Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପରିଷଦ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ମାର୍ଚ୍ଚ ୮ତାରିଖରେ ପାଳନ ହେବାକୁ ଥିବା ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଭୁତି ଭୂଷଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଜୀବନ ପାଇଁ ଆମେ ସବୁବେଳେ ଜଣେ ମହିଳା ଅର୍ଥାତ ଆମ ମା’ଙ୍କ ପାଖରେ ଋଣୀ ବୋଲି କହିଥିଲେ । ମହିଳାମାନେ ଜନସଂଖ୍ୟାର ୫୦ପ୍ରତିଶତ ହୋଇଥିବାବେଳେ ସେମାନଙ୍କ ଉନ୍ନତି ବିନା ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି ଶ୍ରୀ ନାୟକ ଦର୍ଶାଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମା’ ଓ ଭଉଣୀମାନଙ୍କ ପାଖରେ ଯେଉଁ ପ୍ରତିଭା, ଦକ୍ଷତା ଓ ସାହସିକତା ରହିଛି ତାହାକୁ ଆଗକୁ ଆଣିବା ଏବଂ ସବୁ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ଆଜି ମହିଳାମାନେ ମହାକାଶକୁ ଯାତ୍ରା କରିବା ପାଇଁ ସକ୍ଷମ ହୋଇଥିବାବେଳେ ମାତୃଶକ୍ତିକୁ ସମସ୍ତ ଶକ୍ତିର କେନ୍ଦ୍ରସ୍ଥଳୀ ଭାବେ ସେ ବର୍ଣ୍ଣନା କରିଥିଲେ । ମହିଳାମାନଙ୍କର ଯେଉଁ ତ୍ୟାଗ ଓ ସେବା ମନୋଭାବ ରହିଛି ତାହାର ସେ ପ୍ରଶଂସା କରିବା ସହିତ ପରିବାରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି, ସମ୍ମାନିତ ଅତିଥି ତଥା ଆଇସିଡିଏସ, ଜିଲ୍ଲା ସଂଯୋଜକ ଅଞ୍ଜଳି ଦାସ କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଯୋଗଦେଇ ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ହୋଇଥିବାବେଳେ ମହିଳାମାନେ ନିଜ ଅଧିକାର ପାଇଁ ସ୍ୱତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ, ମିଶନଶକ୍ତି ଜିଲ୍ଲା ସଭାପତି ବିଷ୍ଣୁପ୍ରିୟା ଦାସ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଯେଉଁ ଅବଦାନ ରହିଛି, ଯେଉଁ ସବୁ କ୍ଷେତ୍ରରେ ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ସେ ସବୁ ଉପରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାର ମୁଖ୍ୟ ପ୍ରସଙ୍ଗ ଓଦ୍ଭଗ୍ଦକ୍ଟ୍ରସକ୍ସର ଓଦ୍ଭମକ୍ଷଙ୍କଗ୍ଦସକ୍ଟଦ୍ଭ (ପ୍ରେରଣା ଅନ୍ତର୍ଭୂକ୍ତି) ବିଷୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ସିଙ୍କୁ ଏବଂ ଆମେରିକୀୟ ଭାରତୀୟ ଫାଉଣ୍ଡେସନ, ସଦସ୍ୟ ରାଜକିଶୋର ଶର୍ମା ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲାରେ ମିଶନ ଶକ୍ତି ମହିଳା ଓ ସବାଇ ଘାସ ୟୁନିଟର ମହିଳା କର୍ମକର୍ତ୍ତା ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଧାରିତ ଭିଡିଓ ଓ ଏକ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶନ କରାଇଥିଲେ । ଏହି ଅବସରରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପରିଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ସିଙ୍କୁ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply