ବାରିପଦା : ବାରିପଦା ସହର ନିକଟସ୍ଥ ବାଗ୍ଡିହା ଅଞ୍ଚଳର ଚନ୍ଦନ ମହାନ୍ତ ନାମକ ଜଣେ ଯୁବକ ନିଜ ସାଙ୍ଗମାନଙ୍କ ସହିତ ହିମାଚଳ ରାଜ୍ୟର ମୋନାଲିକୁ ବୁଲିବା ପାଇଁ ଯାଇଥିବାବେଳେ ହଠାତ୍ ସେଠାରେ ତାଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମଙ୍ଗଳବାର ଚନ୍ଦନଙ୍କ ମୃତଦେହ ବାରିପଦା ସହରରେ ପହଞ୍ଚିବା ପରେ ଟାଉନ ଥାନା ପକ୍ଷରୁ ଚନ୍ଦନଙ୍କ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଚନ୍ଦନଙ୍କ ଶବ ଘରେ ପହଞ୍ଚିବା ପରେ ଚନ୍ଦନଙ୍କ ମୁଣ୍ଡ ଓ ଆଣ୍ଠୁରେ କ୍ଷତ ଚିହ୍ନ ଥିବା ଦେଖି ପରିବାର ପକ୍ଷରୁ ଚନ୍ଦନଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରାଯାଇଛି । ତେଣୁ ବାରିପଦା ଟାଉନ ଥାନା ପକ୍ଷରୁ ଏହାର ତୁରନ୍ତ ତଦନ୍ତ କରାଯାଉ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ମାତ୍ର ପରିବାର ଲୋକେ ଏହା ତଦନ୍ତ ପାଇଁ ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ନ୍ୟାୟ ପାଇବା ଦାବିରେ ବାରିପଦା ସହର ଆଶୀର୍ବାଦ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶେଷରେ ବହୁ ଘଣ୍ଟା ରାସ୍ତା ଅବରୋଧ ପରେ ସନ୍ଧ୍ୟାରେ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ୍ ସୋରେନ୍ ମୃତ ପରିବାରଙ୍କ ଅଭିଯୋଗକୁ ମୋନାଲି ଥାନାକୁ ସୂଚନା ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।