳିପାଳର ଜେନାବିଲ ରେଞ୍ଜ ଅଞ୍ଚଳରେ ଉଦଳା ଥାନାର ପାଟଶାଣୀପୁର ଓ କୁଣ୍ଡାବାଇ ପଞ୍ଚାୟତର ଉପରତଳଡିହା, ଜାମଡିହା, ଖାଳିଡିହି ଆଦି ଶିମିଳିପାଳ ସଂଲଗ୍ନ ଗ୍ରାମର ୪୦ରୁ ଉର୍ଦ୍ଧ୍ୱ ଶିକାରୀ ବହୁ ସଂଖ୍ୟକ ବନ୍ଧୁକ ସହିତ ଏକସଙ୍ଗେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅଖଣ୍ଡ ଶିକାର ଉଦେ୍ଦଶ୍ୟରେ ପଶିଥିଲେ । ତେବେ ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର କର୍ମଚାରୀ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ସହିତ ମିଳିତ ଭାବେ ଚଢାଉ କରିଥିଲେ । ୯ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୯ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ପାଇଁ ପଚରାଉଚରା ଜାରି ରଖିଛନ୍ତି । ଖସିପଳାଇଥିବା ଅନ୍ୟ ଶିକାରୀମାନଙ୍କୁ ଗିରଫ ପାଇଁ ତନାଘନା ଜାରିରହିଥିବାବେଳେ ଖୁବ୍ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।