ବାରିପଦା : ସମ୍ବଲପୁରର ଓଡିଶା ମାଷ୍ଟର୍ସ ସୁଇମିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ଖଟେଶ୍ୱର ପାଣ୍ଡେ ମେମୋରିଆଲ ରାଜ୍ୟସ୍ତରୀୟ ସୁଇମିଙ୍ଗ ପ୍ରତିଯୋଗିତାରେ ବାରିପଦାର ଚାନ୍ଦିନୀ ଖାତୁନ ୯ ରୁ ୧୦ବର୍ଷ ବାଳିକା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓ ବାରିପଦା ସହରର ଏକ ନମ୍ବର ୱାର୍ଡର ବେଲଗଡ଼ିଆ ଅଞ୍ଚଳର ସେକ ଅବଦୁଲ ଇଉନୁସ ଓ ମାଡିନଓ ବିବିଙ୍କ ସୁପୁତ୍ରୀ ଚାନ୍ଦିନୀ ବିଜୁ ପଟ୍ଟନାୟକ ସୁଇମିଙ୍ଗ ସେଣ୍ଟରରେ କୋଚ୍ ଅଜୟ କୁମାର ଦାସଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ ବୋଲି ତାଙ୍କ ବାପା ଜଣାଇଛନ୍ତି । ଚାନ୍ଦିନୀ ରଘୁନାଥଗଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ଓ ବାରିପଦା ସହରର ବହୁତ କମ ପିଲା ପହଁରା ଜାଣିଥିବାବେଳେ ଏହି କୁନି ଝିଅଟିର କୃତିତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ନିଜ ବିଦ୍ୟାଳୟ, ପରିବାର ତଥା ଜିଲ୍ଲା ପାଇଁ ଆଣିଥିବା ଗୌରବ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ଓ ବାପା ବେସରକାରୀ ଭାବେ ଇଲେକ୍ଟ୍ରି ମିସ୍ତ୍ରୀ କାମକରି ପରିବାର ପାଳୁଥିବାବେଳେ ନିଜ ଝିଅକୁ ସନ୍ତରଣ ପ୍ରତିଯୋଗିତା ପାଇଁ ପ୍ରତ୍ସାହିତ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ଦାସ, ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସନ୍ତରଣ ସହ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ସମେତ ସମସ୍ତ କର୍ମକର୍ତ୍ତା, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ତଥା ବହୁ କ୍ରୀଡ଼ା ପ୍ରେମୀ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।