ଶୁକଯୋଡା ନାଳରେ ନୂତନ ପୋଲ ନିର୍ମାଣ ଶିଳାନ୍ୟାସ : ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ହେଲା ପୁରଣ
ତିନି ଗୋଟି ୱାର୍ଡର ସମ୍ପର୍କର ସୃଷ୍ଟି କରିବା ପାଇଁ ଉକ୍ତ ପୋଲ ସାଜିବ ସମ୍ପର୍କ ସେତୁ
ବାରିପଦା : ସ୍ଥାନୀୟ ୱାର୍ଡ ନମ୍ବର ୩, ୧୯ ଓ ୧୭ ର ଅଞ୍ଚଳବାସୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି । ବିପଦସଙ୍କୁଳ ଅବସ୍ଥାରେ ଥିବା ଶୁକଯୋଡ଼ା ନାଳ ଉପରେ ନୂତନ ଭାବେ ହାଇ ଲେଭଲ ପୋଲ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଛି । ସ୍ଥାନୀୟ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ବାରିପଦା ପୌରପାଳିକା ପକ୍ଷରୁ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳରେ ଉକ୍ତ ନୂତନ ପୋଲ ସମେତ ଆପ୍ରୋଚ ରାସ୍ତା ନିର୍ମାଣ ହେବ । ଏନେଇ ରବିବାର ପୋଲ ନିକଟରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ୱାର୍ଡ କାଉନସିଲର ରାଜ୍ ଗୁପ୍ତା, ଦିଗବିଜୟ ହାଁସଦାଃ, କରୁଣାକର ହେମ୍ବ୍ରମ, ପୌର ନିର୍ବାହୀ ଯନ୍ତ୍ରୀ ସଚ୍ଚିତାନନ୍ଦ ଶତପଥୀ ଓ ସମାଜସେବୀ ରଞ୍ଜିତ ମହାନ୍ତି ପ୍ରମୁଖ ମଞ୍ଚସୀନ ହୋଇଥିଲେ । ଉକ୍ତ ପୋଲ ୱାର୍ଡ ନମ୍ବର ୩, ୧୯ ଓ ୧୭ର ମୁଖ୍ୟ ସଂଯୋଗ ରାସ୍ତା ଅଟେ । ପ୍ରତିଦିନ ଶହ ଶହ ସଂଖ୍ୟକ ଜନସାଧାରଣଙ୍କ ଗମନାଗମନର ଅନ୍ୟତମ ମାଧ୍ୟମ ଅଟେ । ରାଜରାଜୁଡା ଅମଳର ଉକ୍ତ ପୁରାତନ ପୋଲ ବିପଦ ସଂକୁଳ ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିଲେ । ଗତ ଫାଇଲୀନ ବାତ୍ୟା ସମୟରେ ଉକ୍ତ ଶୁକଯୋଡ଼ା ନାଳର ପୋଲର ତଳ ଅଂଶ ଭାଙ୍ଗିଯାଇଛି । ନାଳ ଉପରେ ନିର୍ମିତ ହୋଇଥିବା କଲର୍ଭଟରେ ଭୀଷଣ ବର୍ଷା ହେଲେ ଅନେକ ସମୟରେ ଏହା ଉପରେ ବର୍ଷାଜଳ ପ୍ରବାହିତ ହୋଇ ସାଧାରଣ ଜନତାଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା । ପୂର୍ବରୁ ବନ୍ୟାଜଳ ପ୍ରବାହିତ ସମୟରେ ଉକ୍ତ ସ୍ଥାନରେ ଜଣେ ବ୍ୟକ୍ତି ଭାସିଯାଇ ମୃତୁ୍ୟବରଣ କରିଥିଲେ । ବହୁ ପୂର୍ବରୁ ଚେପଟା ପୋଲଟିଏ ଥିବା ବେଳେ ନୂତନ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ । ଦୀର୍ଘଦିନ ଧରି ସାଧାରଣ ଜନତା ଦାବୀକୁ ଦୃଷ୍ଟି ରଖି ନଗରପାଳ କୃଷ୍ଣାନନ୍ଦ ମହାନ୍ତି ନୂତନ ପୋଲ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ । ନଗରପାଳ ଶ୍ରୀ ମହାନ୍ତି ନିଜେ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ୍ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ ନେଇ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ନଗରପାଳଙ୍କ ଦ୍ୱାରା ଚିଠି ନମ୍ବର ୭୦୧୩/୧୦.୧୦.୨୦୨୩ରିଖରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବାରିପଦାଙ୍କୁ ଉକ୍ତ ଶୁକଯୋଡା ନଦୀ ଉପରେ ଏକ ପୋଲ ଓ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ନକ୍ସା ଓ ଅଟକଳ ପ୍ରସ୍ତୁତ କରି ବାରିପଦା ପୌରପାଳିକାରେ ଦାଖଲ କରିବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ନେଇ ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୌରପାଳିକା ପକ୍ଷରୁ ଯନ୍ତ୍ରୀଙ୍କ ଉପସ୍ଥିତରେ ପୋଲର ମାପ ଚୁପ କରାଯାଇଥିଲା । ବାରିପଦା ପୌରପାଳିକାକୁ ତଥ୍ୟ ହସ୍ତଗତ ହେବା ପରେ ତୁରନ୍ତ ଆବଶ୍ୟକ ଅର୍ଥ ୬୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଶିଳାନ୍ୟାସ କରାଯାଇଛି ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ସ୍ଥାନୀୟ ବାସିନ୍ଦା ଦାବିକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ପୋଲ ଓ ଆପ୍ରୋଚ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ସ୍ଥାନୀୟ ବାସିନ୍ଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର, ବିଭାଗୀୟ ଯନ୍ତ୍ରୀ, କର୍ମଚାରୀ ମାନଙ୍କ ସମେତ ୱାର୍ଡ ନମ୍ବର ୩, ୧୯ ଓ୧୭ ର ଶହ ଶହ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।