ବାରିପଦା : ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସାରା ରାଜ୍ୟରେ ଚାଲି ଆସୁଥବା ଭୋଟର ସଚେତନତା କାର୍ଯ୍ୟକ୍ରମ ‘ମେରା ପହେଲା ଭୋଟ ଦେଶ କେ ଲିୟେ’ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଣତନ୍ତ୍ର ଶାସନରେ ନିର୍ବାଚନରେ ମତଦାନ କିପରି ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ସେ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରଥମ କରି ଭୋଟ ଦେବାକୁ ଯାଉଥିବା ଭୋଟର ମାନେ କିପରି ସଠିକ୍ ଓ ନିରପେକ୍ଷ ଭାବରେ ମତଦାନ କରି ଦେଶ ଗଠନରେ ସହାୟକ ହେବେ ସେଥିପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ବାଣିଜ୍ୟ ବିଭାଗର ସହକାରୀ ଅଧ୍ୟାପକ ଡଃ ଅନାମ ଚରଣ ରାଉଳ ସଂଯୋଜନା କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଭୂତତ୍ୱ ବିଭାଗ ମୁଖ୍ୟ ଡଃ ପ୍ରମୋଦ ଚନ୍ଦ୍ର ସାହୁ, ଦର୍ଶନ ବିଭାଗ ମୁଖ୍ୟ ଡଃ ଦୀପକ ବେହେରା ଓ ରାଜନୀତି ବିଭାଗ ମୁଖ୍ୟ ଡଃ ଆଲବର୍ଟିନା ତିର୍କି ସାମିଲ ହୋଇଥିଲେ । ପରିଶେଷରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ପ୍ରିୟବ୍ରତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।