Odisha news

ଫ୍ଲିପକାର୍ଟ  ଡେଲିଭରିବୟ ଉପରେ ଚଢ଼ିଗଲା ଚୋରା ବାଲି ବୋଝେଇ ଟ୍ରକ୍‌ : ଡେଲିଭେରୀବୟ ମୃତ୍ୟୁ , ଘଟଣାସ୍ଥଳରେ ଉତ୍ତେଜନା

0
ବେତନଟୀ  : ବୈଶିଙ୍ଗା ଥାନା ଅଧୀନ କଣ୍ଟିପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଫ୍ଲିପକାର୍ଡ଼  ଡେଲିଭରୀବୟ  ଉପରେ ଚଢିଗଲା  ଚୋରା ବାଲି ବୋଝେଇ ଟ୍ରକ । ଦୁର୍ଘଟଣାର ଶିକାର ହୋଇଥିବା ଡେଲିଭରୀବୟର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମୃତ ଯୁବକ ହେଲେ ଅଭିଜିତ ମହାନ୍ତି (୨୩) । ମିଳିଥିବା ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ଅମ୍ବଗଡ଼ିଆ ଗ୍ରାମର ଘନଶ୍ୟାମ ମହାନ୍ତିଙ୍କ ସାନ ପୁଅ ଅଭିଜିତ ମହାନ୍ତି ଓରଫ ରାଜା (୨୩)  ଫ୍ଲିପ୍‌କାର୍ଟ ଅନଲାଇନ କମ୍ପାନୀରେ ଡେଲିଭରିବୟ ଭାବେ ୧ ବର୍ଷରୁ ଉର୍ଦ୍ଧ୍ଵ କାର୍ଯ୍ୟ କରୁଥିଲା। ଦୈନନ୍ଦିନ ପରି ଆଜି ଗୁରୁବାର ଅପରାହ୍ନରେ ଅଭିଜିତ ବିଭିନ୍ନ ଗ୍ରାମର ଗ୍ରାହକଙ୍କ ନିକଟକୁ ଯାଇ ଅର୍ଡର ମୁତାବକ ଅନଲାଇନ ଜିନିଷ ପତ୍ର ଯୋଗେଇ ବୈଶିଙ୍ଗା କୁ ଫେରିଆସୁଥିଲେ । ଠିକ ସେହି ସମୟରେ ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତ ର କଣ୍ଟିପୁର ରାସ୍ତାରେ ଏକ ଚୋରା ବାଲି ବୋଝେଇ ଟ୍ରକ୍‌(ଓଡି-୦୧ଏ-ଏଚ ୭୪୮୬) ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢି ଯାଇଥିଲା। ଅଭିଜିତ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡିରହିଥିବା ବେଳେ ଡ୍ରାଇଭର ସଙ୍ଗେ ସଙ୍ଗେ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ଅଭିଜିତଙ୍କୁ ଉଦ୍ଧାର କରି ବାଲେଶ୍ଵର ଡାକ୍ତରଖାନା କୁ ନେଇଯାଇଥିଲେ। ସେଠାରେ ଡାକ୍ତର ଅଭିଜିତଙ୍କୁ  ମୃତ ବୋଲି ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣା ଭିଆଇ ଥିବା ଚୋରା ବାଲି ବୋଝେଇ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ (ଓଡି-୦୧ଏ-ଏଚ୍ ୭୪୮୬) ଟି ରୁପ୍ସା ଅଞ୍ଚଳର ରଣଜିତ ମନ୍ତ୍ରୀଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡ଼ିଛି। ଏ ନେଇ ବୈଶିଙ୍ଗା ଥାନାରେ ୪୩୭/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଜଣାଯାଇଛି ।
Leave A Reply