Odisha news

ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ବାରିପଦା  : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼-ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼–ସାଲିମାର ସାପ୍ତାହିକ ଏକ୍ସପ୍ରେସ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି, ନୂତନ ବାଦାମପାହାଡ-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ ରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରି ରାଇରଙ୍ଗପୁର ରେଳ ଷ୍ଟେସନରେ ଓହ୍ଲାଇ ରାଇରଙ୍ଗପୁରର ନୂତନ ଡାକ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍ଘାଟନ କରାଯାଇଛି । ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜଳ ସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ମଞ୍ଚ ଉପରକୁ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଚ ଉପରକୁ ଆସି ଥିବା ସମୟ ରେ ସମସ୍ତ ଜନସମାବେଶ ସେଠାରେ ଦଣ୍ଡାୟମାନ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, ଯେକୌଣସି କ୍ଷେତ୍ରର ବିକାଶ ସେହି ଅଞ୍ଚଳର ସଂଯୋଗ ଉପରେ ନିର୍ଭର କରେ ।

ସେ ରେଳ, ସଡକ କିମ୍ବା ଡାକ ସେବା ହେଉ – ଏହି ସମସ୍ତ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ । ସେ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ତିନୋଟି ଟ୍ରେନ୍ ସ୍ଥାନୀୟ ଲୋକଙ୍କୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ପରି ପଡୋଶୀ ରାଜ୍ୟ ସହ ଯୋଗାଯୋଗରେ ସାହାଯ୍ୟ କରିବ । ମୋବାଇଲ୍ ଫୋନ୍ ଏବଂ କୁ୍ୟରିଅର୍ ସେବାଗୁଡିକର ବୃଦ୍ଧି ଧାରା ସତ୍ୱେ ଇଣ୍ଡିଆ ପୋଷ୍ଟ ଏହାର ପ୍ରାସଙ୍ଗିକତା ହରାଇ ନାହିଁ । ରାଇରଙ୍ଗପୁରରେ ଏକ ନୂତନ ଡାକ ବିଭାଗର ଉଦ୍ଘାଟନ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ସେ କହିଛନ୍ତି ଯେ, ଏହି ଅଞ୍ଚଳର ଲୋକମାନେ ବର୍ତ୍ତମାନ ଡାକ ସେବା ସହଜରେ ପାଇପାରିବେ । କେନ୍ଦ୍ର ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ୨୦୧୩-୧୪ ଆର୍ଥôକ ବର୍ଷ ବଜେଟ୍ ତୁଳନାରେ ବର୍ତ୍ତମାନର ବଜେଟରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଛି । ଆଦିବାସୀ ଲୋକଙ୍କ ବିକାଶ ବିନା ଦେଶର ବିକାଶ ଅସମ୍ପୂର୍ଣ୍ଣ । ସେଥିପାଇଁ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ସରକାରଙ୍କ ଯୋଜନାର ସୁଯୋଗ ନେବାକୁ ସେ ଆଦିବାସୀ ଯୁବକମାନଙ୍କୁ ଅନୁରୋଧ କରୁଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ଆତ୍ମ ବିକାଶ ପାଇଁ ସମସ୍ତଙ୍କର ପ୍ରୟାସ ମଧ୍ୟ ଆବଶ୍ୟକ । ତେଣୁ ଯୁବକମାନେ ନିଜ ଜୀବନରେ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବା ଉଚିତ୍ । ରାଷ୍ଟ୍ରପତି କହିଥିଲେ ଯେ, ପିଭିଟିଜି ବା ଅତି ପଛୁଆ ଆଦିବାସୀ ସମାଜର ବିକାଶ ପାଇଁ କେନ୍ଦ୍ର ସରକାର ଚଳିତବର୍ଷ ଜନଜାତୀୟ ଗୌରବ ଦିବସ ଅବସରରେ ପିଏମ୍ ଜନମନ (ପ୍ରଧାନମନ୍ତ୍ରୀ- ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଆରମ୍ଭ କରିଛନ୍ତି । ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି । ଏହି ପଦକ୍ଷେପ ଅମୃତ କାଳରେ ଲୋକଙ୍କୁ ବିକାଶ ସହିତ ଯୋଡ଼ିବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ରଘୁବର ଦାସ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖଙ୍କ ସମେତ ରାଷ୍ଟ୍ରପତି ଭବନର ଉଚ୍ଚପଦସ୍ଥ ଅଧିକାରୀ, ଭାରତୀୟ ରେଳବାଇ ଏବଂ ଭାରତୀୟ ପୋଷ୍ଟର ବିଭିନ୍ନ ଅଧିକାରୀ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଗଣମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ର ଆବଶ୍ୟକୀୟ ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସେଣ୍ଟାଲ ଡିଭିଜନ କଟକର ଉପନିଦେ୍ର୍ଦଶକ ତଥା ଯୋଗସୁତ୍ର ଅଧିକାରୀ ହେମନ୍ତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆନୁସଙ୍ଗିକ ଅଡିଓ ଭିଜୁଏଲର ବ୍ୟବସ୍ଥା କରାଯାଇଥିଲା । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି, ନୂତନ ବାଦାମପାହାଡ-ସାଲିମାର ଏକ୍ସପ୍ରେସରେ ବାଦାମପାହାଡରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ । ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି । ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିଥିବାବେଳେ ଏଥିରେ ୨୦୦ ଛାତ୍ରଛାତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ରେଳଯାତ୍ରା କରିଥିଲେ । ସକାଳେ ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡ଼ପୁରକୁ ଯାଇ ସେଠାରେ ମୁର୍ମୁ ଛକରେ ତାଙ୍କ ସ୍ୱାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ସେଠାରୁ ପାହାଡ଼ପୁରରେ ନିଜେ ଗଢ଼ିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ । ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍ରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍ସିଏଲ୍ ହେଲିପ୍ୟାଡ୍ରେ ଓହ୍ଲାଇ ଏମ୍ସିଏଲ୍ ଗେଷ୍ଟ ହାଉସ୍ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍ ଅଭିମୁଖେ ବାହାରିଥିଲେ ।

Leave A Reply