ବାରିପଦା : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ତରଫରୁ ଅଷ୍ଟମ ଶ୍ରେଣୀରୁ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାସନାଲ୍ ମେରିଟ୍ କମ୍ ମିନ୍ସ୍ ସ୍କୋଲାର୍ଷିପ (ଏନ୍ଏମ୍ଏମ୍ଏସ୍) ପରୀକ୍ଷା ହୋଇଥାଏ । ସର୍ବମୋଟ୍ ୧୮୦ ମାର୍କର ଏହି ପରୀକ୍ଷାରେ ଦେଶର ସବୁ ରାଜ୍ୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଥାଆନ୍ତି । ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଳୟ ଡ୍ରପ୍ ଆଉଟ୍ ରେଟ୍ କମାଇବା ପାଇଁ ଭାରତ ସରକାର ୨୦୦୮ ମସିହାରେ ଏହାକୁ ପ୍ରଥମଥର ପାଇଁ ଆରମ୍ଭ କରିଥିଲେ । ସଦ୍ୟ ପ୍ରକାଶିତ ଏହି ପରୀକ୍ଷାଫଳରେ ସର୍ବମୋଟ ୧୪୭ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାର ଟପ୍ପର୍ ହୋଇଛନ୍ତି ହେମାଙ୍ଗିନୀ ପଣ୍ଡା । ସ୍ଥାନୀୟ ମହାରାଣୀ ପ୍ରେମ କୁମାରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ହେମାଙ୍ଗିନୀ ହେଉଛନ୍ତି ରଞ୍ଜିତା ପଣ୍ଡା ଓ ସତ୍ୟନାରାୟଣ ପଣ୍ଡାଙ୍କ ଏକମାତ୍ର କନ୍ୟା । ତାଙ୍କର ଏହି କୃତିତ୍ତ୍ୱ ଯୋଗୁଁ ପରିବାର ବର୍ଗ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ହେମାଙ୍ଗିନୀ ତାଙ୍କର ଏହି ସଫଳତାର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି । ସେ ଭବିଷ୍ୟତରେ ଜଣେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
