Odisha news

କୃଷି ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଦାବି କରିବାରୁ ଆକ୍ରମଣ : ସିପିଆଇର ନିନ୍ଦା

0

ବାରିପଦା : କରୋନା ମହାମାରୀ ସମୟରେ ମୟୂରଭଞ୍ଜ ଜିଲ୍ଲାରେ କୃଷି କାର୍ଯ୍ୟରେ ନିୟୋଜିତ ଥିବା କୃଷି ଶ୍ରମିକମାନଙ୍କର ଜୀବିକା ନିର୍ବାହ ଦୁର୍ବିସହ ହୋଇପଡିଛି । କୃଷିକ୍ଷେତ୍ରରେ କାମ କରୁଥିବା କୃଷି ଶ୍ରମିକମାନଙ୍କୁ ଦୈନିକ ଶହେଟଙ୍କା କମ ମଜୁରୀରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବାରୁ କେତେକ ତଥ୍ୟ ସାମନାକୁ ଆସିଥିବାବେଳେ ସାରସକଣା ବ୍ଲକ ଅନ୍ତର୍ଗତ ଭୂରୁଷାଣି ପଞ୍ଚାୟତରେ ଖଡିଆଶୋଳ ଗ୍ରାମରେ କେତେକ ଚାଷୀ ମହିଳା କୃଷିଶ୍ରମିକମାନଙ୍କୁ ଦୈନିକ ଶହେଟଙ୍କାରୁ କମ୍ ମଜୁରୀରେ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଏବଂ ସେମାନେ ଏହାର ପ୍ରତିବାଦ କରିବାରୁ ପୁରୁଷ ଚାଷୀମାନେ ଆଦିବାସୀ ମହିଳା କୃଷି ଶ୍ରମିକମାନଙ୍କୁ ମାଡମାରିବା, ବିଧା, ଗୋଇଠା ମାରିବା ସହ ତଣ୍ଟି ଚିପିବା, ପିନ୍ଧାଲୁଗା ଟାଣିବା ଇତ୍ୟାଦି ଉଦ୍ବେଗ ଜନକ ଘଟଣା ସାମନାକୁ ଆସିଛି ।

ଏହାକୁ ନେଇ ଶ୍ରମିକମାନଙ୍କ ପକ୍ଷରୁ ଝାରପୋଖରିଆ ଥାନାରେ ଏତଲା ଦେବା ସହିତ ୧୧୮/୨୦ରେ ଏକ ମାମଲା ରୁଜୁ କରାଯାଇଛି । ଏଥିରେ ଗ୍ରାମର ଚାଷୀ ଜୀବନ ଦଣ୍ଡପାଟ୍, ମିଥୁନ କଲିଆ, ବଡବାବୁ କଲିଆ, ବାବୁଆ ବାରିକି, ଟୁଟୁ ପାତ୍ର ଓ ସୁରୁକୁନ୍ ପାତ୍ରଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ ମାମଲା ରୁଜୁ କରାଯାଇଛି । ଉକ୍ତ ଘଟଣା ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ମଜୁରୀ ଆଇନ୍କୁ ଭୁକ୍ଷେପ ନକରି ବିଭିନ୍ନ ଜାଗାରେ ବହୁକମ୍ ମଜୁରୀରେ କ୍ଷେତମଜଦୂରମାନଙ୍କୁ ବଳ ପ୍ରୟୋଗ କରି କାମ କରିବାକୁ ବାଧ୍ୟ କରାଯାଇଥିବାରୁ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ଏଥିପ୍ରତି ଉଦ୍ବେଗ ପ୍ରକାଶ କରିଛନ୍ତି । ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ନିର୍ଯ୍ୟାତିତ ଶ୍ରମିକମାନଙ୍କ ପକ୍ଷରୁ ପ୍ରଦାନ କରାଯିବା ସହ ଜିଲ୍ଲାପ୍ରଶାସନ ଶ୍ରମବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେଇ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଇବା ପାଇଁ ସିପିଆଇ ପକ୍ଷରୁ ଦୃଢଦାବି କରାଯାଇଛି ।

Nalco
Leave A Reply